ଦଣ୍ଡିପଦାର ଠାରେ ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

Spread the love

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଦଣ୍ଡିପଦର ଠାରେ ପ୍ରଥମଥର ପାଇଁ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଜନସମ୍ପର୍କ ଶିବିର । ଅପହଂଚ ଇଲାକା ତୁଳସୀ ପାହାଡ଼ରେ ଏପ୍ରିଲ ମାସ ୨୩ ତାରିଖରେ ନୂତନ ଭାବେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ପରେ ସେଠାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମାଓଗଡ଼ ଦୁର୍ଗମ ତୁଳସୀ ପାହାଡ଼ରେ ଯେଉଁଠି ମାଓବାଦୀଙ୍କ ଲାଲଝଣ୍ଡା ଉଡୁଥୁଲା ସେଠି ଆଜି ଉଡ଼ିଛି ଜାତୀୟ ପତାକା । ଯେଉଁଠାରେ ଶୁଭୁଥିଲା ମାଓବାଦୀ ଜିନ୍ଦାବାଦ, ଲାଲ୍ ସଲାମ ଆଜି ସେଠି ନିର୍ଭୟରେ ଗ୍ରାମବାସୀମାନେ ନାରା ଦେଇଛନ୍ତି ବନ୍ଦେ ମାତରମ, ଭାରତ ମାତା କି ଜୟ । ନୂଆ ସିଓବି ପ୍ରତିଷ୍ଠା ଦ୍ୱାରା ମାଓପ୍ରବଣ ଦୁର୍ଗମ ତୁଳସୀ ଗାଁ ଓ ନିକଟସ୍ଥ ଅଂଚଳରେ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । କାରଣ ଯେଉଁ ଅଂଚଳକୁ ଦିନେ ଚାଲିକି ଯିବା ସମ୍ଭବ ନଥିଲା ସେହି ଅଂଚଳରେ ଆଜି ପୋଲିସ ପହଂଚି ଲୋକଙ୍କ ନିକଟତର ହେବାକୁ ଲାଗିଛି । ସେହିପରି ଲୋକମାନେ କିଛିଦିନ ପୁର୍ବରୁ ରାସ୍ତାଘାଟ, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ବିଷୟରେ ବୁଝି ପାରୁ ନଥିଲେ ସେମାନେ ଆଜି ଏହାର ଅର୍ଥ ବେଶ ଭଲ ଭାବରେ ଜାଣି ପାରିଛନ୍ତି । ସେମାନଙ୍କ ଅଂଚଳରେ ବିଏସଏଫ କ୍ୟାମ୍ପ୍ ପ୍ରତିଷ୍ଠା ହେଲାପରେ ସେହି ଅଂଚଳର ଲୋକମାନେ ମାଓବାଦୀଙ୍କ ହାତ ଛାଡି ବିକାଶ ପାଇଁ ମୁଖ୍ୟସ୍ରୋତକୁ ଫେରି ଆଜି ପୋଲିସର ହାତ ଧରିଛନ୍ତି । ଯାହା ଫଳରେ ସେମାନେ ବିକାଶର ଚିତ୍ର ଦେଖୁଛନ୍ତି ବୋଲି କହିଛନ୍ତି ମାଲକାନଗିରି ଏସପି ।

ତେବେ ଦଣ୍ଡିପଦର ଠାରେ ଆୟୋଜିତ ଜନସମ୍ପର୍କ ଶିବିରରେ ମାଲକାନଗିରି ଏସପି ପହଂଚିବା ସମୟରେ ଗ୍ରାମବାସୀ ଏସପିଙ୍କୁ ନିଜ ପାରମ୍ପରିକ ସଙ୍ଗୀତ ଓ ବାଜା ବଜାଇ ଭବ୍ୟ ସ୍ୱାଗତ କରି ପାଛୋଟି ନେଇଥିଲେ । ସେଠାରେ ଏସପି ଜନସମ୍ପର୍କ ଶିବିରରେ ଯୋଗଦେଇ ପୋଲିସର କାର୍ଯ୍ୟ ଉପରେ ଲୋକମାନଙ୍କୁ କହିଥିଲେ । ସେଠାରେ ଲୋକମାନଙ୍କ ପାଇଁ ପୋଲିସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିବାରୁ ସେହି ଅଂଚଳର ବହୁ ଲୋକ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ମାଲକାନଗିରି ଏସପି ନୀତେଶ ୱାଧୱାନି ଗ୍ରାମବାସୀ ମାନଙ୍କୁ ଧୋତି, ଲୁଙ୍ଗି, ଚାଦର, ଶାଢୀ, ପିଲାମାନଙ୍କୁ ପୋଷାକ ଓ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ମାଲକାନଗିରି ଏସପିଙ୍କ ସହ ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ବିଏସଏଫ କ୍ୟାମ୍ପର ଆସିଷ୍ଟାଂଟ କମାଣ୍ଡେଂଟ , ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ସହ ସ୍ଥାନିୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳ ଗୁଡ଼ିକରେ କ୍ୟାମ୍ପ୍ ପ୍ରତିଷ୍ଠା ହେବା ପରେ ମାଓବାଦୀଙ୍କ ଉପଦ୍ରବ କମିଥିବା ଦେଖିବାକୁ ମିଳିଛି । କିଛିଦିନ ବ୍ୟବଧାନରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଜାନବାଇ, ହନ୍ତାଳଗୁଡା, ଜୋଡାମ୍ବ, ପଣସପୁଟ ଓ ଯନ୍ତ୍ରୀ ଠାରେ କ୍ୟାମ୍ପ ହେବା ପରେ ସ୍ୱାଭିମାନ ଅଂଚଳବାସୀ ଧୀରେ ଧୀରେ ମାଓବାଦୀଙ୍କ ହାତଛାଡ଼ି ଜିଲ୍ଲା ପୋଲିସର ହାତଧରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଯାହା ଫଳରେ ସ୍ୱାଭିମାନ ଅଂଚଳରେ ମାଓବାଦୀମାନଙ୍କ ଉପଦ୍ରବ କମିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *