ପୋଲସରାରେ ଫୁଟିଲା ଗୁଳି, ଗୁଳି ମାଡରେ ବାପା ମୃତ, ଝିଅ ଆହତ

Spread the love

ଗଞ୍ଜାମ: ୧୨ ତାରିଖ ରାତିରେ ପୋଲସରା ବ୍ଲକ ଛକ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଖଲିକୋଟ ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଜୟ କୁମାର ବେହେରା (୬୨) । ଆହତ ଜଣକ ହେଲେ ତାଙ୍କ ଝିଅ ଗାୟତ୍ରୀ । ପୋଲସରା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୋଲିସ ହିଞ୍ଜିଳିକାଟୁରୁ ଗିରଫ କରିଥିବା ଜଣାପଡିଛି । ସେ ମୃତକ ବିଜୟଙ୍କ ସମ୍ପର୍କୀୟ । ହତ୍ୟାକାଣ୍ଡ ପଛରେ ଜମିଜମା ବିବାଦ ରହିଥିବା ପୋଲିସ କହିଛି । ବିଜୟଙ୍କ ଝିଅ ଗାୟତ୍ରୀ ଷୋଡ଼କ ଗ୍ରାମରେ ବିବାହ କରିଛନ୍ତି । ଗାୟତ୍ରୀଙ୍କ ଶ୍ୱଶୁର ଘର ପୋଲସରା ବ୍ଲକ ଛକରେ ଘରଭଡ଼ା ନେଇ ରହୁଥିଲେ । ବାପା ବିଜୟ ଗତକାଲି ଝିଅଘରକୁ ଆସିଥିଲେ । ରାତି ପ୍ରାୟ ୭ଟା ସମୟରେ ପ୍ରଶାନ୍ତ ଘରର ଝରକା ଓ ଗ୍ରୀଲ ଦେଇ ବିଜୟଙ୍କ ଉପରକୁ ଗୁଳି ଫୁଟାଇଥିଲା । ଗୋଟିଏ ଗୁଳି ବିଜୟଙ୍କ ଛାତିରେ ବାଜିଥିଲା । ଏହାପରେ ବିଜୟ ସେଠାରେ ଟଳି ପଡିଥିଲେ । ଏହାଦେଖି ବାପାଙ୍କୁ ବଞ୍ଚାଇବାକୁ ଯାଇଥିବା ଝିଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ । ତାଙ୍କ ହାତରେ ଗୁଳି ବାଜିଥିଲା । ଘଟଣା ପରେ ପ୍ରଶାନ୍ତ ସେଠାରୁ ଚମ୍ପଟ୍ ମାରିଥିଲା । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ବିଜୟଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *