ମାଲକାନଗିରି ମହାବିଦ୍ୟାଳୟକୁ ପୁରିଲା ୪୪ ବର୍ଷ, କେବେ ମିଳିବ ସରକାରୀ ମାନ୍ୟତା

ମାଲକାନଗିରି : ରାଜ୍ୟରେ ସରକାର ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ, ଆଦିବାସୀ ଇଲାକା ମାଲକାନଗିରି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅନ୍ୟ ଜିଲ୍ଲା ତୁଳନାରେ ଆଗେଇ ପାରୁନାହିଁ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଆବଶ୍ୟତକା ପଡୁଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରୁ ନାହିଁ । ଜିଲ୍ଲାରେ ଥିବା ସର୍ବପୁରାତନ ମହାବିଦ୍ୟାଳୟକୁ ଆଜିବି ଅଣଦେଖା କରାଯାଇଛି । ଚଳିତ ମାସରେ ମାଲକାନଗିରି ମହାବିଦ୍ୟାଳୟକୁ ୪୪ ବର୍ଷ ପୂର୍ତି ହୋଇଥିବା ବେଳେ ତାହାକୁ ସରକାରୀ ମାନ୍ୟତା ମିଳିପାରୁନାହିଁ । ଫଳରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ଅଧିକ ଫି’ ଟଙ୍କା ଦେଇ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥିତିରେ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା କେବେ ମିଳିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ପିଲାମାନେ ଉଚ୍ଚ ଶିକ୍ଷା କରିବା ପାଇଁ ୧୯୭୯ ମସିହା ଜୁଲାଇ ୯ ତାରିଖରେ ମାଲକାନଗିରି ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା । ଏଥିରେ ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇପାରିଥିଲେ । କାଳକ୍ରମେ ଗୋଟିଏ ପରେ ଗୋଟିଏ ବିଭାଗ ଖୋଲିବାରେ ଲାଗିଲା ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ଏହି ମହାବିଦ୍ୟାଳୟରେ ବର୍ତ୍ତମାନ ଯୁକ୍ତ ତିନି ଓ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ ରହିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି କଳାର ଓଡିଆ ବିଭାଗରେ ୮୦ ଟି ସିଟ୍ ରହିଥିବା ବେଳେ ଇଂରାଜୀରେ ୩୨, ଅର୍ଥଶାସ୍ତ୍ରରେ ୩୨, ଇତିହାସରେ ୫୬, ଶିକ୍ଷାରେ ୬୪ ଓ ରାଜନୀତି ବିଜ୍ଞାନରେ ୫୬ ସ୍ନାତକ ସମ୍ମାନ ସିଟ୍ ରହିଛି । ବାଣିଜ୍ୟ ବିଭାଗରେ ଆକାଉଂଟିଙ୍ଗ୍ ୧୨୮ଟି ସ୍ନାତକ ସମ୍ମାନ ସିଟ୍ ରହିଛି ।

ବିଗତ ବର୍ଷର ତଥ୍ୟରୁ ଜଣାପଡିଛି ଯେ, କଳା ଓ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପ୍ରଥମ ବର୍ଷରେ ୨୪୩ ଜଣ, ଦ୍ୱିତୀୟ ବର୍ଷରେ ୩୧୬ ଜଣ ଓ ତୃତୀୟ ବର୍ଷରେ ୩୬୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତିନି ବର୍ଷରେ ୯୨୭ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏସସି ୨୩୧ ଜଣ ଓ ୪୮୪ ଜଣ ଏସଟି ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଯୁକ୍ତ ଦୁଇ କଳା ବିଭାଗରେ ୩୨୦ଟି ସିଟ୍ ରହିଥିବା ବେଳେ ବାଣିଜ୍ୟ ବିଭାଗରେ ୧୨୮ଟି ସିଟ୍ ରହିଛି । ସେହିପରି କଳା ଓ ବାଣିଜ୍ୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୩୯୫ ଜଣ ଓ ଦ୍ୱିତୀୟ ବର୍ଷରେ ୪୪୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୮୪୨ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏସ୍ସି ୧୮୩ ଜଣ ଏବଂ ଏସଟି ୪୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଖୋଲିପାରି ନାହିଁ । ମାଲକାନଗିରି ଜିଲ୍ଲାର ଅଧିକାଂଶ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଫିସ୍ ମଧ୍ୟ ଅଧିକା ଦେବାକୁ ପଡୁଛି । ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ନାମ ଲେଖାପାଇଁ ୧୦୭୨ ଟଙ୍କାରୁ ୧୨୧୫ ଟଙ୍କା ରହିଥିବା ବେଳେ ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ପାଇଁ ଫିସ୍ ୪୫୦୦ ଟଙ୍କା ଓ ଯୁକ୍ତ ଦୁଇ ପାଇଁ ୩୫୨୯ ଟଙ୍କା ରହିଛି । ଏଥିସହ ହଷ୍ଟେଲରେ ରହିବା ଫିସ୍ ପାଇଁ ବାର୍ଷିକ ୧୨୦୦ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡୁଛି । ମହାବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ୩ଟି ଛାତ୍ରାବାସ ରହିଛି । ସେଥିରୁ ଛାତ୍ରଙ୍କ ପାଇଁ ୨ଟି ଓ ଗୋଟିଏ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିସହ ମହାବିଦ୍ୟାଳୟରେ ଏନସିସି, ଏନଏସଏସ ଓ ଯୁବ ରେଡକ୍ରସ ରହିଛି । ନାକ୍ ଟିମ୍ ପକ୍ଷରୁ ମହାବିଦ୍ୟାଳୟକୁ ”ସି” ଗ୍ରେଡ ମିଳିଛି । ଏଠାରେ ଆକ୍ୟୁଏସି ସେଲ ରହିଥିବା ବେଳେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ବିଶ୍ୱବ୍ୟାଙ୍କ ଓ ୟୁଜିସି ପକ୍ଷରୁ ଅନୁଦାନ ମିଳିଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ କହିବାନୁଯାୟୀ, ଶିକ୍ଷା ଗ୍ରହଣ ପାଇଁ ୨୨ଟି ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ୍ ଓ କମ୍ପ୍ୟୁଟର ଲ୍ୟାବ୍ ରହିଛି । ଲାଇବ୍ରେରୀରେ ପାଖାପାଖି ୨୮ ହଜାରରୁ ଅଧିକ ବହି ରହିଛି । ଲାଇବ୍ରେରୀ ଘର ଭାଙ୍ଗିବାକୁ ବସିଥିବା ବେଳେ ନୂତନ କୋଠା ଅଧପନ୍ତରିଆ ଭାବେ ପଡିରିହିଛି । ମହାବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ସେବାରେ ନିଯୁକ୍ତି ପାଇଛନ୍ତି । ମହାବିଦ୍ୟାଳୟ ଉନ୍ନତି ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଦେଢ଼ କୋଟି ଦେବା ପାଇଁ ଘୋଷଣା କରିଥିଲେ କିନ୍ତୁ, ତାହା ମିଳିପାରି ନାହିଁ । ଏଥିସହ ବିଗତ କିଛି ମାସ ପୂର୍ବରୁ ଫାଇଭ-ଟି ଅଧିନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ମହାବିଦ୍ୟାଳୟଟି ଏବେ ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହୋଇ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇପାରି ନାହିଁ । ସରକାରୀ ମାନ୍ୟତା ପାଇଲେ ଏହି ଅଞ୍ଚଳର ପିଲାମାନଙ୍କ ପାଇଁ ଫି କମ ହେବ ଓ ଅଧିକ ନୂତନ ବିଭାଗ ଖୋଲିବା ସହ ଶିକ୍ଷାର ଉନ୍ନତି ଘଟିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *