ଟ୍ରେନରୁ ଖସି ପଡି ଯୁବକଙ୍କ ମୃତ୍ୟୁ

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ନିକଟରୁ ଗତକାଲି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ଯୁବକ ଜଣକ ହେଲେ ବାଣପୁର ଅଂଚଳର ଗଗନ ଆଚାର୍ଯ୍ୟଙ୍କ ପୁଅ ଅସିତ ଆଚାର୍ଯ୍ୟ (୨୦) । ସୋଲରି ସବ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିଲା । ଏ ନେଇ ରାତିରେ ବାଲୁଗାଁ ଆରପିଏଫ ସୂଚନା ପାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବାଣପୁର ମେଡିକାଲ ପଠାଇଦେଇଥିବା ଜଣାପଡିଛି ।

ତେବେ ପ୍ରାଥମିକ ତଦନ୍ତରୁ ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି । ଏ ନେଇ ଜିଆରପି କେସ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି ।

ପ୍ରକାଶ ଥାଉ କି ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ । ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ପଢ଼ା ସାରି ଦିଲ୍ଲୀରେ ଚାକିରୀ କରିଥିଲେ । କିନ୍ତୁ ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଗାଁକୁ ଆସିଥିଲେ । ସେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଯାଉଥିଲେ ବୋଲି ଜଣାପଡିଛି । ହେଲେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଅସିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଣପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *