ମଦ ମୁକ୍ତ ଗ୍ରାମ ପାଇଁ ଜନ ଶୁଣାଣିରେ ଦାବି କଲେ ଧୋରଡ଼ିଆମ୍ବ ଗ୍ରାମର ଶତାଧିକ ମହିଳା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୋରଡ଼ିଆମ୍ବ ଗ୍ରାମପଂଚାୟତ ଜାମୁଦା ଗ୍ରାମକୁ ମଦ ମୁକ୍ତ ପାଇଁ ଅଂଟା ଭିଡିଛନ୍ତି ଶତାଧିକ ମହିଳା । ଗାଁରେ ମଦ ବିକ୍ରିକୁ ରୋକିବା ନିମନ୍ତେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣିରେ ଜାମୁଦା, ଧୋରଡ଼ିଆମ୍ବ, ବାଲିସାହି, କାଟେସାହି, ବଡ଼ଖମଣ, କମଳାବାହାଳି, ନୂଆଁସାହି, ନାଏକସାହି ଆଦି ସାହିର ଶତାଧିକ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନ ନିକଟରେ ନିଜର ଦୁଃଖ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଜାମୁଦା ଗ୍ରାମର ବିଭିନ୍ନ ଛକ ଗୁଡ଼ିକରେ ଥିବା କେତେକ ନିର୍ଦ୍ଦିଷ୍ଟ ଗ୍ରୋସରୀ ଦୋକାନରେ ଖୋଲମ ଖୋଲା ଦିନ ରାତି ସବୁ ସମୟରେ ବିଦେଶୀ ସହ ଦେଶୀ ମଦ ବିକ୍ରି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ମଦ ବିକ୍ରି ସାଙ୍ଗକୁ ଜୁଆଡିମାନଙ୍କ ଚରା ଭୂଇଁ ପାଲଟିଛି ଧୋରଡିଆମ୍ବ ପଂଚାୟତ । ବାହାଘର, ଏକୋଇସିଆ, ହାଟ, ବଜାର ସବୁଠି ଜୁଆ ଖେଳ ହେଉଥିବା ବେଳେ ମଦ ଖୋଲା ଖୋଲି ବିକ୍ରି ହେଉଛି । ଅନ୍ୟପଟେ ସନ୍ଧ୍ୟା ହେଲେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଗାଁ । ତେବେ ଏସବୁ ବିଶୃଙ୍ଖଳା ନେଇ ଗାଁର ମହିଳା ମାନେ ବାରମ୍ବାର ବିରୋଧ କରି ମଦ ବିକ୍ରି ବନ୍ଦ କରିବାକୁ କହିଲେ ମଧ୍ୟ ମଦ ବିକ୍ରେତା ଓ ଜୁଆଡିମାନେ କେହି କର୍ଣ୍ଣପାତ କରୁନଥିବା ମହିଳାମାନେ ମତ ପ୍ରକାଶ କରିଛନ୍ତି । ବିଭିନ୍ନ ସମୟରେ ପୁରୁଷ ଓ ଯୁବକମାନେ ମଦ୍ୟପାନ କରି ପାରିବାରିକ ବିଶୃଙ୍ଖଳାର କାରଣ ସାଜିଛନ୍ତି । ପରିବାର ଭିତରେ ଅଶାନ୍ତି ସୃଷ୍ଟି କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହେବାର ମୁଖ୍ୟ କାରଣ ମଦ ବୋଲି ମହିଳା ମାନେ ମତବ୍ୟକ୍ତ କରିଛନ୍ତି । ବାରମ୍ବାର ଗାଁରେ ବିଶୃଙ୍ଖଳା ଦେଖା ଯାଉଥିବାରୁ ମହିଳାମାନେ ବାଧ୍ୟ ହୋଇ ବ୍ଲକ ସ୍ତରୀୟ ଜନ ଶୁଣାଣିରେ ଜିଲ୍ଲା ପ୍ରଶାସନକୁ ଜଣାଇଥିବା କହିଛନ୍ତି । ମଦୁଆ ମାନେ ରାସ୍ତା ଉପରେ ମଦ୍ୟପାନ କରି ଅଶ୍ଳୀଳ ଭାଷା ପ୍ରୟୋଗ ଓ ଖରାପ ଇଙ୍ଗିତ କରୁଥିବା ବେଳେ ମହିଳାମାନେ ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି । ଏହା ସହିତ ଗ୍ରାମର କୋମଳମତି ବାଳକ ଓ ବାଳିକା ଉପରେ ଏହାର କୁପ୍ରଭାବ ପଡ଼ୁଥିବା ପ୍ରକାଶ କରିଛନ୍ତି । ମଦ ବେପାରୀ ଓ ଯୁଆଡ଼ିଙ୍କ ଉପରେ ରୋକ ଲଗାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଗ୍ରାମକୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ଗ୍ରାମର କୁମୁଦିନୀ କିଶାନ, ଯମୁନା ନାଏକ, ଜୟନ୍ତୀ କିଶାନ, ବାସନ୍ତୀ କିଶାନ, ଗିତାଞ୍ଜଳି କିଶାନ, ପଦ୍ମିନୀ ଖଣ୍ଡା, ବବିତା ନାଏକ, ରଜନୀ କିଶାନ, ଗୀତା କିଶାନଙ୍କ ସମେତ ୭ଟି ସାହିର ମହିଳାମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *