କଂଗ୍ରେସ ପକ୍ଷରୁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା : ରାଜ୍ୟ ସରକାରଙ୍କ ଦୁର୍ନିତି ଓ ଭ୍ରଷ୍ଟାଚାର ସହ ଦୀର୍ଘ ବର୍ଷ ଧରି ବିକାଶ ଠାରୁ ଦୂରେଇ ରହିଥିବା ଅବହେଳିତ ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଡେରାବିଶ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପାଟକୁରା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ରତିକାନ୍ତ କାନୁନ୍ଗୋ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଚରଣ ପାତ୍ର, ରଘୁନାଥ ଶତପଥି, ଜୟଦେବ ପରିଡ଼ା, ବିଦୁଭୂଷଣ ମହାପାତ୍ର, ସୁଖଦାନନ୍ଦ ପ୍ରଧାନ ଓ ରାଜୀବ ଲୋଚନ ମିଶ୍ର ପ୍ରମୁଖ ଏହି ପ୍ରତିବାଦ ସଭାରେ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ନାମରେ ଚାଲିଥିବା ଜନମାରଣ ନୀତିକୁ ସମାଲୋଚନା କରିଥିଲେ । ଏଥିସହିତ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଓ ଗରଦପୁର ବ୍ଲକରେ ଚାଲିଥିବା ଦୁର୍ନିତି ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଦୀର୍ଘ ତିନିବର୍ଷ ପରେ ବର୍ତମାନ ସାଧାରଣ ଲୋକଙ୍କୁ ଦିଆଯାଉଥିବା ବାସଗୃହ ଓ ରାଶନ ସାମଗ୍ରୀ ବଣ୍ଟନରେ ଘୋଟାଲା ଓ ଉନ୍ନୟନ କାର୍ଯ୍ୟ ନାଁରେ ଶାସକ ଦଳର କର୍ମୀଙ୍କଦ୍ୱାରା ସରକାରୀ ଅର୍ଥ ଲୁଟ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ଶସକ୍ତିକରଣ ଯୋଜନା ସମ୍ପୂର୍ଣ୍ଣ ବାଟବଣା ହୋଇଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ଡେରାବିଶ ଓ ଗରଦପୁର ବ୍ଳକ ଅଞ୍ଚଳରେ । ମିଶନଶକ୍ତି ମାଧ୍ୟମରେ ମହିଳାଙ୍କୁ ଶୋଷଣ କରାଯାଉଥିବା ଏବଂ ମିଶନ ଶକ୍ତି ବିଭାଗ ଏହି ଉଭୟ ବ୍ଲକରେ ଦୁର୍ନିତିର ଗନ୍ତାଘର ପାଲଟିଥିବା ନେତୃମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ । ଏ ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ନେତୃମଣ୍ଡଳୀ ଦାବି କରିଥିଲେ ।

ଏହି ପ୍ରତିବାଦ ସଭାରେ ରଶ୍ମିରଞ୍ଜନ ପଣ୍ଡା, ଅଶୋକ କୁମାର ଜେନା, କୈଳାସ ଚନ୍ଦ୍ର କର, ସୁଧିର ରାଉତ, ଚିତରଞ୍ଜନ ରାଉତ, ଲକ୍ଷ୍ମିପ୍ରିୟା ନାଥ, ବାସନ୍ତୀ ପରିଡ଼ା, ସବିତା ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ନିଜର ବକ୍ତବ୍ୟ ରଖିଥିଲେ । ତେବେ ଆଜି ପୂର୍ବାହ୍ନରେ ଚାଟରାଚକଡ଼ା ପଞ୍ଚାୟତ ମା’ ବାସନ୍ତୀଙ୍କ ପୀଠରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପ୍ରାୟ ୭ କିଲୋମିଟର ବ୍ୟାପୀ ଏକ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଥଲେ । ବିଡ଼ିଓ ଦାସରଥି ଜେନା ଏହି ଦାବିପତ୍ର ଗ୍ରହଣ କରିବାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ଡେରାବିଶ ଥାନା ଏସ୍ଆଇ ବିଜୟ କୁମାର ଖଟୁଆଙ୍କ ସମେତ ବହୁ ପୋଲିସ୍ ଉପସ୍ଥିତ ରହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *