ବହୁ ଦିନର ଦାବି ପୂରଣ ହେଲା : କ୍ଷେତ୍ରମୋହନ ବିଦ୍ୟାପୀଠ ଫାଇଭ-ଟିରେ ସାମିଲ ହେବା ପରେ ବିଧାୟକଙ୍କ ସମୀକ୍ଷା

Spread the love

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚାୟତ କ୍ଷେତ୍ରମୋହନ ବିଦ୍ୟାପୀଠଟି ଫାଇଭ-ଟିରେ ସାମିଲ ପାଇଁ ବହୁଦିନରୁ ଦାବି ହୋଇଆସୁଥିଲା । ତାହା ଏବେ ପୂରଣ ହୋଇଛି । ଉକ୍ତ ବିଦ୍ୟାପୀଠକୁ ୪ର୍ଥ ପର୍ଯ୍ୟାୟରେ ୫-ଟିରେ ସାମିଲ କରାଯାଇଥିଲା ବେଳେ ବିଦ୍ୟାଳୟ କାମ କିଭଳି ସଠିକ୍ ଢଙ୍ଗରେ କରାଯିବ ସେ ନେଇ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏକ ସମୀକ୍ଷା ବୈଠକରେ ଯୋଗଦେଇ ଫେରିିଛନ୍ତି । ଆୟୋଜିତ ସ୍ଥାନୀୟ ସରପଂଚ ରାକେଶ କୁମାର ସାମଲଙ୍କ ସଂଯୋଜନା ଏବଂ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ବିଦ୍ୟାଳୟ ପରିସରକୁ ସରସ ସୁନ୍ଦର କରିବା ସହ ବିଦ୍ୟାଳୟ ଗୃହ ନିର୍ମାଣ କରାଯିବା, ଦୁଇଟି ଡିଜିଟାଲ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନଗାର ଯେପରି ଉନ୍ନତମାନର ହେବ ସେ ନେଇ ବିଧାୟକ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, କିଟ୍ ର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶରତ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ନବଚାରୀ ଦଳବେହେରା, ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ନାଥ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତିଙ୍କ ସମେତ ପରିଚାଳନା କମିଟିର ସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ସ୍ଥାନୀୟ ସମିତିସଭ୍ୟା ସ୍ଵାଗତିକା ନାୟକ ଓ ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ଉପେକ୍ଷା କରାଯାଇଥିଲା । ଚଳିତ ବର୍ଷ ଦଶମ ଶ୍ରେଣୀରେ କୌଣସି ଛାତ୍ର ଛାତ୍ରୀ ଏ-୧ ଗ୍ରେଡ୍ ରେ ପାସ୍ କରିନଥିବାରୁ ବିଧାୟକ ବିରକ୍ତି ପ୍ରକାଶ କରିଥିଲେ । ସରପଞ୍ଚ ରାକେଶ କୁମାର ସାମଲଙ୍କ ସଂଯୋଜନାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ବିଧାୟକଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ସିଲ୍ଡ ଓ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟଟି ୫-ଟିରେ ସାମିଲ ହେବା ପାଇଁ ଉକ୍ତ ପଞ୍ଚାୟତର ପୂର୍ବତନ ସରପଂଚ ଏବଂ ବର୍ତ୍ତମାନର ସମିତିସଭ୍ୟା ଓ ଗ୍ରାମବାସୀମାନେ ବହୁଦିନ ହେଲା ଦାବି କରିଆସୁଥିଲେ । ବିଦ୍ୟାପୀଠଟି ୫-ଟିରେ ସାମିଲ ହେବା ଦ୍ଵାରା ଛାତ୍ରଛାତ୍ରୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *