କେନ୍ଦୁଝରରେ ଭର୍ଚୁଆଲ ଷ୍ଟୁଡିଓ ଉଦ୍ଘାଟନ କଲେ ଜିଲ୍ଲାପାଳ: ଆମ ପ୍ରେରଣା କାର୍ଯ୍ୟକ୍ରମରେ ସାମିଲ ହେଲେ ୪୩୦ ସ୍କୁଲର ଛାତ୍ରଛାତ୍ରୀ

Spread the love

କେନ୍ଦୁଝର : କେନ୍ଦୁଝର ସହର ସ୍ଥିତ ଜନ ଜାତି ସାଧନା କେନ୍ଦ୍ର (ଟିଆରସି) ଠାରେ ମଙ୍ଗଳବାର ଦିନ ଏକ ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ରାଜ୍ୟ ସରକାରଙ୍କର ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟୁଡିଓଟି ଜିଲ୍ଲାର ଫାଇଭ-ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଭିନ୍ନ ହାଇସ୍କୁଲ ସହିତ ସିଧା ସମ୍ପର୍କ ଯୋଡିବାରେ ସହାୟକ ହେବ । ଆଜି ଏହାର ଉଦ୍ଘାଟନ ସଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ – ଆମ ପ୍ରେରଣାର- ଶୁଭାରମ୍ଭ ହୋଇଛି । ଏହି ଉଦ୍ଘାଟନି ଉତ୍ସବରେ ମୁମ୍ବାଇସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ର ( ବାର୍କ) ରେ କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିବା ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ କଣ୍ଟାପଦାର କୈବଲ୍ୟ ସାହୁ ଯୋଗ ଦେଇ ୪୩୦ଟି ହାଇସ୍କୁଲର ଛାତ୍ର ଛାତ୍ରୀଙ୍କୁ ଭର୍ଚୁଆଲ ଯୋଗେ ନଜର ପ୍ରେରଣାଦାୟୀ ଯାତ୍ରା ଓ ସଫଳତାର କାହାଣୀ ସମ୍ପର୍କରେ ବଖାଣିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଠାକରେ ଉପସ୍ଥିତ ରହି କୈବଲ୍ୟଙ୍କ ସହ ପରିଚିତ କରାଇବା ସଙ୍ଗକୁ ତାଙ୍କର ସଫଳତା ସମଗ୍ର ଜିଲ୍ଲା ପାଇିଁ ଗୌରବ କଥା ବୋଲି ଉଲ୍ଲେଖ କରିଥିଲେ । ଦୀର୍ଘ ୪୫ ମିନିଟ ଧରି ଚାଲିଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କୈବଲ୍ୟ ତାଙ୍କର ସଘଂର୍ଷରୁ ଆରମ୍ଭ କରି ସଫଳତା ଯାଏ ଜୀବନର ବିଭିନ୍ନ ବିନ୍ଦୁ ଉପସ୍ଥାପିତ କରିବା ସହ ସମସ୍ତ ଛାତ୍ର ଛାତ୍ରୀ କିପରି ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଜୀବନର ସଫଳତା ଦିଗରେ ଅଗ୍ରସର ହୋଇପାରିବେ ସେ ଦିଗରେ କେତେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ

। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ କୈବଲ୍ୟଙ୍କୁ ପାଠପଢା ଓ କ୍ୟାରିୟର ସମ୍ପର୍କରେ ପ୍ରଶ୍ନ ପଚାରିଥିବା ବେଳେ ସେ ମଧ୍ୟ ସମସ୍ତଙ୍କୁ ଯଥାଚିତ ଉତର ଦେଇଥିଲେ । ଏଥିସହ ଜରୁରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲାପଟପ୍ ପ୍ରଦାନ କରାଯାଇଥିବା ହେତୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ ।

ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଭଳି ସଫଳ ବ୍ୟକ୍ତି ବିଶେଷ ମାନଙ୍କୁ ଆମନ୍ତ୍ରଣ କରାଯାଇ ଆମ ପ୍ରେରଣା କାର୍ଯ୍ୟକ୍ରମ ନିୟମତ ଭାବେ ଜାରି ରହିବ ବୋଲି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *