ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଅଭିଯୋଗରେ ଲୋକାୟୁକ୍ତଙ୍କ ତଦନ୍ତ

Spread the love

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଦିନକୁଦିନ ନୂଆ ନୂଆ ବିବାଦୀୟ ଘଟଣା ଲୋକାଲୋଚନକୁ ଆସୁଛି । ଯାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ପୁଣି ଏକ ବିବାଦୀୟ ଘଟଣା ସାମ୍ନାକୁ ଆସିଛି । ଆଜି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣକୁ ନେଇ ଲୋକୟୁକ୍ତ ତଦନ୍ତ ଆରମ୍ଭ କରିଛି । ଧର୍ମଶାଳା ତହସିଲ ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତ ବଡରୁଖା ମୌଜାରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଇଟାଫ୍ୟାକ୍ଟ୍ରୀକୁ ସରକାରୀ ଅର୍ଥରେ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଲୋକାୟୁକ୍ତଙ୍କ ନିଜସ୍ୱ ତଦନ୍ତକାରୀ ସଂସ୍ଥା ଡାଇରେକ୍ଟର ଅଫ ଇନକ୍ୱାରୀ ଏହାର ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତକାରୀ ଟିମ୍ ଡାଇରେକ୍ଟର ଅଫ ଇନକ୍ୱାରୀ ସର୍ବେଶ୍ୱର ସିଂଙ୍କ ନେତୃତ୍ୱରେ ଧର୍ମର୍ଶାଳା ବ୍ଲକରେ ପଂହଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ ଇଟା ଫ୍ୟାକ୍ଟ୍ରୀରେ ପହଞ୍ଚି ରାସ୍ତାର ମାପଚୁପ କରିଥିଲେ । ବ୍ଲକ ଅଧ୍ୟକ୍ଷ ଏହି ୨ ଏକର ଜମିକୁ ଲିଜ୍ ସୂତ୍ରରେ ନେଇଥିବା ବେଳେ ସେ ୫ ଏକରରୁ ଉର୍ଦ୍ଧ ଜମିକୁ ନିଜ ଦଖଲରେ ରଖି ଇଟା ଫ୍ୟାକ୍ଟ୍ରୀ କରିଥିବା ଦେଖିବାକୁ ପାଇଥିଲେ ।

ଅଧ୍ୟକ୍ଷ ନିଜସ୍ୱ ରାସ୍ତା ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ସଡକଠାରୁ ଇଟା ଫ୍ୟାକ୍ଟ୍ରୀ ପର୍ଯ୍ୟନ୍ତ ଜନବସତି ବିନା ଏହି ରାସ୍ତା ନିର୍ମାଣ ପାଇଁ ୯ଲକ୍ଷ ୨୮୦ଟଙ୍କାର ବିଲ ପାସ୍ ହୋଇଛି । ଏହି ପଂଚାୟତର କାର୍ଯ୍ୟରତ ଥିବା କନିଷ୍କ ଯନ୍ତ୍ରୀ ଏହି ବେଆଇନ ରାସ୍ତା ନିର୍ମାଣରେ ସହମତି ପ୍ରକାଶ ନ କରିବାରୁ ପୂର୍ବରୁ ବହୁ ଦୁର୍ନୀତିରେ ଜଡିତ ଥିବା କନିଷ୍କ ଯନ୍ତ୍ରୀ ରତ୍ନାକାର ସାହୁ ଓ ପ୍ରଶାନ୍ତି ଗଡନାୟକ ଏହି ରାସ୍ତା ନିର୍ମାଣରେ ସହଯୋଗ କରିଛନ୍ତି । ତେବେ ଲୋକାୟୁକ୍ତଙ୍କ କୌଣସି ଟେକ୍ନିକାଲ ଟିମ୍ ନ ଥିବାରୁ ଧର୍ମଶାଳା ତହସିଲ ନେଉଳପୁର ରାଜସ୍ୱ ନିରୀକ୍ଷକ ବିରଞ୍ଜି ନାରାୟଣ ବୋଇତେଇ ଓ ଅମିନ ରିତେଶ କୁମାର ସାମଲ ଏହି ମାପଚୂପରେ ଲୋକାୟୁକ୍ତ ଟିମ୍ଙ୍କୁ ସହଯୋଗ କରିଥିଲେ । ଏହି ରାସ୍ତା ନିର୍ମାଣ ଦୁର୍ନୀତିରେ ସମ୍ପୃକ୍ତ ଥିବା ସହକାରୀ ଯନ୍ତ୍ରୀ ଯତୀନ୍ତ୍ର ମୋହନ ସ୍ୱାଇଁ,କନିଷ୍କ ଯନ୍ତ୍ରୀ ରତ୍ନାକର ସାହୁଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ଏହି ରାସ୍ତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଧର୍ମଶାଳା ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ପରବର୍ତୀ ଶୁଣାଣି ଚଳିତ ମାସ ୨୭ ତାରିଖରେ ରହିଛି । ତେବେ ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ନୀତିର ପର୍ଦ୍ଦାଫାର୍ସ ହେବ ବୋଲି ଅଂଚଳବାସୀ ଆଶାବାଦୀ ଅଛନ୍ତି । ଯାହାକୁ ନେଇ ଏବେ ଧର୍ମଶାଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *