ମୁଖ୍ୟମନ୍ତ୍ରୀଙ୍କ କାନକୁ ଗଲା ଜମି କିଣା-ବିକା ମାମଲା

 କେତେବେଳେ କଟକଣା କିଛି ସମୟ ପାଇଁ ଉଠିଯାଉଛି ତ ପୁଣି କେତେବେଳେ ଦୀର୍ଘ ସମୟ ଧରି ବଳବତ୍ତର ରହୁଛି। ଏଭଳି ସ୍ଥିତିରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଉଭୟ କ୍ରେତା ଓ ବିକ୍ରେତା। ଏଭଳି ନିଷ୍ପତ୍ତିରୁ ସବ-ରେଜିଷ୍ଟ୍ରାର ଅଫିସକୁ ଆସୁଥିବା କ୍ରେତା ଓ ବିକ୍ରେତାଙ୍କ ବୁଦ୍ଧିବଣା ହୋଇଯାଉଛି। ବିକ୍ରେତା ନିଜ ଜମି ବିକି ନିଜର ଜରୁରୀ ଆବଶ୍ୟକତା ନା ମେଣ୍ଟାଇପାରୁଛି ନା କ୍ରେତା ଜମି କିଣିପାରୁଛି। ଦୀର୍ଘ ଦିନ ହେଲା ବିଡିଏର ଲେ-ଆଉଟ୍ ଆପ୍ରୁଭାଲ୍ ଓ ରେରାର ଅନୁମତିର ଆଳ ନେଇ ସବ-ରେଜିଷ୍ଟ୍ରାର ଅଫିସ ଲୋକଙ୍କ ଦଲିଲ ଗ୍ରହଣ କରୁନଥିଲା। ବିଡିଏ ବି ଚାଷ ଜମି ଉପରେ ଲେ-ଆଉଟ୍ ଆପ୍ରୁଭାଲ ଦେଇପାରିବନି କହି ଜୁଲାଇରୁ ହାତ ଟେକିଦେଇଛି। ବିଡିଏ ଏଣିକି ଏନଓସି ଦେବନି ବୋଲି ୫ ସବ୍‌-ରେଜିଷ୍ଟ୍ରାରଙ୍କୁ କହିସାରିଲାଣି। ତଥାପି କେଁ ରହିଛି। ଚାଷ ଜମି ଓ ଘରବାରି ଜମିର ଆଂଶିକ କିଣାବିକା ଭିତରେ ପେଞ୍ଚ ପୁରାଇଦେଇଛନ୍ତି ଭୁବନେଶ୍ୱର ସବ୍‌-ରେଜିଷ୍ଟ୍ରାର। ୧୨୩ ଡିସିମିଲରୁ ଅଧିକ ଘରବାରି ଜମି ଥିଲେ ହୋଇପାରୁନି ପଞ୍ଜୀକରଣ। ଅର୍ଥାତ୍ ୫ହଜାର୩୫୭ ବର୍ଗଫୁଟ ଭିତରେ ଘରବାରି ଜମି ଥିଲେ ପଞ୍ଜୀକରଣ ଲାଗି ମିଳୁଛି ଅନୁମତି। ଏହାଠୁ ଅଧିକ ହେଲେ ରେରାର ଅନୁମତି ଆଣ ବୋଲି ନୂଆ ଆଳ ନେଇଛନ୍ତି ସବ-ରେଜିଷ୍ଟ୍ରାର।

ତେବେ ଏଭଳି ଦ୍ୱନ୍ଦ୍ୱ ଭିତରେ ଲୋକଙ୍କୁ ପ୍ରଶାସନ ରଖୁଥିବାରୁ ନକ୍ଷତ୍ର ନ୍ୟୁଜ୍ ଏହାର ସରଳ ଓ ସହଜ ସମାଧାନ ଲାଗି ଉଭୟ ରାଜସ୍ୱ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଭୟ ରାଜସ୍ୱ ଓ ନଗର ଉନ୍ନୟନ ମନ୍ତ୍ରୀ ବି ଘଟଣାର ଗୁରୁତ୍ୱ ବୁଝି ଏହାର ସରଳ ସମାଧାନ ଲାଗି ଉଭୟ ଏକାଠି ବସି ବାଟ ବାହାର କରିବେ ବୋଲି କଥା ଦେଇଥିଲେ। କାରଣ ସବୁରି ମୂଳରେ ରାଜସ୍ୱ ବିଭାଗ। ବିନା ପ୍ଲାନରେ ଯିଏ ଯେଉଁଠି ପାରିଲା, ଜମି ଓ ପ୍ଲଟକୁ ଖଣ୍ଡ ଖଣ୍ଡ କରି ବିକିଚାଲିଛି। କେମିତି ଆଇନଗତ ଭାବେ ସହଜରେ ଜମି କିଣାବିକା କରିପାରିବେ, ସେ ବାଟ ଅନ୍ତତଃ ସରକାର ବତାଇବା ଜରୁରୀ। କେବଳ ଏଠିକି ସେଠିକି ଦୌଡ଼ାଇ ଲୋକଙ୍କୁ ନୟାନ୍ତ କରିବା ଲୋକପ୍ରିୟ ସରକାରର କାମ ନୁହେଁ।

 ଏହାରି ଭିତରେ ଭୁବନେଶ୍ୱରର ଓକିଲ, ଦଲିଲ ଲେଖକ ମୋହରିର ସଂଘ, ଚାଷୀ, ଉପକଣ୍ଠରେ ଥିବା ଜମି ମାଲିକଙ୍କ ଏକ ପ୍ରତିନିଧି ଦଳ ଆଇନମନ୍ତ୍ରୀଙ୍କୁ ବି ଭେଟିଥିଲେ। ଆଇନ ମନ୍ତ୍ରୀ ବି କହିଥିଲେ, ଏହା ସାରା ରାଜ୍ୟର ସମସ୍ୟା ଭାବେ ମୁଣ୍ଡ ଟେକିଛି। କେମିତି ଲୋକେ ନିଜର ଜମି କିଣାବିକା କରିପାରିବେ। ଜଟିଳ ପ୍ରକ୍ରିୟାକୁ ହଟାଇ ଆଇନକୁ ସରଳୀକରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଖୋଦ୍ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିବେ।

 ଆଉ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାନକୁ କଥା ଯାଇଛି। ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଏଭଳି ସମସ୍ୟା କେମିତି ବୃହତ୍ତର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ସହ ରାଜସ୍ୱ ହାନୀ କରୁଛି, ହୃଦବୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁବ ଶୀଘ୍ର ଉଚ୍ଚସ୍ତରୀୟ ବୈଠକ ବସି ଏହାର ଠୋସ୍ ସମାଧାନ ବାହାରିବ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଆପାର୍ଟମେଣ୍ଟ ପଞ୍ଜୀକରଣ, ଘରବାରି କିସମ ପରିବର୍ତ୍ତନକୁ ସରଳୀକରଣ ଉପରେ ବି ଗୁରୁତ୍ୱ ଦିଆଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *