ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସ୍ୱାମୀ-ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର ହୋଇଥିବା ମାମଲା ବିଚାରାଧୀନ ଥିବା ବେଳେ ଯେ କୌଣସି ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ । ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତର ଆଦେଶ ବିରୋଧରେ ପତ୍ନୀଙ୍କ ତରଫରୁ ଦାୟର ମାମଲାର ଶୁଣାଣିରେ ଏଭଳି ରାୟ ଦେଇଛନ୍ତି । ତା ସହ ବିବାହ ବିଚ୍ଛେଦ ପାଇଁ ବାଲେଶ୍ୱର ପରିବାର ଅଦାଲତ ୨୦୨୧ ନଭେମ୍ୱର ୨୨ରେ ପ୍ରଦାନ କରିଥିବା ରାୟ ରଦ୍ଦ କରିଛନ୍ତି ହାଇକୋର୍ଟ । ସେହି ମାମଲାରେ ସାନି ଶୁଣାଣି କରି ୬ମାସ ମଧ୍ୟରେ ଫଇସଲା ଦେବାକୁ ବାଲେଶ୍ୱର ପରିବାର ଅଦାଲତକୁ କହିଛନ୍ତି ହାଇକୋର୍ଟ । ତେବେ ହିନ୍ଦୁ ବିବାହ ଅଧିନିୟମ,୧୯୫୫ର ଧାରା ୧୩(ଖ)ରେ ଉଭୟଙ୍କ ସମ୍ମତିରେ ବିବାହ ବିଚ୍ଛେଦ ଆବେଦନ କରିବାର ବ୍ୟବସ୍ଥା ରହିଛି । ତେବେ ଜଣେ ସମ୍ମତି ପ୍ରତ୍ୟାହାର କଲେ ବିଚ୍ଛେଦ ଆଦେଶ ଦିଆଯାଇ ପାରିବନାହିଁ । ୧୩(ଖ)ର ମୂଳ କଥା ରହିଛି ସମ୍ମତି । ଏପରିକି ଯୁକ୍ତି ଉପସ୍ଥାପନ ସମ୍ପୁର୍ଣ୍ଣ ହୋଇ ସାରିବା ପରେ ମଧ୍ୟ ଦମ୍ପତିଙ୍କ ମଧ୍ୟରୁ ଜଣେ କେହି ସମ୍ମତି ପ୍ରତ୍ୟାହାର କରିପାରିବେ । ଏପରିକି ଚୂଡାନ୍ତ ରାୟ ପ୍ରକାଶର ୪ ଦିନ ପୂର୍ବରୁ ପତ୍ନୀ ସମ୍ମତି ପ୍ରତ୍ୟାହାର କରିଥିଲେ ମଧ୍ୟ ପରିବାର ଅଦାଲତ ବିବାହ ବିଚ୍ଛେଦ ସପକ୍ଷରେ ଥିବା ଆଦେଶ ଆଇନ ଅନୁସାରେ ଅଗ୍ରାହ୍ୟ ହେବ ।
ସୂଚନାଯୋଗ୍ୟ ଯେ ,୨୦୧୮ ଫେବୃଆରୀରେ ଆବେଦନକାରୀଙ୍କ ବିବାହ ହୋଇଥିଲା । ପରେ ବୈବାହିକ ସମ୍ପର୍କରେ ମନମାଳିନ୍ୟ ହୋଇଥିଲା ।୨୦୨୦ରେ ଉଭୟଙ୍କ ସହମତିରେ ବାଲେଶ୍ୱର ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଧାରା ୧୩(ଖ)ରେ ଯୁଗ୍ମ ଆବେଦନ କରିଥିଲେ । ଉଭୟଙ୍କ ସମ୍ମତିରେ ବିଚ୍ଛେଦ ମାମଲା ଆଗେଇଥିଲା । ଚୂଡାନ୍ତ ରାୟ ପ୍ରକାଶ ପାଇବାକୁ ୪ ଦିନ ବାକି ଅଛି ସେତେବେଳେ ପତ୍ନୀ ନଭେମ୍ୱର ୧୮, ୨୦୨୧ରେ ସମ୍ମତି ପ୍ରତ୍ୟାହାର କରିନେଲେ । କିନ୍ତୁ ପରିବାର ଅଦାଲତ ନଭେମ୍ୱର ୨୨ରେ ବିଚ୍ଛେଦ ଆଦେଶ ଦେଇ ଦେଇଥିଲେ ।ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ଏହି ଆବେଦନ ଗ୍ରହଣ କରିଥିଲେ । ଯାହାର ଶୁଣାଣି କରି କୋର୍ଟ କହିଛନ୍ତି ଉଭୟ ପତିପତ୍ନୀଙ୍କ ସହମତି ବିନା ହୋଇ ପାରିବନି ବିଚ୍ଛେଦ ଫଇସଲା । ତେଣୁ ପରିବାର ଅଦାଲତ ବିଚ୍ଛେଦ ମାମଲାର ପୁନଃ ବିଚାର କରିବାକୁ କହିଛନ୍ତି ।
ବିବାହକୁ ପବିତ୍ର ଅନୁଷ୍ଠାନ ବିଚାର କରାଯାଏ । ଯଦି କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ଭଳି ପରିସ୍ଥିତି ଆସେ ସେଠି କାଉନସିଲିଂ ମାଧ୍ୟମରେ ବୈବାହିକ ସମ୍ପର୍କରେ ଦେଖା ଦେଇଥିବା ତିକ୍ତତାକୁ ଭୁଲି ମନ ପରିବର୍ତ୍ତନ କରାଇବାର ଉଦ୍ୟମ ମଧ୍ୟ ହୋଇଥାଏ । ଅନେକ ସମୟରେ କାଉନସିଲିଂ ଫଳରେ ବିଚ୍ଛେଦ ରୋକା ଯାଇପାରିବାର ନଜିର ରହିଛି । ସେହି ପ୍ରକ୍ରିୟା ସମୟରେ ହୁଏତ ଗୋଟିଏ ପକ୍ଷ ନିଷ୍ପତ୍ତିରୁ ଓହରିବା ପାଇଁ ମନସ୍ତ କରିପାରେ । ତେଣୁ ଉଭୟଙ୍କ ସହମତି ଜରୁରୀ।ନଚେତ ଯେ କୌଣସି ମୁହୁର୍ତ୍ତରେ ଓହରି ପାରିବେ ଗୋଟିଏ ପକ୍ଷ ଯାହା ମାନ୍ୟବର ହାକୋର୍ଟ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now