ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଭଗବାନଙ୍କୁ ପାଖରୁ ପାଇ ଭକ୍ତ ବିଭୋର

Spread the love

ସାଲେପୁର: ଗତକାଲି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପବିତ୍ର ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଓ ଦେବସ୍ନାନ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କୁ ପାଖରୁ ଦେଖି ବିଭୋର ହେବା ସହ ହରିବୋଲ , ହୂଳହୂଳୀରେ ସମଗ୍ର ନେମାଳ ପଦ୍ମବନ ପୀଠ ମୁଖରିତ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ପ୍ରଭାତରୁ ବରିଷ୍ଠ ସେବାୟତମାନେ ଚୁଆ ,ଚନ୍ଦନ, ଅଗୁରୁ, କର୍ପୂର ଆଦି ସୁବାଶିତ ଜଳରେ ପ୍ରଭୁଙ୍କର ସ୍ନାନ ମାର୍ଜନା ସମାପନ କରିବା ପରେ ଚନ୍ଦନ ତୁଳସୀ ଲାଗି କରିଥିଲେ । ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ସହ ମସ୍ତକରେ ସ୍ୱର୍ଣ୍ଣ ଓ ରୂପା ମିଶ୍ରିତ ମୁକୁଟକୁ ଲାଗି କରିଥିଲେ । ପ୍ରଭୁଙ୍କର ଏହି ବଡ ସିଂହାର ବେଶ ପରେ ମଙ୍ଗଳ ଆଳତୀ, ନୀତି ଭୋଗ, ଯଥାରୀତି ଅନୁଷ୍ଠିତ ହୋଇଥିଲା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପହଡ ଖୋଲା ଯାଇ ଭୋଗ କରାଯିବା ଓ ସାଧାରଣରେ ଦର୍ଶନ ମିଳିଥିଲା । ମଧ୍ୟାହ୍ନରେ ବିଭିନ୍ନ ଫଳମୂଳ ସହିତ ପିଠାପଣା ଆଦି ଅଂଚଳବାସୀମାନଙ୍କ ଦ୍ୱାରା ସମର୍ପଣ କରାଯାଇ କୋଠ ଭୋଗ ଅନୁଷ୍ଠିତ ହୋଇଥିଲା । ଏହିସମୟରେ ଇଷ୍ଟଦେବ ଗୋପୀନାଥ ଜୀଉ ସ୍ନାନ ମଣ୍ଡପକୁ ଅଣାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି । ସଂଧ୍ୟାରେ ପ୍ରଭୁଙ୍କ ସଂଧ୍ୟା ଆଳତୀ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୁ ଅଚ୍ୟୁତଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଏହି ଅବସରରେ ପୂର୍ଣ୍ଣତ୍ୱୟା ଚିତ୍ରୋତ୍ପଳାର ଶରଧା ବାଲିରେ ବାଲିମେଳା ମହୋତ୍ସବ ଯଥାରୀତି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଚିତ୍ରୋତ୍ପଳା ବାଲିରେ ବିଭିନ୍ନ ଦେବାଦେବୀଙ୍କର ବାଲୁକା ମୂର୍ତୀ ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହିତ ଭଜନ କୀର୍ତନ ହୋମଯଜ୍ଞ, ମାଳିକାପାଠ ପ୍ରବଚନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଗରମରେ ଭକ୍ତମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଉପଜିଲ୍ଲାପାଳ କମଳଜିତ ଦାସ, ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ କୁମାର ନାୟକ, ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ, କିଶୋରନଗର ତହସିଲଦାର ମଧୁସୂଦନ ନାୟକ, ନିଶ୍ଚିନ୍ତକୋଇଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢୀ, ଅତିରିକ୍ତଏସ୍ଡିପିଓ ବିମଳ ପ୍ରସାଦ ବାରିକ, ନେମାଳ ଥାନା ଅଧିକାରୀ ସୁଶୀଲ କୁମାର ନାୟକ, ଏଏସ୍ଆଇ ଗୌରାଙ୍ଗ ବିଶ୍ୱାଳ ଯୋଗଦେଇସ୍ଥିତି ଅନୁ ଧ୍ୟାନ କରିଥିଲା ବେଳେ ୪ ପ୍ଲାଟୁନରୁ ଉର୍ଦ୍ଧ ପୁଲିସ, ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଉତ୍ସବ ପରିଚାଳନାରେ ବରିଷ୍ଠ ସେବାୟତ ଧରଣୀଧର ପୂଝାରୀ, ଅଜୟ ପୃଷ୍ଟି, ପ୍ରବୀଣ ଦାସ, କେଶବ ଦଳାଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ଅମୀୟ ପ୍ରସାଦ ମହାନ୍ତି, ସେବାୟତ ସଂଘ ସଭାପତି କ୍ଷମାନିଧି ପୂଝାରୀ. ପଞ୍ଚାୟତର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

ଚିତ୍ରୋତ୍ପଳା ଶରଧାବାଲିରେ ପୂଜା ପାଇଲେ ବିଭିନ୍ନ ଦେବାଦେବୀ – ଆଜି ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ପବିତ୍ର ଦେବସ୍ନାନ ଯାତ୍ରା ଅବସରରେ ପୂଣ୍ୟତ୍ୱୟା ଚିତ୍ରୋତ୍ପଳା ନଦୀ ଶରଧା ବାଲିରେ ଶିବ, ପାର୍ବତୀ, ହନୁମାନ, ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରା, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସମେତ ବହୁ ଦେବାଦେବୀଙ୍କ ବାଲୁକା ପ୍ରତିମୂର୍ତୀ ବିଭୋର କରିଥିଲା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଜ୍ଞ, ପାଲା, ଘୋଡାନାଚ, ରାମଲୀଳା, ଭଜନ, କୀର୍ତନ, ମାଳିକା ଚର୍ଚ୍ଚା ଓ ପ୍ରବଚନ କାର୍ଯ୍ୟ ଆଦି ଅନୁଷ୍ଠିତ ହୋଇଥିଲା ।

ସ୍ୱେଚ୍ଛାସେବୀଙ୍କ ଜଳଛତ୍ର ବଂଟନଯୋଗୁ ବହୁ ଶ୍ରଦ୍ଧାଳୁଙ୍କ ଆଶ୍ୱସ୍ତି -ପ୍ରବଳ ଗୁଳୁଗୁଳି ଯୋଗୁ ପବିତ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାଇକ, କାର, ସାଇକେଲ ଓ ପାଦରେ ଚାଲି ଚାଲି ଆସୁଥିବା ଭକ୍ତମାନେ ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳୁ ଯୋଗୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଅପରପକ୍ଷରେ ଚିତ୍ରୋନଦୀନାଳ ଶୁଖିଯାଇଥିବାରୁ ପାଣି ମୁନ୍ଦେ ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଆଉଟୁ ପାଉଟୁ ହେଉଥିଲା ବେଳେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ପୀଠରେ ଥଣ୍ଡାପାନୀୟ ଜଳ ପ୍ରଦାନ କରୁଥିଲା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଥଣ୍ଡାପାଣି ସର୍ବତ ଆଦି ପ୍ରଦାନ କରି ବହୁ ଶ୍ରଦ୍ଧାଳୁଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବାଲିଯାତ୍ରା ପଡିଆରେ ବହୁ ଅବ୍ୟବସ୍ଥା – ବାଲିଯାତ୍ରା ପଡିଆରେ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯଥା ପାନୀୟ ଜଳ, ବିଦ୍ୟୁତ ଯୋଗାଇ ଦିଆଯିବାର ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଶହ ଶହ ବ୍ୟବସାୟୀ ଉପଯୁକ୍ତ ପାଣି ଓ ବିଦ୍ୟୁତ ସେବା ପାଇପାରିନଥିବା ଜଣାପଡିଛି । ଏପରିକି ସ୍ୱେଚ୍ଛାସେବୀମାନେ ଜଳ ବିତରଣ କରୁଥିବା କେନ୍ଦ୍ରରେ ପାଣି ନପାଇ ହତାଶ ହୋଇପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପାଣିର ଅଭାବ ଓ ସ୍ଥାନୀୟ ଚିତ୍ରୋତ୍ପଳା ନଦୀରେ ଟୋପିଏ ପାଣି ନଥିବା ହେତୁ ଲକ୍ଷାଧିକ ଶ୍ରଦ୍ଧା ଅସୁବିଧା ଭୋଗ କରିଥିଲେ ।

ବାଲିଯାତ୍ରାକୁ ସରସ ସୁନ୍ଦର କରିବାକୁ ବିଧାୟକଙ୍କ ତତ୍ପରତା – ଚଳିତ ବର୍ଷ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାଦେବସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ହେଉଥିବା ବାଲିଯାତ୍ରା ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଉଦ୍ୟମ କରି ବାରମ୍ବାର ପୀଠକୁ ଆସି ପ୍ରଶାସନକୁ ନିର୍ଦ୍ଦେଶଦେବା ସହ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ସାଂସ୍କୃତିକ ଦଳଙ୍କୁ କିଭଳି ସେମାନେ ନିଜର କାର୍ଯ୍ୟ କରିପାରିବେ ସେଥିପ୍ରତି ଧ୍ୟାନ ଦେଇଥିବା ଜଣାପଡିଛି । ବିଧାୟକଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *