ଚଳଚଞ୍ଚଳ କୁମ୍ଭାରଶାଳା

Spread the love

ନବରଙ୍ଗପୁର: ଯୁଗ ପରିବର୍ତ୍ତନ ହେବା ସହିତ କମୁଛି ମାଟି ଦୀପର ଚାହିଦା । ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ। କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା କମିବାରେ ଲାଗିଛି। କେବଳ ପୂଜାପାର୍ବଣ, ବିବାହ ଓ ବ୍ରତରେ ଖୋଜା ପଡିଥାଏ ମାଟି ତିଆରି ପାତ୍ର। ତେବେ ଚଳିତ ବର୍ଷ ଦୀପାବଳିରେ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି କରିଗର।

ଆସୁଛି ଆଲୋକର ପର୍ବ ଦୀପାବଳି। ଯେଉଁଥି ପାଇଁ ଚଳ ଚଞ୍ଚଳ ହୋଇଠିଛି କୁମ୍ଭାର ଶାଳ। ଚଳିତ ବର୍ଷ ଭଲ ଦି ପଇସା ରୋଜଗାର ଲକ୍ଷ ନେଇ ଦିନ ରାତି ପରିଶ୍ରମ କରି ଭଳି କି ଭଳି ଦୀପ ସହ କୁମ୍ଭ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି କୁମ୍ଭକାର ପରିବାର। ପରିବାରର ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ଦୀପ ଗଢିବାରେ ବ୍ୟସ୍ତ। ସେପଟେ କୁମ୍ଭକାର ପରିବାରର ହାତ ତିଆରି ସାମଗ୍ରୀ ଆଗରେ ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ମେସିନ ତିଆରି ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି । ଅନ୍ୟପଟେ ଦୀପଟିଏ ଗଢ଼ିବା ପାଇଁ କୁମ୍ଭାରକୁ ମାଟି ଠାରୁ ଆରମ୍ଭ କରି ଜାଳେଣି ପର୍ଯ୍ୟନ୍ତ ସବୁ ଜିନିଷ କିଣିବାକୁ ପଡିଥାଏ । କିନ୍ତୁ ସେସବୁର ମୂଲ୍ୟ କୁମ୍ଭାର ମାନଙ୍କୁ ମିଳିପାରୁ ନାହିଁ। । ଯାହା ଫଳରେ ଦୁଃଖ ପ୍ରକାଶ କରିଛନ୍ତି କୁମ୍ଭାର ସମ୍ପ୍ରଦାୟ।

ତେବେ ପ୍ରତ୍ୟେକ ବର୍ଷ ଦୀପାବଳି ଆସିଲେ ଜିଲ୍ଲାର ତଣ୍ଡାଗୁଡା,ଭରଣ୍ଡୀ, ଇନ୍ଦ୍ରାବତୀ,ବେଲଗାଁ, ଚଚା ଆଦି ଗାଁ ରେ ବସବାସ କରୁଥିବା କୁମ୍ଭାରମାନେ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଥାନ୍ତି। କିନ୍ତୁ ଗତ ଦୁଇବର୍ଷ ହେଲା କରୋନା ମହାମାରୀ କାରଣରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହୋଇପାରିନଥିଲା। ଯାହାଫଳରେ କ୍ଷତି ସହିଥିଲେ କୁମ୍ଭକାର ପରିବାର। ତେବେ ଚଳିତ ବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି କାରୀଗର।  

ବର୍ତ୍ତମାନ ସମାଜ ଆଧୁନିକ ଯୁଗର ପ୍ରଭାବରେ  ପ୍ରଭାବିତ ହେଉଥିବା ଯୋଗୁଁ କୁମ୍ଭାରର ମାଟି ତିଆରି ଜିନିଷର ଚାହିଦା କମି କମି ଯାଉଛି ଯାହା ଫଳରେ କୁମ୍ଭକାର ପରିବାରର ଜୀବିକା ପ୍ରଭାବିତ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି।

 ରବିପଟ୍ଟନାୟକଙ୍କ ରିର୍ପୋଟ

Leave a Reply

Your email address will not be published. Required fields are marked *