୨ କୋଟି ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Spread the love

ମାଲକାନଗିରି : ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ ।

ସୂଚନା ଅନୁଯାୟୀ, କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସକୁ ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଂଚାୟତ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା । ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ବଡ଼ପଦର ପଂଚାୟତର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢଉ କରିଥିଲା । ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡ଼ି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ । ପୁଲିସ ଘଟଣାସ୍ଥଳରୁ ୮୫ଟି ଜରି ବସ୍ତାରେ ଭର୍ତି ହୋଇ ରହିଥିବା ଗଞ୍ଜେଇକୁ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା । ସେ ସବୁ ଗଞ୍ଜେଇକୁ ଓଜନ କରାଯିବା ପରେ ତାହା ୨ ଟନ ୧୫୨ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପନ୍ଦର ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି । ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଁଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇଯାଇଥିଲେ । ବର୍ତମାନ ଚିତ୍ରକୋଣ୍ଡା ପୁଲିସ ଏହା କାହାର ଗଞ୍ଜେଇ ଓ କେଉଁମାନେଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।

Leave a Reply

Your email address will not be published. Required fields are marked *