କେନ୍ଦୁଝରରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବାହୁଡାଯାତ୍ରା ସମ୍ପନ୍ନ

Spread the love

କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡାଯାତ୍ରା ବୁଧବାର ଦିନ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । ବାହୁଡାଯାତ୍ରା ଅବସରରେ ସକାଳ ୪ଟାରୁ ଶ୍ରୀଜୀଉମାନଙ୍କର ଅବକାଶ, ଲୁଗାଲାଗି, ଧୂପ,୧୧ଟାରେ ପୁଷ୍ପାଞ୍ଜଳୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀଜୀଉମାନଙ୍କ ପହଁଣ୍ଡି କାର୍ଯ୍ୟ ଆରମ୍ଭ କରାଯାଇଥିଲା । କେନ୍ଦୁଝରର ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜେ ପୁଷ୍ପାଞ୍ଜଳି ଦେବା ପରେ ଘଣ୍ଟଘଣ୍ଟା, ଖୋଳକୀର୍ତ୍ତନ ଓ ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଧାଡି ପହଣ୍ଡି ଯୋଗେ ପ୍ରଥମେ ପ୍ରଭୃ ସୁଦର୍ଶନ ପରେ ବଳଦେବଜୀଉ,ମାତା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ରଥ ଚାରିପଟେ ପ୍ରିଣ କରିବାପରେ ରଥାରୃଢ କରାଯାଇଥିଲା । ଅପରାହ୍ନରେ ପହଣ୍ଡି ଶେଷ ହେବା ସହିତ ଚାରମାଳ ଫିଟାଯାଇ ପ୍ରଭୂଙ୍କୁ ବେଶ କରାଯାଇଥିଲା । ରଥ ଉପରେ ଚକାଭିଡା କାର୍ଯ୍ୟକ୍ରମ ଶେଷ ହେବାପରେ ଛେରା ପହଁରା କାର୍ଯ୍ୟ ଶେଷ ହୋଇଥିଲା । ଅପରାହ୍ନ ୪.୫୦ରେ ରଥଟଣା ଆରମ୍ଭ ହୋଇ ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗନୀତି ପାଇଁ ଅଟକି ରହିଥିଲା । ସେହିପରି ବଡଦାଣ୍ଡ ମଧ୍ୟସ୍ଥଳରେ ଶ୍ରୀଜୀଉମାନଙ୍କୁ ପୋଡପିଠା ଲାଗି କରାଯିବା ପରେ ରଥଟଣା ପୁନଶ୍ଚ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟକୁ ଯାଇଥିଲା । ତେବେ ବାହୁଡାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡଦେଉଳକୁ ରାସ୍ତା ଗଡାଣିଆ ଥିବାରୁ ରଥକୁ ଶୃଙ୍ଖଳିତ ଭାବରେ ଟାଣିବା ପାଇଁ ପୋଲିସ,ସ୍ୱେଚ୍ଛାସେବୀ,ସେବାୟତ ଓ ରଥ ମହାରଣାମାନଙ୍କୁ ବେଶ ସତର୍କତା ଅବଲମ୍ବନ କରିବାକୁ ପଡିଥିଲା । ରଥ ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ସଂନ୍ଧ୍ୟା ୬.୪୦ଟାରେ ବଳଦେବଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚି ଥିବାବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଏସ୍ ପି ନିତିନ ଖୁଶଲକର,ଡିଏଫଓ ଧନରାଜ ଏଚଡି, ସୁଚନା ଲୋକସମ୍ପର୍କ ବିଭାଗର ଉପନିେର୍ଦ୍ଧେଶକ ସଞିବ କୁମାର ବାରିକ, ଅତିରିକ୍ତ ଜିଲ୍ଲାପାଳ ସୁସମା ବିଲୁଗଂ ଓ ଯଦୁମଣି ମହାଲା, ଅତିରିକ୍ତ ଏସ୍ ପି ବିରଞ୍ଚି ପ୍ରସାଦ ଦେହୁରୀ, ଆଟକୋ କୁଜୁର ,ଏସ୍ ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ଟାଉନ ଥାନା ଅଧିକାରୀ ସୁନିଲ କୁମାର କର,ଆର ଆଇ ବିମଳ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନର ବରିଷ୍ଠ ପ୍ରଶାସକମାନଙ୍କ ଉପସ୍ଥିତିରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏମାନଙ୍କ ବ୍ୟତୀତ ରଥଟଣା ସମୟରେ ରିୀତି ନୀତି ତତ୍ତ୍ୱାବଧାରକ ବଡପଣ୍ଡା ରାଜକିଶୋର ପଣ୍ଡା, ରାଜପୁରୋହିତ ପ୍ରଶନ୍ନ କୁମାର ନନ୍ଦ, ବ୍ରହ୍ମା ଗଗସଂଧର ମିଶ୍ର, ଦେବୋତ୍ତର ସୁପର ଭାଇଜର ପଞ୍ଚାନନ ସାହୁ, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ , ସାମ୍ବାଦିକ, ବୁଦ୍ଧିଜୀବୀ, ସେବାୟତ ଓ ପୂଜାପଣ୍ଡାମାନେ ବାହୁଡାଯାତ୍ରା ସୁପରିଚାଳନାରେ ସହାୟତା କରିଥିଲେ । ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ, ଡେପୁଟି କଲେକ୍ଟର ପ୍ରଭୁକଲ୍ୟାଣ ଦାଶ, ଆଶିଷ୍ଟାଣ୍ଟ କଲେକ୍ଟର ରଶ୍ମିତା ସ୍ୱାଇଁ, ଡେପୁଟି କଲେକ୍ଟର ସୁରଞିକା ବେହେରା, ହସିଲଦାର ଆଶିଷ ମହାପାତ୍ର, ଆଶିଷ୍ଠାଣ୍ଟ କଲେକ୍ଟର ସଞ୍ଜୀବ ରାୟ ପ୍ରମୁଖ ମାଜିଷ୍ଟ୍ରେଟ ଦାଇତ୍ୱ ନିର୍ବାହ କରିଥିଲେ । ସେପଟେ ଘୁଙ୍ଗୁରୁ କ୍ଲବ ମଞ୍ଚରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ଇଲେଭେନ୍ ବୁଲେଟ୍ କ୍ଲବ ମଣ୍ଡପରେ ଭକ୍ତମାନଙ୍କୁ ମାଗଣା ପ୍ରସାଦ ବିତରଣ କରାଯାଇଥିବାବେଳେ ବଳଦେବଜୀଉ ମନ୍ଦିର ନିକଟରେ ଦହିପାଣି ବଣ୍ଟନ କରାଯାଇଥିଲା । ଏହି ବାହୁଡାଯାତ୍ରାକୁ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ଏସ୍ପିକଂ ନେତୃତ୍ୱରେ ୨ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତିନିଜଣ ଡିଏସ୍ପି,ଜଣେ ଡେପୁଟି କମାଣ୍ଡାଣ୍ଟ, ୨ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ,୩ଜଣ ଇନ୍ସପେକ୍ଟର,୩୫ଜଣ ଏସ୍ଆଇ ଏବଂ ଏଏସ୍ଆଇ, ୧୬ ପ୍ଲାଟୁନ୍ ଓଡିଶା ସଶସ୍ତ୍ର ପୋଲିସ ଫୋର୍ସ, ହୋମଗାର୍ଡ ବାହିନୀ ମୁତୟନ ହୋଇଥିଲେ । ଏଥିସହ ରଥଯାତ୍ରା ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ ପାଇଁ କେନ୍ଦୁଝର ସହର, ପୁରୁଣା ସହର, ବଡଦାଣ୍ଡ ଅଞ୍ଚଳ ସମେତ ବିଭିନ୍ନ ଛକଗୁଡିକରେ ପୋଲିସ ନିୟୋଜିତ ହୋଇଥିଲେ । ଅନ୍ୟପକ୍ଷରେ ଗୁରୁବାର ଦିନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *