ମହାକାଳପଡାର କାଂସପାଲ ଫେରିଘାଟ ନିଲାମ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବଉଳକଣି ପଞ୍ଚାୟତ ଅଧିନ କାଂସପାଲ ଫେରିଘାଟ ନିଲାମ କରାଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଘାଟ ନିଲାମରୁ ପଞ୍ଚାୟତର ସର୍ବାଧିକ ଆୟ ଆସିଥାଏ । ମାତ୍ର ବର୍ତ୍ତମାନର ସରପଞ୍ଚ ଓ ଅନ୍ୟ କେତେଜଣ ନେର୍ଥସ୍ୱାର୍ଥ ବ୍ୟକ୍ତି ଏହି ଘାଟର ନିଲାମକୁ ଚତୁରତାର ସହ ଏଡାଇ ଚାଲିଥିବାରୁ ପଞ୍ଚାୟତର ଆର୍ଥିକ କ୍ଷତି ଘଟୁଛି । ଆପୋଷ ବୁଝାମଣାରେ ବେସରକାରୀ ଭାବେ ପଞ୍ଚାୟତ କତୃପକ୍ଷ ନିଜ ପାଖରେ ରଖି ବ୍ୟକ୍ତିଗତ ଲାଭ ପାଉଥିବା ବେଳେ ସ୍ଥାନୀୟ ଲୋକେ ଚଢା ଦର ରେ ମାହାସୁଲ ଦେଇ ଆର୍ଥିକ ଶୋଷଣର ସମ୍ମୁଖୀନ ହେଉଛନ୍ତି । ବ୍ଲକ ତରଫରୁ ଶହ ଶହ ଥର ନିଲାମ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ଟାଳଟୁଳ ନୀତି ପାଇଁ ଏହା ବାତିଲ ହୋଇଯାଉଛି । କାଂସପାଲ ଫେରିଘାଟ ବଙ୍ଗୋପସାଗର କୂଳରୁ ମାତ୍ର କେଇ କିଲୋମିଟର  ବ୍ୟବଧାନରେ ୩ଟି ନଦୀମୁହାଣରେ ଅବସ୍ଥିତ । ବର୍ତ୍ତମାନ ଅନଭିଜ୍ଞ ଡଙ୍ଗା ଚାଳକଙ୍କ ଦ୍ୱାରା ସ୍ଥାନୀୟ ଜନ ସାଧାରଣ ପାରି ହେଉଥିବା ବେଳେ ବଡ ଧରଣର ଦୁର୍ଘଟଣାର ଆଶଙ୍କା ଦେଖା ଦେଇଛି । ଧନ ଜୀବନର ସୁରକ୍ଷା ଓ ପଞ୍ଚାୟତର ରାଜସ୍ୱ ଆଦାୟ ପାଇଁ ଏହି ଫେରିଘାଟକୁ ସରକାରଙ୍କ ପକ୍ଷରୁ ନିଲାମ କରାଯିବାକୁ ରମେଶ ଚନ୍ଦ୍ର ମଲିକ, ବାପି ବସନ୍ତ, ପ୍ରିୟ ରଞ୍ଜନ, ବାଦଲ ରାଉତ, କାର୍ତକ ମଣ୍ଡଳ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।                                                       

Leave a Reply

Your email address will not be published. Required fields are marked *