୭୨ଘଣ୍ଟା ପରେ ବି ଓମ୍ ପ୍ରକାଶ ନିଖୋଜ : ଖୋଜୁଛି ଅଣ୍ଡରୱାଟର ରୋବର୍ଟ କ୍ୟାମେରା

କାଳ ହୋଇଗଲା ରିଲ୍ସ କରିବା ନିଶା। ସାଙ୍ଗକୁ ବଞ୍ଚାଇବାକୁ ଯାଇ ନିଖୋଜ ହୋଇଗଲେ ଯୁବକ। ରିଲ୍ସ ନିଶାରେ ମୃତ୍ୟକୁ ନିମନ୍ତ୍ରଣ କରୁଛନ୍ତି ଯୁବଗୋଷ୍ଠୀ । ମିନି ଲଦାଖ ପାଲଟିଛି ମୃତ୍ୟୁର ଦ୍ଵାର। ୭୨ ଘଣ୍ଟା ପରେ ବି ମିଳୁନି ଓମ୍ ପ୍ରକାଶଙ୍କ ପତ୍ତା । ୩୦୦ ଫୁଟ ପାଣିରେ ଖୋଜୁଛି ଅଣ୍ଡର ୱାଟର ରୋବଟ କ୍ୟାମେରା। ଗତ ୮ତାରିଖ ଦିନ ଛାତ୍ର ଓମ୍ ବୁଡିଯିବା ଘଟଣାକୁ ଚାରିଦିନ ହେଲାଣି। ତଥାବି ଓମ୍ ପ୍ରକାଶର କିଛି ଖୋଜ ଖବର ମିଳିଲା ନାହିଁ। ଏନଡିଆରଏଫ୍ ଟିମ୍ ସାଙ୍ଗକୁ ଅଗ୍ନିଶମ ବାହିନୀ, ନାଭି ଡାଇଭିଂ ଟିମ୍, ଓଡ୍ରାଫ୍ଟ ଟିମ୍ ଏଵଂ ରାଉରକେଲା ଏନ୍ଆଇଟି ଟିମ୍ ର ପ୍ରାୟ ୪୫ ଜଣ ଓମ୍ ପ୍ରକାଶଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି । ସମସ୍ତ ବୈଷୟିକ ଜ୍ଞାନ କୌଶଳକୁ ଲଗାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍.ଡି.ପି.ଓ ଏବଂ ତହସିଲଦାରଙ୍କ ସହିତ ସଦର ଥାନା ପୋଲିସ ଟିମ୍ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଓ ଛାତ୍ରର ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ର ଉଦ୍ଧାର ପାଇଁ ଦରକାର ପଡିଲେ ବାହାର ରାଜ୍ୟର ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି।

ସେପଟେ ଓମ୍ ପ୍ରକାଶଙ୍କ ନିଖୋଜକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଓମ୍ ଙ୍କ ନିଖୋଜ ପଛରେ ଆଉ କିଛି ରହସ୍ୟ ରହିଛି ବୋଲି କହିଛନ୍ତି ତାଙ୍କ ମାମୁଁ। ତେବେ ଘଟଣା ଯାହାବି ହେଇଥାଉ ନା କାହିଁ ଓମ୍ ପ୍ରକାଶଙ୍କ ମିଳିବା ଏବେ ସମସ୍ତଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜ ହୋଇପଡିଛି। ବିପଦସଙ୍କୁଳ ସ୍ଥାନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ଠାରୁ ଏଠାକୁ ଯାତାୟତ ଲାଗି କଟକଣା ଜାରି କରିଥିଲା ଏଵଂ ଅମାନିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା ମଧ୍ୟ କରିଥିଲା। ହେଲେ ଏଠାକୁ ଆସୁଥିବା ଅମାନିଆ ଯୁବଗୋଷ୍ଠୀଙ୍କୁ ଅଟକାଇବାକୁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ ନଥିବା ନେଇ ଏବେ ପ୍ରଶ୍ନ ଉଠିଛି ।

ଖୋର୍ଦ୍ଧାରୁ ପ୍ରକାଶ ହାତୀଙ୍କ ରିପୋର୍ଟ।…..

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *