ରହସ୍ୟମୟ ହାତୀଆ ପାହାଡ଼ର ହାତୀ ଗୁମ୍ଫା। ପର୍ଯ୍ୟଟନ ବିଭାଗର ପଡୁନି ନଜର। ବିଶାଳକାୟ ପଥର ତଳେ ରହି ପାରିବେ ଶତାଧିକ ଲୋକ। ଆଉ ଜମିବ ଭୋଜି ଭାତର ଆସର। ହେଲେ ଏହା ଲୋକଲୋଚନକୁ ଆସିପାରୁନାହିଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଂପୁର ଗାଁ ଠାରୁ ଅଙ୍କାବଙ୍କା ମାଟି ରାସ୍ତାରେ ପ୍ରାୟ ୩ରୁ ୪ କିଲୋମିଟର ଗଲେ ଦେଖିବାକୁ ମିଳେ ହାତୀଆ ପାହାଡ଼ । ଏହାକୁ ଲାଗି ରହିଛି ମଣ୍ଡନଗିରି ସହିତ ତଳେ ବିରାଟ ହ୍ରଦ ଗଡ଼ଦ୍ୱାର ବନ୍ଧ। ହାତୀଆ ପାହାଡର ଘଞ୍ଚ ଜଙ୍ଗଲ ଭିତରେ ଦୂରରୁ ଦେଖାଯାଏ ବିରାଟକାୟ ପଥର ଯାହାକି ଦେଖିବାକୁ ହାତୀ ପାଦ ସଦୃଶ। ଆଉ ସେଥିପାଇଁ ଏହି ପାହାଡର ନାମ ହାତୀଆ ପାହାଡ ବୋଲି ନାମିତ ରହିଛି। ହେଲେ ଏହି ବିରାଟକାୟ ପଥର ଭିତରେ ରହିଛି ବିଶାଳ ଗୁମ୍ଫା , ଯାହାକି ଏବେବି ଅନେକ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ମଣ୍ଡନଗିରି ପର୍ବତକୁ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ଅନ୍ତର୍ଭୁକ୍ତ କରି ଏହାର ବିକାଶ ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି ହାତୀଆଗୁମ୍ପା ଦୃଷ୍ଟି ଆଢୁଆଳରେ ରହିଯାଇଛି। ପୂର୍ବ କାଳରେ ବ୍ରିଟିଶ ଆକ୍ରମଣ ସମୟରେ ଏହି ଗୁମ୍ଫାରେ ବୀର ପାଇକ ମାନେ ଅସ୍ତ୍ରଶସ୍ତ୍ର ରଖୁଥିଲେ। ଏମିତିକି ଗୋଟେ ସମୟରେ ଏହା ଡକାୟତଙ୍କ ମଧ୍ୟ ଆଡା ସ୍ଥଳ ପାଲଟିଥିଲା । ଆଉ ଏବେ ଘଞ୍ଚ ଜଙ୍ଗଲ ଭିତରେ ଅବହେଳିତ ହାତୀଆ ପାହାଡର ହାତୀଗୁମ୍ଫା। ତେବେ ମଣ୍ଡନଗିରି ପର୍ବତ ସହିତ ହାତୀଆ ପାହାଡ ଆଉ ଗଡ଼ଦ୍ୱାର ବନ୍ଧ ସମୂହର ବିକାଶ କରାଗଲେ ଏହା ରାଜ୍ୟର ଏକ ବଡ ପ୍ରାକୃତିକ ପରିବେଶ ପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନ ପାଇପାରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now