ଗଞ୍ଜାମ ଜିଲ୍ଲାରେ ତିନି ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ, ସ୍ଵାସ୍ଥ୍ୟ ବିଭାଗର ତତ୍ପରତା

Spread the love

ଗଞ୍ଜାମ : ବର୍ଷା ଋତୁ ଆସିଗଲେ ଜନସାଧାରଣ ଏବଂ ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଥାଏ ଡ଼େଙ୍ଗୁ ରୋଗ । ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତି ଘଟିଛି । ଗତ ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ତିନି ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର ସହରର ହୋଇଥିବା ବେଳେ ଅନ୍ୟ ଜଣେ ଶେରଗଡ଼, ଏବଂ ଆଉ ଜଣେ ଚିକିଟି ଅଂଚଳର ବୋଲି ଜଣାପଡିଛି । ଏହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ବ୍ରହ୍ମପୁର ବଡ ମେଡିକାଲରେ ଡ଼େଙ୍ଗୁ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ଼ ଖୋଲାଯାଇଛି । ଏହି ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵରରେ ଆକ୍ରାନ୍ତ ହୋଇଛନ୍ତି ସେ ଗୋଷାଣୀ ନୂଆଗାଁର । ଆଉ ଜଣେ ଆନ୍ଧ୍ରପ୍ରଦେଶରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଚିକିଟି ଅଂଚଳରେ ଏବଂ ଅନ୍ୟ ଜଣକର ଘର ଶେରଗଡ଼ ହୋଇଥିବା ବେଳେ ସେ ବାଙ୍ଗାଲୁରୁରେ ଆକ୍ରାନ୍ତ ହୋଇ ଫେରିଛନ୍ତି । ଏହି ଘଟଣା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପ୍ରତିକାର ଓ ପ୍ରତିଶେଧକ ବ୍ୟବସ୍ଥା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ତେବେ ଗ୍ରାମାଚଂଳରେ ତଥା ବିଭିନ୍ନ ପଂଚାୟତରେ ନାଳ, ନର୍ଦ୍ଦମା, ଘାଷଲଟା ବୁଦା ସଫା ହୋଇନଥିବାରୁ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି ।

ଗତ ବର୍ଷ ଗଞ୍ଜାମ ଜିଲ୍ଲାରେ ୧୬୧ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୧ ରେ ୩୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୨୦ ମସିହାରେ ମାତ୍ର ୯ ଜଣ ଏବଂ ୨୦୧୯ରେ ୩୦୭ ଓ ୨୦୧୮ ମସିହାରେ ୧୫୫ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *