ଆଇଆଇସିଙ୍କୁ ମାଡ ମାରି ଜୟନାରାୟଣ ଅଡୁଆରେ

Spread the love

() ସମ୍ୱଲପୁରରେ ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ବଡ଼ ବିବାଦ। ବିରୋଧୀ ଦଳ ନେତା ଓ ଧନୁପାଲି ଆଇଆଇସିଙ୍କ ଭିତରେ ଧସ୍ତାଧସ୍ତିରୁ ଏହି ବିବାଦ ମୁଣ୍ଡ ଟେକିଛି। ମହିଳା ଆଇଆଇସିଙ୍କୁ କୁଆଡ଼େ ଜୟ ନାରାୟଣ ଚାପୁଡ଼ା ମାରିଥିବାର ଆରୋପ ଆସିଥିଲା ବେଳେ ମହିଳା ଆଇଆଇସି ଆଗ ଧକ୍କା ମାରିଥିଲେ ବୋଲି ପାଲଟା ଆରୋପ ଲଦିଛନ୍ତି ଜୟନାରାୟଣ। ଏ ପୁରା ଘଟଣାରେ ଏସପି କହିଛନ୍ତି, ତଦନ୍ତ ହେବ।

ଅବସର ଥିଲା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ। ସମ୍ୱଲପୁରରେ ମଙ୍ଗ ଧରିଥିଲେ ବିଧାୟକ ଜୟନାରାୟଣ ମିଶ୍ର। ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଭିତରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। କିନ୍ତୁ ଏତିକିବେଳେ ବଡ଼ ବିବାଦ ମୁଣ୍ଡ ଟେକିଛି। ଧନୁପାଲି ଆଇଆଇସି ଅନୀତାଙ୍କ ସହ ଜୟନାରାୟଣଙ୍କ ବଚସା ଦେଖିବାକୁ ମିଳିଥିଲା। ଆଉ କିଏ କାହାକୁ ଧକ୍କା ମାରିଲା। କିଏ କାହାକୁ ଠେଲିଦେଲା। ଏ କଥା ବୁଝୁ ବୁଝୁ ଆଇଆଇସି ସଙ୍ଗୀନ ଆରୋପ ଆଣିଥିଲେ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ। କୁଆଡ଼େ ଜୟନାରାୟଣ ତାଙ୍କ ଗାଲକୁ ଥାପଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଅନୀତା। ଏହା ସହ ଥାନାରେ ଏତଲା ବି ଦେଇଛନ୍ତି।

ଆଉ ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ହେବା ପରେ ଜୟନାରାୟଣ ସଫେଇ ଦେଇଥିଲେ କି, ସେ ମହିଳା ଆଇଆଇସିଙ୍କୁ ଚିହ୍ନିନାହାନ୍ତି। ପାଲଟା ଆଇଆଇସି ତାଙ୍କୁ ଆଗ ଧକ୍କା ମାରିଥିଲେ। ଧନୁପାଲି ଆଇଆଇସି ଦୁର୍ନୀତିଗ୍ରସ୍ତ। ଧନୁପାଲି ଥାନା ଡକାୟତି ସେଣ୍ଟର ସାଜିଛି। ଧନୁପାଲି ଆଇଆଇସି ବିଜେପିର ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ସେ କେବଳ ଅଟକାଇଥିଲେ। ସେପଟେ ବିଜେଡି ଏହାକୁ ଗଣ୍ଠି କରିଛି। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଜୟନାରାୟଣ କ୍ଷମା ମାଗନ୍ତୁ। ବିରୋଧୀ ଦଳ ନେତା ପଦରୁ ତୁରନ୍ତ ହଟାଯାଉ। ଏଭଳି ଅଶୋଭନୀୟ ବ୍ୟବହାର ଗ୍ରହଣୀୟ ନୁହେଁ। ମହିଳାଙ୍କ ପ୍ରତି ଅପମାନ ବରଦାସ୍ତ କରାଯିବନି।

ତେବେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ଭିତରେ ଏଭଳି ଆରୋପ ପ୍ରତ୍ୟାରୋପ ଘଟଣାକୁ ଏସପି ଗୁରୁତର ସହ ନେଇଛନ୍ତି। ଘଟଣାର ତଦନ୍ତ ହେବ ଓ ଆଇନ ଅନୁସାରେ ଆକ୍ସନ ହେବ ବୋଲି କହିଛନ୍ତି ଏସପି।

ସମ୍ୱଲପୁରରେ ବିରୋଧୀ ଦଳ ନେତା-ମହିଳା ଆଇଆଇସିଙ୍କ ଭିତରେ ଧସ୍ତାଧସ୍ତି, ଠେଲାପେଲା ଓ ମାଡ଼ ମରାକୁ ନେଇ ବଡ଼ବିବାଦ ଉପୁଜିଛି। ଦେଖିବାର କଥା, ଏ ଘଟଣା ଆଗକୁ କି ମୋଡ଼ ନେଉଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *