ଉଚ୍ଚା ପୋଲ ନିର୍ମାଣ ସହିତ ଅସମ୍ପୂର୍ଣ୍ଣ ଆପ୍ରୋଚ ରୋଡ଼କୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ

Spread the love

କୋରେଇ : ସରକାର ଗମନା ଗମନ କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୩ରୁ ଉର୍ଦ୍ଧ୍ୱ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବହୁ ଗ୍ରାମ୍ୟ ରାସ୍ତା/ପୋଲ କାର୍ଯ୍ୟ ଏବେବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ରାସ୍ତାରେ ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର ବ୍ୟାପାର ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ଅନ୍ତର୍ଗତ ସୋତି ଗ୍ରାମ ସହିତ ମିର୍ଜାପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ନିର୍ମାଣାଧିନ ପୋଲକୁ ନେଇ ବିବାଦ ଦେଖାଦେଇଛି । ଏ ସଂକ୍ରାନ୍ତରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ କେନ୍ଦ୍ରରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବରଂ ଅର୍ଦ୍ଧନିର୍ମିତ କାର୍ଯ୍ୟ କରି ସମ୍ପୃକ୍ତ ଠିକାଦାର ଛୁ ମାରିଥିବାରୁ କାର୍ଯ୍ୟ ସମାପ୍ତ କେବେ ହେବ ଏନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥରୁ ବାହାରି ଚାନ୍ଦପୁର ଦାମୋଦରପୁର ,ବାଟୁଳ, ସୋତି, ମିର୍ଜାପୁର ଗ୍ରାମ ଦେଇ ବଡ଼ବିରୁହାଁ ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ରାସ୍ତା ରହିଛି । ଉକ୍ତ ରାସ୍ତା ମଧ୍ୟ ଦେଇ ଗୋଳେଇପୁର ପଞ୍ଚାୟତ ଅନ୍ତର୍ଗତ ,ଶଗଡି, କେଳାଗାଡ଼ିଆ, ସୋତି,ବାଟୁଳ ଆଦି ଗ୍ରାମର ପିଲାମାନେ ହାଟସାହି ବଜାରରେ ଥିବା ଗୋଳେଇପୁର ଉଚ୍ଚ ବିଦ୍ୟାଳୟକୁ ନିୟମିତ ପାଠ ପଢ଼ିବା ଲାଗି ଯାଇଥାନ୍ତି । ଏତଦ୍ ବ୍ୟତୀତ ଗ୍ରାମର ଜନସାଧାରଣଙ୍କ ହେକ୍ଟର ହେକ୍ଟର ଚାଷ ଜମି ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଅବସ୍ଥିତ ଥିବାରୁ ପ୍ରତ୍ୟେକ ଦିନ ଚାଷ କାର୍ଯ୍ୟ ନିମନ୍ତେ ଗ୍ରାମର ଚାଷୀମାନେ ଉକ୍ତ ରାସ୍ତା ଉପର ଦେଇ ନିଜ ଚାଷ ଜମିକୁ ଯାଇଥାନ୍ତି । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଉକ୍ତ ଟେଣ୍ଡରକୁ ବାହାର ଜିଲ୍ଲାର ଜଣେ ଠିକାଦାର ନେବା ପରେ ଭୋଟକା ଅଞ୍ଚଳର ଜଣେ ପେଟି ଠିକାଦାରକୁ ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ଠିକାଦାର ଜଣକ ବିନା ସୁଚନା ଫକରେ ଯେଉଁ ଉଚ୍ଚତାରେ ପୋଲଟିକୁ ନିର୍ମାଣ କରୁଛନ୍ତି ତାହା ସମ୍ପୂର୍ଣ ହେବା ପରେ ବର୍ତ୍ତମାନ ଥିବା ରାସ୍ତା ଠାରୁ ବହୁତ ଉଚ୍ଚା ହୋଇଯିବ । ଫଳରେ ବିଦ୍ୟାଳୟକୁ ଯିବା ଆସିବା କରୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ସମେତ ଚାଷ ଜମିକୁ ଯିବା ଆସିବା କରୁଥିବା ଅଞ୍ଚଳବାସୀଙ୍କ ନିମନ୍ତେ ରାସ୍ତାଟି ତୀଖ ଭଳି ଉଚ୍ଚା ହୋଇଯିବା ଦ୍ୱାରା ଉକ୍ତ ପୋଲକୁ ଚଢି ଯିବା ଆସିବା କଷ୍ଟସାଧ୍ୟ ହେବ । ଏଥି ସହିତ ଯଦି ପୋଲକୁ ସଂଲଗ୍ନ କରି ଉଚ୍ଚ ରାସ୍ତା ନିର୍ମାଣ କରାଯାଏ ତେବେ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ନିଷ୍କାସନ ହୋଇ ନପାରିବା ଯୋଗୁଁ ସୋତି ଗ୍ରାମବାସୀଙ୍କ ଘରେ ପାଣି ପଶିବ । ଏତଦ ବ୍ୟତୀତ ଉକ୍ତ ଠିକାଦାର ଜଣକ ନିର୍ମାଣାଧିନ ପୋଲକୁ ସଂଲଗ୍ନ କରି ଯେଉଁ ଆପ୍ରୋଚ ରୋଡ଼ ନିର୍ମାଣ କରିଛନ୍ତି ତାହା ଉପରେ ସାମନ୍ୟ ବର୍ଷାରେ ବି ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଛାତ୍ରଛାତ୍ରୀ ମାନେ ଉକ୍ତ ରାସ୍ତା ବାଟେ ଯାଇ ନପାରିବା ହେତୁ ବିପଦପୁର୍ଣ ଭାବେ ଜାତୀୟ ରାଜପଥ ବାଟେ ଯାଉଛନ୍ତି । ତେବେ କାର୍ଯ୍ୟ ଅସମ୍ପୂର୍ଣ୍ଣ କରି ଠିକାଦାର ଜଣକ ଛୁ ମାରିଥିବା ବେଳେ ଉକ୍ତ ପୋଲ ନିର୍ମାଣ ସଂପୁର୍ଣ ହେବ କି ନାହିଁ ତାହା ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏହାକୁ ନେଇ ସୋତି ଗ୍ରାମବାସୀଙ୍କ ତରଫରୁ ଦେବୀଦତ ମହାପାତ୍ର ,ସତ୍ୟବ୍ରତ ମହାପାତ୍ର ଓ ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କ ସମେତ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ମାଝୀ, ଲକ୍ଷ୍ମୀଧର କରଣ, ପ୍ରଦୀପ କୁମାର ଖଣ୍ଡାଇ, ବିରଞ୍ଚି ନାରାୟଣ ମହାପାତ୍ର,କୁଳମଣୀ ସାଇଁ,କୀର୍ତ୍ତନ ମହାପାତ୍ର , ରମାକାନ୍ତ ବେହେରା, ବିପିନ ବିହାରୀ ବିଶ୍ୱାଳ, ଦୀପ୍ତିରଞ୍ଜନ ମହାପାତ୍ର, ମଧୁସୁଦନ ମହାପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ଚଳିତ ମାସ ୧୦ ତାରିଖରେ କୋରାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଲିଖିତ ଭାବେ ଅଭିଯୋଗ ଉପସ୍ଥାପନ କରିଥିଲେ ଏବଂ ଜିଲ୍ଲାପାଳ ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନୋବୁ ସମ୍ପୃକ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଗ୍ରାମବାସୀଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଛି । ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *