୩୭ ବର୍ଷ ଧରି ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ

Spread the love

ସୁବର୍ଣ୍ଣପୁର: ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ଆଜକୁ ୩୭ ବର୍ଷ ବିତିଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ହେବାର ନାଁ ଧରୁନି । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୋଗ କରିବା ପାଇଁ ତଥା ଆଂଚଳିକ ବୈଷମ୍ୟ ଦୂର କରିବା ପାଇଁ ଏହି ପ୍ରକଳ୍ପ ଏକ ମାଇଲ ଖୁଂଟ ଭାବରେ କାମ କରିବ। ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ଶେଷ ହେବା ନେଇ ସରକାରୀ ଘୋଷଣାନାମା ଉପରେ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପ୍ରକଳ୍ପକୁ ୩୭ ବର୍ଷ ବିତି ଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ହେବାର ନାଁ ଧରୁନି। ସରକାରୀ ସ୍ତରରେ ୨୦୨୩ ସୁଦ୍ଧା କାମ ଶେଷ ହେବାକୁ ଥିବାବେଳେ ଏହାର ବାସ୍ତବରୂପ କିନ୍ତୁ ଭିନ୍ନ। ଆଜକୁ ପ୍ରାୟ ୭୪ ବର୍ଷ ତଳେ ୧୯୪୫ ମସିହାରେ ଏହି ପ୍ରକଳ୍ପ ଟିକୁ ବ୍ରିଟିଶ ସରକାର ପରିକଳ୍ପନା କରିଥିଲେ। ଏହି ପ୍ରକଳ୍ପ ଓଡିଶାର ଜୀବନ ରେଖା ପାଲଟିବ ବୋଲି ହୃଦୟଙ୍ଗମ କରିଥିଲେ । ୨୯୮ କିମି ବିଶିଷ୍ଟ ଏହି ରେଳ ପଥ ନିର୍ମାଣ ପାଇଁ ୧୯୮୪ ମସିହାରୁ ସର୍ଭେ ଆରମ୍ଭ ହୋଇଥିଲା । ତେବେ ଇତି ମଧ୍ୟରେ ୩୭ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାର ନାଁ ଧରୁନାହିଁ । ଖୋର୍ଦ୍ଧାରୁ ବୋଲଗଡ  ଓ ବଲାଙ୍ଗିରରୁ ବିଚ୍ଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ପର୍ଯ୍ୟନ୍ତ ଟ୍ରାଏଲ ରନ ମଧ୍ୟ ସରିଛି। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ଆହୁରି ଦ୍ରୁତଗତିରେ ତ୍ୱରାନ୍ୱିତ କରାଯିବା ସହିତ ଟ୍ରାଏଲ ରନ ହୋଇଥିବା ଅଞ୍ଚଳରେ ଟ୍ରେନ ଚଳାଚଳ ପାଇଁ ଜନସାଧାରଣରେ ଦାବି ହେଉଛି ।

୨୯୮ କିମିର ଏହି ପ୍ରକଳ୍ପରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ଲୋକେ ଉପକୃତ ହେବେ। ତେବେ ଖୋର୍ଦ୍ଧାରୁ ବୋଲଗଡ ପ୍ରାୟ ୧୦୦ କିମି ପର୍ଯ୍ୟନ୍ତ ପ୍ରକଳ୍ପ କାମ ସରିଯାଇଛି  । ଅପରପକ୍ଷେ ବଲାଙ୍ଗିରରୁ ମାତ୍ର ୨୭ କିମି ଝାରତରଭା ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ମାତ୍ର ୧୭ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ  ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେବେ ୨୦୨୩ ମସିହା ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଥିବା ବେଳେ  ଏହାର ଅଗ୍ରଗତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିର୍ମାଣ କାର୍ଯ୍ୟ ପାଇଁ ତତ୍ପର ହେଉ ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ।

 ୨୦୨୩ ମସିହା ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗିର ରେଳ ପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଘୋଷଣା ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅହେତୁକ ମନ୍ଥରତା ଯୋଗୁଁ ଏହି ପ୍ରକଳ୍ପ ସଂମ୍ପୁର୍ଣ୍ଣ ହେବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗଣପତି ବାଘଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *