ଶ୍ରମଜୀବୀ ସଙ୍ଗଠନ ଓ ମହିଳା ଶ୍ରମଜୀବୀ ସଙ୍ଗଠନ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

Spread the love

ମାଲକାନଗିରି : ଜିଲ୍ଲା ସ୍ତରୀୟ ଲୋକ ସଙ୍ଗଠନ ମହିଳା ଶ୍ରମଜୀବି ସଙ୍ଗଠନ ଓ ଶ୍ରମଜୀବି ସଙ୍ଗଠନ ମାଲକାନଗିରି, ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ମଞ୍ଚ ଓଡିଶା ପକ୍ଷରୁ ନିକଟରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସହିତ ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହ ହେତୁ, ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନେ ସ୍ଵଚ୍ଛ ପାନୀୟ ଜଳ ଏବଂ ପୃଷ୍ଟି ଯୁକ୍ତ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକି ସେମାନଙ୍କର ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାରକୁ ସୀମିତ କରୁଛି । ତେଣୁ ସ୍ଥାନୀୟ ସଙ୍ଗଠନ ପଛୁଆବର୍ଗମାନଙ୍କ ପାଇଁ ଅଧିକାର ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନମୂଳକ କାର୍ଯ୍ୟକ୍ରମ ମାନ କରିଆସୁଅଛି ।

ଏଥିସହିତ ସ୍ଥାନୀୟ ସଙ୍ଗଠନ ପକ୍ଷରୁ ଆଜି ମାଲକାନଗିରି ବସଷ୍ଟଣ୍ଡରୁ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ବାହାରି ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପଠାଇବା ସହିତ ଜିଲ୍ଲାର ସମସ୍ତ ବଞ୍ଚିତ ବର୍ଗର ଜନସାଧାରଣଙ୍କ ପାଇଁ ନିମ୍ନ ଲିଖିତ ଦାବୀ ଗୁଡିକ ପୂରଣ କରିବା ପାଇଁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି, ଏହି ଦାବି ଗୁଡିକ ହେଲା – ସମସ୍ତ ପରିବାରକୁ ଶୁଦ୍ଧ ପିଇବା ପାଣି ଯୋଗାଇଦେବା ଓ ସମସ୍ତ ପିଇବା ପାଣିର ଉତ୍ସଗୁଡିକର ମରାମତି କରିବା, ସମସ୍ତ ଯୋଗ୍ୟ ଗରୀବ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଗାଇ ଦେବା, ବାଦ ପଡିଥିବା ସମସ୍ତ ପରିବାରକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯାଉ, ସମସ୍ତ ଯୋଗ୍ୟ ବୃଦ୍ଧା/ବିଧବା ଏବଂ ଦିବ୍ୟାଙ୍ଗ ମାନଙ୍କୁ ତୁରନ୍ତ ଭତ୍ତା ଯୋଗାଇଦେବା ଓ ଭତ୍ତାର ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଉ ଓ ହାତରେ ନଗଦ ଟଙ୍କା ଆକାରରେ ଘରେ ପ୍ରଦାନ କରାଯାଉ, ସମସ୍ତ ଯୋଗ୍ୟ ପରିବାରକୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଓ ଗ୍ରାମ ଗୁଡିକୁ ସାମୁହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ, ସମସ୍ତ ଯୋଗ୍ୟ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରାଯାଉ, ସମସ୍ତ ଚାଷଜମିକୁ ଜଳସେଚନ ଯୋଗାଇବା ଓ ସମସ୍ତ ଚେକ ଡ୍ୟାମ, କେନାଲ, ଉଠାଜଳସେଚନ ପଏଣ୍ଟ ଗୁଡିକୁ ତୁରନ୍ତ ମରାମତି କରାଯାଉ, ସମସ୍ତ ଚାଷି ପରିବାରକୁ ରବି ଋତୁରେ ଚାଷ ନିମନ୍ତେ ସେପ୍ଟେମ୍ବର ସୁଧା ଡାଲି ଜାତୀୟ ବିହନ ଯଥା – ମୁଗ, ବିରି, ଚଣା ଓ କୋଳଥ ଆଦି ମାଗଣାରେ ଯୋଗାଇ ଦିଆଯାଉ, ପାକଶାଳା ବଗିଚା ପାଇଁ ସମସ୍ତ ପରିବାରକୁ ପନିପରିବା ବିହନ କିଟ ତୁରନ୍ତ ପ୍ରଦାନ, ପରିବାରରୁ ବାଦ ପଡିଥିବା ସମସ୍ତ ସଦସ୍ୟଙ୍କୁ ରାସନ କାର୍ଡରେ ଯୋଡିବା, ସମସ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଯଥା – ଶ୍ରେଣୀ ଗୃହ, ରୋଷେଇ ଘର, ଶୁଦ୍ଧ ପିଇବା ପାଣି, ଖେଳ ପଡିଆ, ଶୌଚାଳୟ ଓ ପାଚେରୀ ଆଦି ମରାମତି ଓ ନିର୍ମାଣ କରାଯିବା ସହ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକଙ୍କ ନିଯୁକ୍ତି କରିବା, ୧୫୦ ରୁ ଉର୍ଦ୍ଧ ଜନସଂଖ୍ୟା ଥିବା ପଡା ଗ୍ରାମଗୁଡିକରେ ତୁରନ୍ତ ମିନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଯଥା – ପକ୍କାଗୃହ ନିର୍ମାଣ, ପିଇବା ପାଣି, ରୋଷେଇ ଗୃହ ଓ ପାଚେରୀ ନିର୍ମାଣ କରାଯାଉ ।

ଉପରୋକ୍ତ ଦାବିଗୁଡିକ ଉପରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକରୁ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ସଙ୍ଗଠନର ସମ୍ପାଦକ ରାଜୁ କବାସୀଙ୍କ ସହ ଗାଙ୍ଗି ମାଢି, ଏରେ କବାସୀ, ଶୁଭଶ୍ରୀ ମାଢି, ଦହନା ମାଡକାମୀ, ଏରା ପଡିଆମୀ, ମୁକୁନ୍ଦ ମାଡକାମୀ, ମଦନ ହନ୍ତାଳ, ରାମ ବଡନାୟକ, ଗୋବର୍ଧନ ପାଙ୍ଗି, ତ୍ରୀନାଥ ବଡନାୟକ, ଶ୍ରୀନୁ ସାଲବମ ଓ ସୀତାରାମ ଦୁରୁଆ ପ୍ରମୁଖଙ୍କ ନେତୃତ୍ଵରେ ଏହି ଶୋଭାଯାତ୍ରା ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *