କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

Spread the love

କନ୍ଧମାଳ : କେନ୍ଦ୍ରଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତିନିଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବାକୁ କନ୍ଧମାଳ ଗସ୍ତରେ ଆସିଛନ୍ତି ।ଏହି ଅବସରରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜିଲାର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । କନ୍ଧମାଳକୁ ବ୍ରହ୍ମପୁର ସମ୍ବଲପୁର ରେଳ ସଂଯୋଗ, ଫୁଲବାଣୀ ସହରକୁ ମେଗା ଜଳପ୍ରକଳ୍ପ ସଂଯୋଗ, ବରିଷ୍ଠ ନାଗରିକଙ୍କୁ ରେଳ ପାସ୍ ପ୍ରଦାନ, ଜିଲ୍ଲାରେ ରୋହିଙ୍ଗିଆମାନଙ୍କୁ ଚିହ୍ନଟ ଓ ତାର ପ୍ରତିକାର, ବରିଷ୍ଠ ନାଗରିକଙ୍କ ଅବସରର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଅନୁଦାନ, ପର୍ଯ୍ୟର୍ଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ, ଏକ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ କେନ୍ଦ୍ରୀୟ ଅନୁଦାନରେ ନଦୀପଠା ଉନ୍ନୟନ ଓ ନଦୀଗୁଡିକରେ କ୍ରମାନ୍ୱୟରେ ବ୍ୟାରେଜ ନିର୍ମାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରୀ ମହୋଦୟ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଥିଲେ । ଜିଲ୍ଲାର ଆବଶ୍ୟକତା ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଏହି ଅବସରରେ ଜିଲା ବରିଷ୍ଠ ନାଗରିକ ସଂଘର ସଂମ୍ପାଦକ ପ୍ରଣବ ମଣ୍ଡଳ, ଉପଦେଷ୍ଟା ନବୀନ କିଶୋର ପଣ୍ଡା, ଅଶୋକ ପରିଡା, ବଂଶୀଧର ପଣ୍ଡା ରାଜ କିଶୋର ପାଢ଼ୀ, ପିତାମ୍ବର ମିଶ୍ର, ଜଗନ୍ନାଥ ସାହୁ, ପରେଶ ମହାପାତ୍ର ଓ ରମେଶ ମହାନ୍ତି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ସମସ୍ୟା ସମ୍ପର୍କରେ ନାଗରିକ କମିଟି ସହ ସୌଜନ୍ୟ ମୂଳକ ଆଲୋଚନା କରୁଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *