ରାଜ୍ୟରେ ଛେଳି ପାଳନର ବିକାଶ ନିମନ୍ତେ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରାଯାଉଛି: ମନ୍ତ୍ରୀ

Spread the love

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଗତକାଲି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେ„ା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ । ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବୈଠକର ସୂଚନା ଅନୁଯାୟୀ ନୂତନ ପ୍ରଜନନ ନୀତିରେ ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ବେଙ୍ଗଲ୍ ଏବଂ ଗଞ୍ଜାମ ଆଦି ଅତି ଉଚ୍ଚ ମାନର ଜେନେଟିକ୍ ପ୍ରଜାତିର ଛେଳିକୁ ସଂରକ୍ଷଣ କରାଯିବା ସହିତ ଏହାକୁ ଅଧିକ ଉନ୍ନତ କରାଯିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍‌, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍ ବେଙ୍ଗଲ୍ ସହିତ କ୍ରସ୍ ବ୍ରିଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯିବ । ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସରୀ ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ କରାଯିବା ପାଇଁ ପ୍ରଜନନ ନୀତିରେ ଗୁରୁତ୍ୱ ଦିଆଯାଉଛି । ବୈଠକରେ ସ୍ଥାନୀୟ ପ୍ରଜାତିର ଛେଳି ରାଇଘର, ଘୁମୁସରୀ, ନାରାୟଣପାଟଣା, ମାରାଗୁଡ଼ା ଆଦି ପ୍ରଜାତିର ଛେଳିକୁ ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ ଜେନେଟିକ୍ ରିସୋର୍ସରେ ପଂଜିକୃତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତ କରାଯାଉଥିବା ଛେଳି ପ୍ରଜନନ ନୀତିର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *