ରୂପକାର ଦେବାନନ୍ଦ ସାହୁ

ବରଗଡ:  ଧନୁଯାତ୍ରା କହିଲେ ସ୍ୱତଃ ଆଖି ଆଗରେ ନାଚି ଉଠେ କଂସର ଭୟଙ୍କର ରୂପ, ଚାଣୁର ମୁଷ୍ଟିକର କଦାକାର ରୂପ, କୃଷ୍ଣ ବଳରାମଙ୍କ କୋମଳ ଭାବମୂର୍ତ୍ତି । ଜଣେ ସାଧାରଣ ଲୋକଙ୍କ ମୁହଁରେ ରଙ୍ଗ ବୋଲି ରାଜକୀୟ ପୋଷାକ ପିନ୍ଧାଇ ଚରିତ୍ର ସହ ରୂପସଜ୍ଜା ଦେଲେ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ ହୋଇଯାଏ । ଏପରି ଅସାଧାରଣ ବ୍ୟକ୍ତିତ୍ୱ ସୃଷ୍ଟି କରୁଥିବା ବ୍ୟକ୍ତି ଜଣକ ହେଲେ ବରଗଡ଼ ସହରର ରୂପକାର ଦେବାନନ୍ଦ ସାହୁ।

ତାଙ୍କହାତର ଯାଦୁଗରୀରେ ଜଣେ କଳାକାରରୁ ମହାନାୟକ ସାଜିଥାଏ । ମୁହଁରେ ରଙ୍ଗ ବୋଲି, ରାଜକୀୟ ପୋଷାକ ପିନ୍ଧାଇ ଚରିତ୍ର ସହିତ ରୂପରେଖ ଦେଇଥାନ୍ତି ଦେବାନନ୍ଦ ।  ଦୀର୍ଘ 75 ବର୍ଷ ହେବ ଦେବାନନ୍ଦଙ୍କ ପରିବାର ଧନୁଯାତ୍ରା ରେ ସଂଶ୍ଲିଷ୍ଟ ରହି ପିଢିପିଢ଼ି ଧରି ରୂପକାର କାର୍ଯ୍ୟ ତୁଲାଇ ଆସୁଛନ୍ତି । 1947 ମସିହାରୁ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରାରେ ତାଙ୍କ ପରିବାର ଦାୟିତ୍ବ ତୁଲାଇ ଆସୁଛନ୍ତି । ଯାହା  ପୁରା ପରିବାର ପାଇଁ ବେଶ୍ ଗର୍ବର ବିଷୟ ହୋଇଥିବା ସେ କହିଛନ୍ତି ।

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ  ଅଭିନୟ କରୁଥିବା ପ୍ରତିଟି କଳାକାର ପିନ୍ଧୁଥିବା ପୋଷାକ, ଅଳଙ୍କାର ଯାତ୍ରାର ଏକ ମାସ ପୂର୍ବରୁ ଦେବାନନ୍ଦ ନିଜ ହାତରେ ଏହାର ତିଆରି କରିଥାନ୍ତି । ଏଥିରେ ତାଙ୍କର ପୁରା ପରିବାର ସହଯୋଗ କରୁଥିବା ବେଳେ ପୋଷାକରେ ବିଭିନ୍ନ ଡିଯାଇନର ମୋତି, ଚୁମକି ଗୁନ୍ଥି ରାଜକୀୟ ପୋଷାକ ତିଆରି କରିଥାନ୍ତି । ଦେବାନନ୍ଦଙ୍କ ଏହି ନିଚ୍ଛକ ଜାଦୁଗରି କାମ ପାଇଁ କଳାକାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟବାସିନ୍ଦା ସମସ୍ତେ ଦେବାନନ୍ଦଙ୍କ ବେଶ୍ ପ୍ରଶଂସା କରୁଛନ୍ତି ।

ପରଦା ପଛରେ ଥିବା ଏହି ପରିବାରକୁ ପରଦା ସମ୍ମୁଖକୁ ଆଣି ପାରିଲେ ଏହା ହିଁ  ସେମାନଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ ବୋଲି ମତପ୍ରକାଶ ପାଇଛି ।

ଧ୍ରୁବକର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *