ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି

ମାଲକାନଗିରି : ସରକାରଙ୍କ ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାରେ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଶ୍ରମ ବିଭାଗରେ ଏକରକମ ଅଚଳଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଗୋଟିଏବି ବ୍ଲକରେ ଶ୍ରମ ଅଧିକାରୀ ନଥିବା ବେଳେ ବିଭାଗ କେମିତ ଚାଲିବ ଏବଂ ଶ୍ରମ ଆଇନ କିଭଳି କାର୍ଯ୍ୟକାରୀ ହେଉଥିବ ଏଥିରୁ ସ୍ପଷ୍ଟ ଜଣାପଡୁଛି । ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପଦବୀ ରହିଥିବା ବେଳେ ସେଥିରେ କୌଣସି ଅଧିକାରୀ ନାହାନ୍ତି । କଳାହାଣ୍ଡିର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ ୨ଟି ଜିଲ୍ଲା ଶ୍ରମ ଅଧିକାରୀ ପଦବୀ ରହିଥିବା ବେଳେ ଜଣେ ହିଁ ଦୁଇଟି ଦାୟିତ୍ୱ ତୁଲାଉଛନ୍ତି । ଜିଲ୍ଲାରେ ୮ଟି ସହକାରୀ ଶ୍ରମ ଅଧିକାରୀ ପଦବୀ ରହିଥିବା ବେଳେ କେବଳ ଜଣେ ହିଁ ରହିଛନ୍ତି । ଏଥିସହ ଜିଲ୍ଲାରେ ଜଣେ ସିନିୟର ଆସିଷ୍ଟାଣ୍ଟ, ଜଣେ ଜୁନିୟର ଆସିଷ୍ଟାଣ୍ଟ ଓ ୨ ଟି ପିଅନ ପଦବୀ ରହିଥିବା ବେଳେ ସେଥିରେ ମଧ୍ୟ କେହି କର୍ମଚାରୀ ନାହାନ୍ତି । ଜିଲ୍ଲାରେ କେବଳ ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜଣେ ସହକାରୀ ଶ୍ରମ ଅଧିକାରୀ ରହିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ ଜିଲ୍ଲାରେ ଶ୍ରମ ବିଭାଗରେ କୌଣସି ଅଧିକାରୀ ହିଁ ନାହାନ୍ତି । ସମସ୍ତ ବ୍ଲକରେ ଶ୍ରମ ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଜଣେ ଲେଖାଏଁ ସହକାରୀ ଶ୍ରମ ଅଧିକାରୀ ଆବଶ୍ୟକ ଥିବାବେଳେ କୌଣସି ବ୍ଲକରେ ଅଧିକାରୀ ନାହାନ୍ତି । ସମସ୍ତ ବ୍ଲକରେ ଏହି ପଦବୀ ଖାଲି ପଡିଛି। ଫଳରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଏତେ କମ କର୍ମଚାରୀରେ ଆଗେଇ ପାରୁନାହିଁ । ଏଥିସହ ସହକାରୀ ଶ୍ରମ ଅଧିକାରୀଙ୍କ ଭୂମିକା ଅଧିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବ୍ଲକରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପ୍ରମାଣପତ୍ରର ଯାଞ୍ଚ କରିବା, କୌଣିସ ଅଭିଯୋଗ ଆସିଲେ ତାହାର ତଦନ୍ତ କରିବା, ଶିଶୁ ଶ୍ରମିକ ନିୟୋଜନକୁ ରୋକିବା, ଶ୍ରମିକଙ୍କୁ ନିର୍ଯାତନାର ତଦନ୍ତ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥାନ୍ତି । ଜିଲ୍ଲାରେ ଏହି ପଦବୀ ଖାଲି ପଡିଥିବା ବେଳେ ଏଥିରେ ଆଜି ପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦିଆଯାଉ ନାହିଁ। ସରକାର ଏଥିପ୍ରତି ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି। କେବଳ ଜିଲ୍ଲା କାର୍ଯ୍ୟାଳୟରେ ଆଉଟୋସୋର୍ସିଂରେ ୪ ଜଣ କର୍ମଚାରୀ କାମ କରୁଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାରେ ୫୪ ହଜାର ୧୮୫ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ୧୧୦୭୭ ଜଣ ଅଣ ସଂଗଠିତ ଶ୍ରମିକ ରହିଛନ୍ତି । ଏଥିସହ ଶ୍ରମ ଆଇନ ବିରୋଧରେ କାର୍ଯ୍ୟ ହେଉଥିବା ସ୍ଥାନରେ ଚଢ଼ଉ ପାଇଁ ଅଧିକାରୀଙ୍କ ଆବଶ୍ୟକତା ରହିଛି। ମାଲକାନଗିରି ଜିଲ୍ଲାରୁ ଦାଦନ ଖଟିବା ପାଇଁ ଲୋକେ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁ ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କୁ ରୋକିବା ପାଇଁ ମଧ୍ୟ ଅଧିକାରୀ ନାହାନ୍ତି । ଶ୍ରମ କାର୍ଯ୍ୟାଳୟ ଗୁଡିକରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପ୍ରଦାନ କରିଲେ ଦଲାଲ ମାନଙ୍କୁ ରୋକିବା, ଶ୍ରମ ଆଇନର ଅବମାନନା କରୁଥିବା ଲୋକଙ୍କୁ କାବୁ କରିବା, ନିର୍ମାଣ ଶ୍ରମିକ ପଞ୍ଜୀକରଣ ସୁଚାରୁ ରୂପେ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *