ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ଆହ୍ବାନ

Spread the love

() ବାଲ୍ୟବିବାହ ମୁକ୍ତ ଓଡ଼ିଶା ଅଭିଯାନକୁ ସାକାର ସହ ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ସୀମିତ ନରହୁ। ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ପଡ଼ିବ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏମିତି କିଛି ଦିଗକୁ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁନି, ପ୍ରାରମ୍ଭ ଓ ଆଶାର୍ବାଦ ଭଳି ୩ଟି ନୂଆ ଉପକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମାଆ ମାନେ କାହାଠୁ କମ୍ ନୁହଁନ୍ତି। ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ୱାରା ସମାଜରେ ନିଜ ଲାଗି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଝିଅ ଆଜି ପରିବାରର ବୋଝ ନୁହେଁ, ବରଂ ପରିବାରର ମଣି, କନ୍ୟାରତ୍ନ। ସେଥିଲାଗି ମହିଳା ସଶକ୍ତିକରଣ କେବଳ ଆଜି ଏକ ସ୍ଲୋଗାନରେ ସୀମିତ ନାହିଁ। ଏହା ଏକ ବାସ୍ତବତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆନ୍ତର୍ଜାତୀୟ ମହିଳା ଦିବସର ରାଜ୍ୟସ୍ତରୀୟ ସମାବେଶରେ ଆଉ ପଛକୁ ନୁହେଁ, ଆଗକୁ ମିଶନ ଶକ୍ତି ଓ ଅଙ୍ଗନଓ୍ୱାଡି ମା ମାଡ଼ି ଚାଲନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୟୁଥ ମାସ୍କଟ କୁନି, ଶିଶୁମାନଙ୍କ ଲାଗି ରାଜ୍ୟନୀତି ପ୍ରାରମ୍ଭ ଓ ଏମଆଇଏସ ପୋର୍ଟାଲ ଆଶୀର୍ବାଦ ଭଳି ୩ଟି ନୂଆ ଉପକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ମହିଳା ବିରୋଧୀ ହିଂସାକୁ ରୋକିବା, କଡ଼ା ଆଇନଗତ ଆକ୍ସନ ନେବା, ବାଲ୍ୟ ବିବାହ ରୋକିବା, ଲିଙ୍ଗଗତ ବିଭେଦକୁ ଦୂର କରି ସମାଜରେ ପରିବର୍ତ୍ତନ ଆଣିବା ସମେତ ସର୍ବୋପରି ସୁରକ୍ଷା, ସମ୍ଭାବନା ଓ ସୁଯୋଗ ସୃଷ୍ଟି ହୋଇଛି। ମମତା, ସଖୀ, ସ୍ୱଧାଗୃହ, ଓ୍ୱାନଷ୍ଟପ ସେଣ୍ଟର, ମହିଳା ହେଲ୍ପଲାଇନ ମହିଳା ସୁରକ୍ଷା ଦିଗରେ ବେଶ୍ ସହାୟକ ସାଜିଛି। ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ରରେ ମହିଳା ଆଗେଇଯାଆନ୍ତୁ ବୋଲି ଅପିଲ୍ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ।

ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନଓ୍ୱାଡି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କୁ ପୁରଷ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *