ପରିଣତ ବୟସରେ ସେ ସତ। କିନ୍ତୁ ଯୁବ ସୁଲଭତା ଗୁଣ ବାରି ହୋଇପଡ଼େ। ସଦା ଚଳଚଞ୍ଚଳ। ହସ ହସ ମୁହଁ। ନା ନିଜେ ବସନ୍ତି ନା କାହାକୁ ଖାଲିରେ ବସାଇଦିଅନ୍ତି। କାମରେ ମଗ୍ନ ରୁହ। ଯେଉଁ କାମ କରୁଛ, ସେଥିରେ ଫୋକସ କର। ଆଉ ପ୍ରାଥମିକତା ଦେଇ ତାକୁ ସଠିକ୍ ସମୟରେ ନିର୍ବାହ କର। ତାହେଲେ ଯାଇ ସଫଳତା ପାଇବ। ଖାଲି ଦୌଡ଼ିଲେ କି ଧାଇଁଲେ ହେବନି। କର୍ମ ସହ ନିଷ୍ଠା ନଥିଲେ କୌଣସି କାମରେ ବି ସଫଳତା ପାଇବନି। କାରଣ ଜୀବନ ସଂଘର୍ଷମୟ। ସମୟର ସଠିକ ଉପଯୋଗିତାକୁ ଯଦି କିଏ ବୁଝିଛି, ସେ ହେଉଛନ୍ତି ଭେଟେରାନ୍ ନେତା ତଥା ଛତିଶଗଡ଼ ଓ ଆନ୍ଧ୍ରର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଆଉ ସେ ସେହି ମାର୍ଗରେ ଯିବାକୁ ସମସ୍ତଙ୍କୁ ପ୍ରେରିତ କରିଆସୁଛନ୍ତି। ଗଲା ୩ ତାରିଖରେ ସେ ୯୨ ବର୍ଷ ବୟସରେ ପଦାର୍ପଣ କଲେ। କିନ୍ତୁ ଯିଏ ଦେଖିବ, ସେ ଭ୍ରମରେ ରହିଯିବ। ସତରେ କଅଣ ତାଙ୍କର ଏତେ ବୟସ ହେଲାଣି। ଶୁଭେଛୁ ଅନୁୁଗତଙ୍କ ସୁଅ ଛୁଟିଥିଲା ତାଙ୍କ ବାସଭବନକୁ। କିଏ ଆଶୀର୍ବାଦ ନେଉଥିଲେ ତ କିଏ ତାଙ୍କ ଆଦର୍ଶରେ ଚାଲି ଆଜି ସଫଳତାର ଶୀର୍ଷରେ କହି ଗର୍ବ ଅନୁଭବ କରୁଥିଲେ। ଏଭଳି ଏକ ବ୍ୟକ୍ତିତ୍ୱଙ୍କ ସଦା ଆଶୀର୍ବାଦ ଓ ସହାନୁଭୂତି ରହିଆସିଛି କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପ୍ରତି। ଆନ୍ଧ୍ରର ମାନ୍ୟବର ରାଜ୍ୟପାଳ ଥିଲା ବେଳେ ତାଙ୍କ ପାଦ ପଡ଼ିଥିଲା କଲେଜ ଅଫ ଇଞ୍ଜିନିୟରିଂ ଭୁବନେଶ୍ୱରରେ। ଯାହା କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଏକ ଶାଖା। ଆଜି ବି ମନେ ପଡ଼େ। ଫିଟ୍ ଇଣ୍ଡିଆ ମୁଭମେଣ୍ଟ ପାଇଁ ହେଲଥି ଲାଇଫ ଷ୍ଟାଇଲ୍ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇଥିଲେ। ଆଉ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବାସ୍ତବରେ ନିଜର ସ୍ୱାସ୍ଥ୍ୟ, ପରିବେଶ ଓ ସର୍ବୋପରି ସମାଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ଯେଉଁ ଗୁରୁମନ୍ତ୍ର ଦେଇଥିଲେ, ଆଜି ବି ଆଖି ଆଗରେ ଉଦ୍ଦଭାସିତ ହୋଇଯାଉଛି। କ୍ୟାମ୍ପସରେ ବୃକ୍ଷରୋପଣ କରିିଥିଲେ। ଅଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ମଲ୍ଲିକଙ୍କ ଅନୁରୋଧ କ୍ରମେ ଏତେ ବ୍ୟସ୍ତବହୁଳ ସତ୍ତ୍ୱେ ସେ ଅନୁରୋଧ ରକ୍ଷା କରି ଦୀର୍ଘ ସମୟ କ୍ୟାମ୍ପସରେ ଅତିବାହିତ କରିଥିଲେ। ଆଉ ଯେହେତୁ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଭାବେ ଏହାର ନାଁ ଓ ଖ୍ୟାତି ଆଜି ବି ଅତୁଟ ରହିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏଭଳି ଲିଭିଂ ଲିଜେଣ୍ଡଙ୍କୁ ସେ ଦିନ ଅତି ପାଖରେ ପାଇ ପୁରା କୌସ୍ତୁଭ ପରିବାର ଖୁସିରେ ଆତ୍ମହରା ହୋଇପଡ଼ିଥିଲା ଯେମିତି। ସେ ଯେମିତି ଫିଟ୍ ଆଣ୍ଡ ଫାଇନ୍। ସେ ଦେଖାଉଥିବା ଆଦର୍ଶକୁ ପାଥେୟ କରି କ୍ୟାମ୍ପସ ବି ସେମିତି ସରସ ସୁନ୍ଦର ହେବା ସହ ଛାତ୍ରଛାତ୍ରୀଙ୍କ ଭିତରେ ସେ ଗୁରୁମନ୍ତ୍ର କେମିତି ଲାଗୁ ହେବ, ସେ ଦିଗରେ ପୁରା କୌସ୍ତୁଭ ପରିବାର ପ୍ରୟାସରତ। ଅଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ମଲ୍ଲିକ କହିଛନ୍ତି, ତାଙ୍କ ଜନ୍ମଦିନରେ କେବଳ ଗୋଟିଏ ଦିନରେ ଫୁଲତୋଡ଼ା ଦେଇ କି କେକ୍ କାଟି କି ମନ୍ଦିରରେ ଦୀପ ଜାଳି ପାଳିଲେ ଏହା ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ହେବନି। ବରଂ ସେ ଦେଖାଉଥିବା ମାର୍ଗରେ ଗଲେ ବରଂ ତାଙ୍କ ପ୍ରତି ଉଚିତ ସମ୍ମାନ ହେବ। ତାଙ୍କର ସ୍ୱାସ୍ଥ୍ୟ ଏମିତି ଫିଟ୍ ରହୁ। ତାଙ୍କ ମୁହଁରେ ସବୁବେଳେ ହସ ଫୁଟୁଥାଉ। ଆଉ ଭଗବାନ ତାଙ୍କୁ ସେତିକି ସହାୟ ହୁଅନ୍ତୁ ବୋଲି କାମନା କରିଛନ୍ତି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now