ରଥଯାତ୍ରାରେ ସାମ୍ୱାଦିକଙ୍କୁ ଡାକି ଦୁର୍ବ୍ୟବହାରର ଅଭିଯୋଗ ଆସିଛି। କର୍ଡନ ପାସ୍ ଥାଇ ବି ପୁଲିସ ଛାଡ଼ିଲାନି। ଏହାକୁ କେନ୍ଦ୍ର କରି ପୁଲିସ ଓ ସାମ୍ୱାଦିକଙ୍କ ଭିତରେ ଯୁକ୍ତିତର୍କରୁ ପୁଲିସ ଆକ୍ରମଣ କରିଥିବାର ଗୁରୁତର ଅଭିଯୋଗ ହୋଇଛି। ପୁଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ୍ୱ ସାମ୍ୱାଦିକ ଆହତ ହୋଇଛନ୍ତି। ଜଣେ ମହିଳା ସାମ୍ୱାଦିକଙ୍କ ହାତରେ ୨୦ଟି ଷ୍ଟିଜ୍ ପଡ଼ିଛି। ଘଟଣାସ୍ଥଳରେ ପୁଲିସ ଠେଲାପେଲା କରିବାରୁ ସାମ୍ୱାଦିକ ରମେଶ ମହାନ୍ତି, ପ୍ରଭୂକଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ ମହାନ୍ତି, ସନତ ମିଶ୍ର, ଗିରିଧାରି ଲାଲ ଷଡ଼ଙ୍ଗୀ ଓ ହରପ୍ରସାଦ ଦାସ ପ୍ରମୁଖ ଆହତ ହୋଇଛନ୍ତି। ସାମ୍ୱାଦିକା ବିଜୟେତା ତ୍ରିପାଠୀଙ୍କ ହାତରେ ବି ଗଭୀର କ୍ଷତ ସୃଷ୍ଟି ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ୱାଦିକଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ସକାଳ ୮ରୁ ଜୟଦେବ ଭବନରୁ ବାହାରି ଓଟିଡିସି ବସରେ ୫୨ଜଣ ସାମ୍ୱାଦିକ ପୁରୀ ବାହାରିଥିଲେ। ସମସ୍ତ ସାମ୍ୱାଦିକ ମୋଚି ସାହି ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପହଞ୍ଚିିଥିଲେ। କର୍ଡନ ପାସ ସହ ସାମ୍ୱାଦିକ ପରିଚୟପତ୍ର ଦେଖାଇଥିଲେ ବି ପୁଲିସ ଛାଡ଼ିନଥିଲା। ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ୱାଦିକ ସଂଘ।

Naxatra News is now on Whatsapp
Join and get latest news update delivered to you via whatsapp
Join Now