ବରଗଡ ମୁଖ୍ୟ କେନାଲରେ ଗର୍ତ୍ତ

Spread the love

ବରଗଡ: ହୀରାକୁଦ ଠାରୁ ବାହାରିଥିବା ବରଗଡ଼ ମୁଖ୍ୟ କେନାଲରେ ଦେଖାଦେଇଛି ଗର୍ତ୍ତ । ଦନ୍ତା ନଦୀ ଜଳ ପ୍ରବାହ ନିକଟରେ ଗର୍ତ୍ତ ଯୋଗୁଁ କେନାଲ ପାଣି ଲିକେଜ୍‌ ହୋଇ ନଦୀକୁ ଚାଲିଯାଉଛି । ଏହି ଗର୍ତ୍ତ ମରାମତି ପାଇଁ କେନାଲ ପାଣିକୁ ବନ୍ଦ କରିଦିଆଯାଇଛି । ଫଳରେ କେନାଲ ପାଣିରେ ହେଉଥିବା ଚାଷ ଉପରେ ବେଶ ପ୍ରଭାବ ପଡିଛି ।ବିନା ସୂଚନା ଦେଇ କେନାଲ ବିଭାଗ ପାଣି ବନ୍ଦ କରାଯାଇଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ବରଗଡ଼ ମୁଖ୍ୟ କେନାଲରେ ଗାତ। କମଗାଁ ଓ କଟାପାଲି ଭିତରେ ଦନ୍ତା ନଦୀ ଜଳପ୍ରବାହ ପାଖରେ ଗାତ ଲାଗି ପାଣି ରହୁନି କେନାଲରେ। ସବୁ ନଦୀକୁ ଚାଲିଯାଉଛି। ଯାହାକୁ ନେଇ ଭାଳେଣୀ ପଡ଼ିଛି ଚାଷୀଙ୍କ ଭିତରେ। ଯଦିଓ ବିଭାଗ ପକ୍ଷରୁ ହୀରାକୁଦ ଠାରୁ  ପାଣି ବନ୍ଦ କରିଦିଆଯାଇ ମରାମତି କାମ କରାଯାଉଛି। ମାତ୍ର ଗାତ ହୋଇଥିବା ସ୍ଥାନ ନିରୂପଣ ହୋଇପାରିନି। ଏଣୁ କେନାଲ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ତଳସ୍ତରକୁ କଂକ୍ରିଟ କରାଯାଉଛି । ଅତି କମ୍‌ରେ ଛଅ ଫୁଟ କଂକ୍ରିଟ ସହ ସମ୍ଭାବ୍ୟ ସ୍ଥାନ କଂକ୍ରିଟ ହେଲେ ସମସ୍ୟାର ସମାଧାନ ହେବ କୁହାଯାଉଛି । ହେଲେ ଛଅ ଦିନ ହେଲା କେନାଲ ଶୁଖି ଯାଇଥିବାରୁ ରବି ଚାଷ ଉପରେ ବେଶ ପ୍ରଭାବ ପଡିଛି । ପାଣି ଅଭାବ ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । କେନାଲ ପାଣି ବନ୍ଦ ପାଇଁ ବିଭାଗ ପକ୍ଷରୁ ଆଗୁଆ ସୂଚନା ମିଳିଥିଲେ, ସାର, ଔଷଧ ଦେଇନଥାଆନ୍ତେ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

ଦୀର୍ଘ ୮୪ କିମି ଲମ୍ବା ଥିବା  ଏହି ବରଗଡ଼ ମୁଖ୍ୟ କେନାଲଟି ବୁର୍ଲା, ବରଗଡ଼, ବରପାଲି ଡିଭିଜନ ମଧ୍ୟରେ ରହିଛି । କେନାଲ ଦ୍ଵାରା ୧ ଲକ୍ଷ ୩୦ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡୁଛି । ଯାହାଫଳରେ ଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ହେଉଥିବା ଫସଲ ଉପରେ ପ୍ରଭାବ ପଡିଛି । ଏ ନେଇ ଆମେ ବରଗଡ଼ କେନାଲ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଶ୍ଵଜିତ ପାଣିଗ୍ରାହୀ ଙ୍କୁ ପଚରା ଯିବାରୁ ଦୁଇରୁ  ତିନି  ଦିନ ମଧ୍ୟରେ ପାଣି ଛଡ଼ା ଯିବ ବୋଲି  କହିଛନ୍ତି ।

ତେବେ କେନାଲ କାମ କେବେ ଶେଷ ହେବ ତାକୁ ନେଇ ଚାଷୀ ଆଶା ଆଶଙ୍କାରେ ଥିବାବେଳେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୀଘ୍ର କେନାଲ ପାଣି ଛାଡ଼ିବାକୁ ଦାବି ହୋଇଛି । 

ଧୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *