ମହାନଦୀ ଜଳବିବାଦ- ସେପ୍ଟେମ୍ୱର ୬କୁ ଘୁଞ୍ଚିଲା ଶୁଣାଣୀ- ଆପୋଷ ସମାଧାନରେ କଅଣ ରହିବ ସର୍ତ୍ତ?

ମହାନଦୀ ଜଳ ବିବାଦର ଶୁଣାଣୀ ସେପ୍ଚେମ୍ୱର ୬ରେ ହେବ। ଟ୍ରିବ୍ୟୁନାଲରେ ଏ ଶୁଣାଣୀ ୬କୁ ଘୁଞ୍ଚିଲା। ସମାଧାନ ଲାଗି ଉଭୟ ପକ୍ଷ ରାଜିଥିବା ନେଇ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ କୋର୍ଟକୁ ଅବଗତ କରାଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ହୋଇ କଥା ଆଗକୁ ବଢ଼ିଛି ବୋଲି କୁହାଯାଇଛି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସମାଧାନର ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲାଗିଛନ୍ତି। ଆଶା ଅଛି, ଛତିଶଗଡ଼ ନିଶ୍ଚୟ ବ୍ୟବସ୍ଥାକୁ ଗ୍ରହଣ କରି ସମାଧାନ ଲାଗି ଆଗେଇଆସିବ। ମହାନଦୀ ବିବାଦର ସମାଧାନ ଲାଗି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ। ଏ ସନ୍ଦର୍ଭରେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଗୋଲଟେବୁଲ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଯୋଗ ଦେଇଥିଲେ। ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ହୋଇସାରିଛି। ଉଭୟ ପକ୍ଷ ଅଗଷ୍ଟ ଭିତରେ ବିବାଦର ସମାଧାନର ଅଗ୍ରଗତି ବାବଦରେ ଟ୍ରିବ୍ୟୁନାଲକୁ ଜଣାଇବେ। ଏହା ପରେ ପରବର୍ତ୍ତୀ ଶୁଣାଣୀ ହେବ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଆପୋଷ ଆଲୋଚନାରେ ସମାଧାନ ନେଇ ଗଲା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ମାମଲା ବିଚାରାଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆପୋପ ବୁଝାମଣା ଲାଗି ସହମତି ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଚିଠିରେ କିଛି ହୁଏନା। ଟ୍ରିପଲ ଇଞ୍ଜିନ ସରକାର ଅଛି। ପ୍ରଧାନମନ୍ତ୍ରୀ ମଧ୍ୟସ୍ଥତା କଲେ ସମାଧାନ ହୋଇପାରିବ। ସରକାର ବଦଳିଲା, କିନ୍ତୁ ମହାନଦୀର ଭାଗ୍ୟ ବଦଳିଲାନି। ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ମହାନଦୀ ପାଣିକୁ ବନ୍ଧ ବାନ୍ଧି ଅଟକାଉଛି ଛତିଶଗଡ଼। ଲୋକେ ହନ୍ତସନ୍ତ ହେଉଛନ୍ତି। ଯଦି ଆପୋଷ ବୁଝାମଣା ଜରିଆରେ ସମାଧାନ ହୋଇପାରୁଛି, ଏହା ଭଲ କଥା। ବର୍ଷେ ହେଲାଣି ସରକାର ଖାଲି କହୁଛନ୍ତି, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କେଉଁ ବିନ୍ଦୁ ଉପରେ ଆପୋଷ ସମାଧାନ ହେବ, ତାହାର ସ୍ପଷ୍ଟତା ଆସିବା ଜରୁରୀ। ଏହା ଓଡ଼ିଶା ସ୍ୱାର୍ଥ ପରିପଂଥୀ ନୁହେଁ ତ। ଏସବୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଲେ। ହେଲେ ଆପୋଷ ସମାଧାନର କଥା ବି କେଉଁଠି କହୁନାହାନ୍ତି। ଛତିଶଗଡ଼ ସରକାର ଅବିଚାରିତ ଭାବେ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଛନ୍ତି। ପାଣି ବଣ୍ଟନ ନିୟମ ଥିଲେ ବି ନିର୍ମାଣ ଜାରି ରଖିଛି। ୨୦୧୬ ସେପ୍ଚେମ୍ୱର ୯ରେ ଉମା ଭାରତୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର କି ଛତିଶଗଡ଼ ସରକାର ରାଜି ହେଲେନି। ଟ୍ରିବ୍ୟୁନାଲରେ କେସ୍ ଚାଲିଥିବା ବେଳେ ଆପୋଷ ଆଲୋଚନାର କଥା କହୁଛନ୍ତି ସରକାର। ୨୪ରେ ନବୀନ ପଟ୍ଟନାୟକ ଏ କଥା କହିବା ପରେ ୨୫ରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଆପୋଷ ଆଲୋଚନା ପାଇଁ ଛତିଶଗଡ଼ ପାଖରେ କିଛି ସର୍ତ୍ତ ରହିବା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି। ଅଣମୌସୁମୀ ସମୟରେ ମହାନଦୀରେ ୧.୭୪ ଏମଏଏଫ୍ ପାଣି ଓଡ଼ିଶାକୁ ଛାଡ଼ିବା ଦରକାର। ମହାନଦୀ ଓ ଏହାର ଅବବାହିକାର ସୁରକ୍ଷା ଲାଗି ସମ୍ୱିଧାନର ଧାରା ୧୬୫ ଅନୁସାରେ ମହାନଦୀ ରିଭର ବୋର୍ଡ ଗଠନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି। ମହାନଦୀ ଜଳବିବାଦର ସମାଧାନ ଲାଗି ଓଡ଼ିଶା-ଛତିଶଗଡ଼ ଭିତରେ ସହମତି ପ୍ରକାଶ ପାଇଛି। ଦେଖିବାର କଥା, ଏ ସହମତି କେଉଁ ସର୍ତ୍ତ ଭିତ୍ତିରେ ସମ୍ଭବପର ହୋଇପାରୁଛି ନା ଡବଲ ଇଞ୍ଜିନ ସରକାର ହେତୁ ଶୀର୍ଷସ୍ତରର ହସ୍ତକ୍ଷେପ ଆବଶ୍ୟକ ପଡ଼ିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *