ନିଳାଦ୍ରୀବିଜେରେ ଏକାଠି ହେଲେ ବୁଦ୍ଧିଜୀବୀ ଓ ରାଜନେତା

Spread the love

ଭୁବନେଶ୍ୱର : ପୁରୀ-କୋଣାର୍କ ବେଳାଭୂମିରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ୮ ହଜାର ଏକର କୃଷି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି ଓ ସରକାରୀ ଜମି ଅଧିଗ୍ରହଣ ବେଆଇନ୍ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବା ସହିତ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା ଓ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଫାଇନ୍ କରିଥିବା ଦୃଷ୍ଟିରୁ ତୁରନ୍ତ ସମସ୍ତ ଜମି ଏହାର ପ୍ରକୃତ ମାଲିକ ଚାଷୀମାନଙ୍କୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ରାଜ୍ୟ ସରକାରଙ୍କୁ ଏକର ପ୍ରତି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ହିସାବରେ ପ୍ରଦାନ କରି ମାଲିକାନା ସତ୍ୱେ ଫେରାଇ ଦେବାକୁ ଭୁବନେଶ୍ୱରରେ ଶନିବାର ପୂର୍ବାହ୍ନରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ବିଶିଷ୍ଟ ବକ୍ତାମାନେ ଗୋଟିଏ ସ୍ୱରରେ ମତବ୍ୟକ୍ତ କରିଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ଆବାହକ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଶିଷ୍ଟ ଭାଷାବିତ୍ ବର୍ଷିୟାନ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକ, ବିଜୟ ମହାପାତ୍ର, ଭଜମନ ବେହେରା, ପଞ୍ଚାନନ କାନୁନଗୋ , ବିଧାୟକ ମହମ୍ମଦ ମୁକିମ୍, ଦେବୀପ୍ରସାଦ ପୃଷ୍ଟି, ରାମକୃଷ୍ଣ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ପ୍ରତାପ ଶତପଥୀ, ନରେନ୍ଦ୍ର ମିଶ୍ର, ଶିବାନନ୍ଦ ରାୟ, ଦାମୋଦର ପ୍ରଧାନ, ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ନିରଞ୍ଜନ ପଟ୍ଟନାୟକ ନିଜ ଭାଷଣରେ ସନ୍ଥକବି ଭୀମଭୋଇଙ୍କର “ମୋ ଜୀବନ ପଛେ ନର୍କେ ପଡ଼ିଥାଉ..” ଓ ଉତ୍କଳଗୌରବ ମଧୁସୂଦନଙ୍କର “ଜାତି ନନ୍ଦିଘୋଷ ଚଳିବ କି ଭାଇ…” ଉଦ୍ଧୃତ କରି ଆତ୍ମସ୍ୱାର୍ଥ ତ୍ୟାଗ କରି ଓଡ଼ିଶାବାସୀ ବିଶେଷକରି ଯୁବ, ଛାତ୍ର ଓ ମହିଳାମାନେ ଏ୍ୟୌକ୍ୟବଦ୍ଧ ଭାବେ କମ୍ପାନୀ ପକେଟରେ ଥିବା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ବେଦାନ୍ତ ଜମି ଲୁଟ୍ ମହାକେଳଙ୍କାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ ପ୍ରମୁଖ ସମପରିମାଣରେ ଦୋଷି ବୋଲି ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି । ସାଧାରଣ ଲୋକଙ୍କର ଜମି ଧ୍ୱଂସ କରିବା ପରେ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅମୃତ ମଣୋହୀ ଜମି ହଡ଼ପ କରିବା କେଳେଙ୍କାରୀରେ ସାମିଲ ହେବା ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଲଜ୍ଜା ଓ ଏକ ଆହ୍ୱାନ ବୋଲି ପ୍ରକାଶ କରିଥିଲେ ।

ବିଜୟ ମହାପାତ୍ର ତାଙ୍କ ଭାଷଣରେ ପବିତ୍ର ନିଳାଦ୍ରୀବିଜେ ତିଥିରେ ଭୁବନେଶ୍ୱରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ଆଗାମୀ ଦିନର ରାଜନୀତି ପାଇଁ ନୂଆ ଦିଗ୍ଦର୍ଶନ ଦେବ ବୋଲି ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଏ୍ୟୌତିହାସିକ ବୋଲି ବର୍ଣ୍ଣନା କରି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ୧୭ ବର୍ଷର ନିରବଚ୍ଛିନ୍ନ ବେସାଲିସ୍ ଗଣଆନ୍ଦୋଳନର ସଫଳତା ଓ ବିଜୟ ଭବିଷ୍ୟତ ପୀଢି ପାଇଁ ଏକ ଏ୍ୟୌତିହାସିକ ଦସ୍ତାବିଜ୍ ହୋଇ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ଜମି ମାଲିକଙ୍କ ପକ୍ଷରୁ ଜମି ମାଲିକାନା ସତ୍ୱେ ହସ୍ତାନ୍ତର ପାଇଁ ସରକାରଙ୍କୁ ତୁରନ୍ତ ଦାବିପତ୍ର ପ୍ରଦାନ କରାଯିବ ଏବଂ ଏଥିରେ ସମସ୍ତ ବର୍ଗର ବୁଦ୍ଧିଜୀବୀଙ୍କ ସମେତ ରାଜନୈତିକ ନେତୃବୃନ୍ଦ ସାମିଲ୍ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରତିଟି ଓଡ଼ିଆ ପ୍ରାଣ ଓ ଜଗନ୍ନାଥପ୍ରେମୀର ଏହା ଆଗାମୀ ଦିନରେ ଅସ୍ମିତାର ଲଢେଇ ହେବ ବୋଲି ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟରୁ ନବୀନ ସରକାରଙ୍କର ଛଳନାର ମୁଖା ଖୋଲିଯାଇଛି ବୋଲି ପ୍ରକାଶ କରିଥିଲେ ।

ସଭାପତି ରଥ ନିଜ ଅଭିଭାଷଣରେ ୨୦୦୬ରେ ଜମି ଅଧିଗ୍ରହଣ ପାଇଁ ସରକାରଙ୍କର ରାଜସ୍ୱ ବିଭାଗର ବିଜ୍ଞାପନ ଓ ନୋଟିସ୍ ଠାରୁ ଆରମ୍ଭ କରି ବେଦାନ୍ତ କମ୍ପାନୀ ଗଠନ ସବୁକିଛି ଜାଲିଆତି ଓ ବେଆଇନ୍ କାର୍ଯ୍ୟାବଳୀର ବିଶ୍ୱର ସର୍ବବୃହତ ଜମି କେଳେଙ୍କାରୀର ଶ୍ରେଷ୍ଠ ପ୍ରମାଣପତ୍ର ବୋଲି ପ୍ରକାଶ କରିଥିଲେ । ସରକାରୀ କଳ ପ୍ରାୟୋଜିତ ପୋଲିସ୍ର ବର୍ବର ଲୀଳା ଓ ବେଦାନ୍ତ କମ୍ପାନୀର ପ୍ରାୟୋଜିତ ଗୁଣ୍ଡାମାନଙ୍କର ଆତଙ୍କରାଜ ପାଖରେ ବାଇଶି ମୌଜାର ଜନସାଧାରଣ ମୁଣ୍ଡ ନୁଆଁଇ ନଥିଲେ । ଚାଷୀାନେତା ସ୍ୱର୍ଗୀୟ ବେଣୁଧର ପ୍ରଧାନଙ୍କର ବଳିଷ୍ଠ ନେତୃତ୍ୱରେ ବାଇଶି ମୌଜାର ଚାଷିକୁଳ ଏକାଠି ହୋଇ ନିଜ ଭିଟାମାଟି ଓ ଜମିର ସୁରକ୍ଷା ପାଇଁ ଦୀର୍ଘ ୧୭ବର୍ଷ କାଳ ସଂଗ୍ରାମ ଚଳାଇ ଶେଷରେ ବିଜୟୀ ହୋଇଛନ୍ତି । ବାଇଶି ମୌଜାର ଜନସାଧାରଣଙ୍କର ସଂଗ୍ରାମ ପଛରେ ସାରା ରାଜ୍ୟ ଓ ଦେଶର ବହୁ ବୁଦ୍ଧିଜୀବୀ ଓ ସଙ୍ଗଠନର ଅକୁଣ୍ଠ ସମର୍ଥନ ରହିଥିଲା । ସମସ୍ତଙ୍କୁ ରଥ କୃତଜ୍ଞତା ଜଣାଇଥିଲେ । ପ୍ରଫୁଲ୍ଲ ସାମନ୍ତରା ନିଜ ଭାଷଣରେ ସୁପ୍ରିମକୋର୍ଟଙ୍କର ଏହି ରାୟ କମ୍ପାନୀ ପ୍ରେମରେ ଉବୁଟୁବୁ ବିଭିନ୍ନ ସରକାରଙ୍କ ପ୍ରତି ଏକ ଚେତାବନୀ ବୋଲି ପ୍ରକାଶ କରିଥିଲେ । ପଂଚାନନ କାନୁନ୍ଗୋ ନିଜ ଭାଷଣରେ ବିଜେଡି ବିଜେପି ସରକାର ପ୍ରାୟୋଜିତ ବେଦାନ୍ତ ଜମି କେଳେଙ୍କାରୀ ବିଶ୍ୱର ସର୍ବବୃହତ୍ ଜମି ଦୁର୍ନୀତି ବୋଲି ପ୍ରକାଶ କରିଥିଲେ । ବିଧାୟକ ମୁକିମ୍ ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିବା ଲଢେଇ ସାରା ରାଜ୍ୟକୁ ବ୍ୟାପିବ ଓ ଏଥିପାଇଁ ବୁଦ୍ଧିଜୀବୀ ସମ୍ମିଳନୀରେ ପ୍ରତ୍ୟେକେ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସଂଗଠକ ଦେବୀପ୍ରସାଦ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଘର୍ଷ ସମିତି ପକ୍ଷରୁ ବିଷ୍ଣୁପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରଦୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସସ୍ମିତା ବେହେରା, ବିଜେପି ନେତ୍ରୀ ସୀମନ୍ତିନୀ ଜେନା, କୃଷକ ନେତା ଦିଲ୍ଲୀପ ସାହୁ, ଅଶୋକ ପ୍ରଧାନ, ନଳିନୀ ପତି, ଦେବରାୟ ମହାପାତ୍ର, ଚିତ୍ତରଂଜନ ମହାନ୍ତି, ସୁଧୀର ମହାନ୍ତି, ସୁଧୀର ପଟ୍ଟନାୟକ, ଜ୍ୟୋତି ମହାପାତ୍ର, ଅରୁଣ ଜେନା, ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାଂସଦା, ନରେନ୍ଦ୍ର ମହାନ୍ତି, ରଙ୍ଗା ଚରଣ ପ୍ରଧାନ, ଜଗନ୍ନାଥ ଗବେଷକ ଅସୀତ ମହାନ୍ତି, ଅନୀଲ ଧୀର, ବିଜୟ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଓ ବିଶିଷ୍ଟ ଜନନେତ୍ରୀ ସୁଶ୍ରୀ ମେଧାପାଟକରଙ୍କର ଭାବଗର୍ଭକ ବାର୍ତ୍ତା ଓ ସମର୍ଥନ ସନ୍ଦେଶ ପାଠ କରାଯାଇଥିଲା । ଭବିଷ୍ୟତ କର୍ମପନ୍ଥା ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ରବି ଦାସ, ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କର ମିଳିତ ଆବାହକତ୍ୱରେ ଏକ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଥିଲା । ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସ୍ୱର୍ଗତ ଜୟନ୍ତ ଦାସ, ସଞ୍ଜୟ ପାରିକ, ଚିନ୍ମୟ ମିଶ୍ର ପ୍ରମୁଖଙ୍କୁ ସମ୍ମିଳନୀ କୃତଜ୍ଞତା ଜ୍ଞାପନ କରିଥିଲେ । ଆନ୍ଦୋଳନର ପ୍ରଚ୍ଛଦପଟ୍ଟରେ ଥିବା ଦିବାଙ୍ଗତ ଦ୍ୱାରିକାମୋହନ ମିଶ୍ର, ବରେନ୍ଦ୍ରକୃଷ୍ଣ ଧଳ ଓ ସ୍ୱର୍ଗତ ବେଣୁଧର ପ୍ରଧାନ, ଭବାନୀ ଚରଣ ପଟ୍ଟନାୟକ ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆସନ୍ତା ଦିନରେ ପୁରୀ ବେଲଦଳଠାରେ ଏକ ବିରାଟ ଜନସମ୍ମିଳନୀ କରାଯାଇ ଆଇନ୍ଜୀବୀ ପ୍ରଶାନ୍ତଭୂଷଣ ଓ ଜନନେତ୍ରୀ ମେଧାପାଟକରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ସଭାପତି ରଥ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *