ତାଳଚେରରେ ଥମୁନି କଳାବେପାର ।ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

କଳା ହୀରା ବା କୋଇଲାର ସହର ତାଳଚେର । ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା । ୧୮୭୫ରେ ଏହି ଅଞ୍ଚଳରୁ କୋଇଲା ଖନନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମାଟି ଖୋଲିଲେ ବାହାରୁଛି ଟ୍ରିପ ଟ୍ରିପ କୋଇଲା । ଏବେ ଏହି କୋଇଲା ଉପରେ ପଡିଛି ମାଫିଆଙ୍କ ନଜର । ବେଧଡକ ବୃଦ୍ଧି ପାଇଛି କୋଇଲା ଚୋରି । ଏମସିଏଲର ରେଲୱେ ସାଇଡିଂ ସହ କୋଲ ଷ୍ଟକରୁ ଶହ ଶହ ଟନ ଚୋରି ହୋଇ ଚାଲିଛି ।ପୁରୁଷ ମହିଳା ସବୁ ବର୍ଗର ପିଲା ଏଥିରେ ସାମିଲ । ଆଉ ସବୁ ଜାଣି ଚୁପ ରହିଛି ଏମସିଏଲ । ଟଙ୍କାର ପ୍ରଲୋଭନ ଦେଖାଇ ଜଙ୍ଗଲ ଓ ବିଭିନ୍ନ ସ୍ଥାନରେ କୋଇଲା ଗଦା କରୁଛନ୍ତି ମାଫିଆ ।ସରକାର ହରାଉଛନ୍ତି କୋଟି କୋଟି ଟଙ୍କା । ଖାଲି ସେତିକି ନୁହଁ ଏମସିଏଲର ଖଣିରୁ ସାଇଡିଂକୁ ଆସୁଥିବା କୋଇଲା ଓଜନ ହେଉନଥିବାରୁ କମ କୋଇଲା ଆଣି ସେଥିରେ ମାଟି ମିଶାଇ ଟ୍ରେନ ମାଧ୍ୟମରେ ସଠିକ ଓଜନ ଦେଖାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ୨୦୨୪ରେ ବର୍ତ୍ତମାନ ସୁଦ୍ଧା ତାଳଚେର ସଦର ଥାନାରେ ମୋଟ ୧୬ଟି କୋଇଲା ବୋଝେଇ ଟ୍ରକ ଜବତ ହୋଇଛି । ୧୪ଟି ଦୁଇ ଚକିଆ ଯାନକୁ ଜବତ କରାଯାଇଛି । ସେହିପରି କୋଲିୟାରୀ ଥାନାରେ ମୋଟ ୧୦ଟି ଟ୍ରକକୁ ଜବତ କରିଛି ପୋଲିସ ।ଅନ୍ୟପଟେ ହିଙ୍ଗୁଳା ଥାନାରେ ମୋଟ ୩ଟି ଦୁଇ ଚକିଆକୁ ପୋଲିସ ଜବତ କରିବାରେ ସଫଳ ହୋଇଛି । ମାଇନିଂ ବିଭାଗ ପକ୍ଷରୁ ମୋଟ ୨ଟି ଦୁଇଚକିଆ ଯାନ କୁ ଜବତ କରାଯାଇଛି । ପୋଲିସ ଏଠି ବିଭିନ୍ନ ସମୟରେ ଚେକିଂ କରି ଗାଡି ଗୁଡିକୁ ଧରୁଛି । ମାତ୍ର ଦାୟିତ୍ୱରେ ଥିବା ଏମସିଏଲର କିଛି ଅଧିକାରୀ ଚୋରି ସମ୍ପର୍କରେ ଜାଣୁଥିଲେ ବି ପଦକ୍ଷେପ ନେଉନାହାନ୍ତି । ତାଳଚେରରେ ପାଖାପାଖି ୭ଟି ଖୋଲା ମୁଁହ କୋଇଲା ଖଣି ରହିଛି । ଯେଉଁଠି ପ୍ରତିଦିନ ହଜାର ହଜାର ଟନ କୋଇଲା ଟ୍ରକରେ ଆସି ରେଲୱେ ସାଇଡିଂରେ ଗଦା ହୋଇଥାଏ ।ପରେ ରେଳରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । ଏବେ ଏହି ରେଲୱେ ସାଇଡିଂ ପାଲଟିଛି କୋଇଲା ଚୋରିର ପେଣ୍ଠସ୍ଥଳ । ବିନା ହିସାବରେ ସାଇଡିଂରେ ଶହ ଶହ ଟନ କୋଇଲା ଗଦା ହେଉଛି । କେତେ ଆସିଲା କେତେ ଗଲା ତାର ଯାଞ୍ଚ ପାଇଁ କୌଣସି ସୁଯୋଗ ନଥାଏ । ଅଭିଯୋଗର ଲମ୍ବା ଲମ୍ବା ଫର୍ଦ୍ଦ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । କୋଇଲା ଚୋରିର ଚାଲିଛି ଇଏ ଏକ ଚତୁର ଖେଳ ।ଯାହାକୁ ଧରିବାକୁ ପୋଲିସର ମୁଣ୍ଡ ଗୋଲ ହୋଇଯାଉଛି । ରେଲୱେ ସାଇଡିଂରେ ସିସିଟିଭି ଲାଗିବା ସହ ଏମସିଏଲର ନିଜସ୍ୱ ସୁରକ୍ଷା ବଳ ଓ ଓଆଇଏସଏଫ୍ ସୁରକ୍ଷା କର୍ମୀ ଥାଇ ମଧ୍ୟ କୋଇଲା ଚୋରି କମୁନି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ସଠିକ ତଥ୍ୟ ସାମ୍ନାକୁ ଆସିପାରନ୍ତା । ସେପଟେ ତାଳଚେର ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ବିଭିନ୍ନ ସମୟରେ ଚେକିଂ ଓ ଚଢ଼ାଉ ଜାରି ରହିଛି । ଆଗାମୀ ଦିନରେ କୋଇଲା ଚୋରିରେ ସମ୍ପୃକ୍ତ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *