ସମସ୍ୟାରେ ଜର୍ଜରିତ ତଙ୍ଗପାଲି ଗ୍ରାମ

Spread the love

ମାଲକାନଗିରି : ମାଲକାନଗିରି ଜିଲା ସଦର ବ୍ଲକ ଉଡୁପା ପଞ୍ଚାୟତ ସଦର ମହକୁମା ଠାରୁ ମାତ୍ର ସାଢ଼େ ୩ କି.ମି. ଦୂରରେ ଛତିଶଗଡ ସୀମାନ୍ତକୁ ଲାଗିରହିଛି ତଙ୍ଗପାଲ୍ଲୀ ଗ୍ରାମ। ଜିଲା ପ୍ରଶାସନ ଆଦିବାସୀମାନଙ୍କ ବିକାଶ ଏବଂ ଛତିଶଗଡକୁ ସଂଯୋଗ ପାଇଁ ମୋଟୁ ରୁ ତଙ୍ଗପାଲ୍ଲୀ ଗ୍ରାମକୁ ଏକ ବସ୍ ସେବା ଯୋଗାଇ ଦେଇଥିଲେ। କିନ୍ତୁ, ବସ୍ଟି କିଛିଦିନ ଚାଲିଲା ପରେ ରାସ୍ତା ଖରାପ ଯୋଗୁ ବନ୍ଦ ହୋଇଗଲା। ଏହି ରାସ୍ତାରେ ପଡିଥିବା ଗୋଡିଗୁଡିକ ଉଠି ବିଭିନ୍ନ ସ୍ଥାନରେ ଖାଲଖମା ହୋଇଯିବାରୁ ଗ୍ରାମବାସୀ ରୋଗୀଙ୍କୁ ଡାକ୍ତରଖାନା ନେବା, ପଦ୍ମଗିରି ଓ ମାଲକାନଗିରି ସଦର ମହକୁମା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗ୍ରାମରେ କୌଣସି ମୋବାଇଲ ଟାଓ୍ବାର ନ ଥିବାରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୧୦ ଛାତ୍ରୀଛାତ୍ରଙ୍କ ଅନ୍ ଲାଇନ୍ ପାଠପଢାରେ ବ୍ୟାଘାତ ଘଟିଛି। ଗ୍ରାମରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଏଠାରେ କେବଳ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଜଣେ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ବାହାରକୁ ଯିବା ସମୟରେ ପାଠପଢାରେ ବ୍ୟାଘାତ ହେଉଛି। ଏଥି ସହ ବିଦ୍ୟାଳୟରେ ପାନୀୟ ଜଳର କୌଣସି ସୁବିଧା ନ ଥିବାରୁ ମଧ୍ୟାହ୍ନଭୋଜନ ଠିକ୍ ସମୟରେ ଯୋଗାଇ ଦିଆଯାଇ ପାରୁନାହିଁ। ଗ୍ରାମରେ ୨୫୦ ପରିବାର ଥିବା ବେଳେ ଏଠାରେ ଜନସଂଖ୍ୟା ୧୧୫୦। ଗ୍ରାମରେ ଥିବା ୫ଟି ନଳକୂପରୁ ୪ଟି ଅଚଳ। ଗୋଟିଏ ନଳକୂପ ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଥିବାରୁ ଜଳ ନ ପାଇ ଗ୍ରାମଠାରୁ ଅଧା କି.ମି.ଦୂର ଏକ ଅପରିଷ୍କାର କୁଣ୍ଡରୁ ପାଣି ଆଣୁଥିବା ମହିଳାମାନେ କହିଛନ୍ତି। ସେହି ପାଣିରେ ରନ୍ଧା, ଲୁଗା ସଫା, ପିଲାମାନଙ୍କୁ ଗାଧୋଇବା, ପିଇବା ପାଇଁ ବ୍ୟବହାର କରିବା ସହ କୁଣ୍ଡରୁ ମଧ୍ୟ ଗୋରୁମାନେ ପାଣି ପିଉଛନ୍ତି। ସେହି ପାଣି ବ୍ୟବହାର ଦ୍ଵାରା ଗ୍ରାମରେ ଅନେକ ଚର୍ମରୋଗ, ପେଟରୋଗ ହେଉଥିବା ଗ୍ରାମ ମୁଖିଆ ଭଗବାନ ପଡିଆମି କହିଛନ୍ତି। ସେହିପରି ଦୀର୍ଘ ୧୦ ବର୍ଷ ପୂର୍ବରୁ ଉଠା ପାନୀୟଜଳ ବ୍ୟବସ୍ଥା ପାଇଁ ମୋଟର ଏବଂ ଟାଙ୍କି ଲଗା ଯାଇଥିଲେ ମଧ୍ୟ ଏକ ସପ୍ତାହ ପରେ ତାହା ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀଙ୍କ ସମସ୍ୟା ଦୂର ହୋଇ ପାରୁନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପଞ୍ଚାୟତ ସଦର ମହକୁମାରୁ ସାଢେ ୩ କି.ମି. ରାସ୍ତା ତଙ୍ଗପାଲ୍ଲୀ ଗ୍ରାମକୁ ପାଣି ଯୋଗାଇବା ପାଇଁ ପାଇପ୍ ବିଛା ଯାଇଥିଲା। ଉକ୍ତ ପାଇପ୍ ଗୁଡିକ ଏକମାସ ମଧ୍ୟରେ ନଷ୍ଟ ହୋଇଯିବାରୁ ଗ୍ରାମକୁ ପାଣି ଆସିପାରିନାହିଁ। ୨୫୦ ପରିବାର ମଧ୍ୟରୁ ମାତ୍ର ୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ୨୦ ବର୍ଷ ମଧ୍ୟରେପକ୍କା ଘର ପାଇଛନ୍ତି।

ଗ୍ରାମର ମୁଖିଆ ଭଗବାନ ପଡିଆମି, ନରସିଂହ ମାଡକାମି, ସରପଞ୍ଚ ଗଙ୍ଗା ମାଡକାମି, ଜୟ ମାଡକାମି, ରାମଧର ପଡିଆମି, ରାମଚନ୍ଦ୍ର କୁରାମି, ଏବଂ ସାମାଜିକ କର୍ମୀ ଫନିଭୂଷଣ ରାୟ କହିଛନ୍ତି, ଗ୍ରାମ ସୀମାନ୍ତକୁ ଲାଗି ଛତିଶଗଡର ଚିତାପାଲ୍ଲୀ ରହିଛି। ସେହିଗ୍ରାମକୁ ଛତିଶଗଡ ସରକାର ଘରେ ଘରେ ପାନୀୟ ଜଳ, ରାସ୍ତାଘାଟ ବିଜୁଳି, ଖାଦ୍ୟ ସାମଗ୍ରୀ, ପ୍ରାଥମିକ ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଇତ୍ୟାଦିର ସୁବିଧା କରିଥିଲେ। ଆମେ ଏ ସମ୍ପର୍କରେ ଜିଲା ଓ ବ୍ଲକ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ଗ୍ରାମକୁ ଆସି ଏହି ସମସ୍ୟା ଶୀଘ୍ର ଦୂର କରିବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ଶେଷ ହେବା ପରେ ଆଉ ଗ୍ରାମକୁ କେହି ଆସିନାହାନ୍ତି। ଏଣୁ, ଉଡୁପା ପଞ୍ଚାୟତବାସୀଙ୍କ ସହ ତଙ୍ଗପାଲ୍ଲୀ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି, ତୁରନ୍ତ ଆମ ପଞ୍ଚାୟତ ଏବଂ ଗ୍ରାମର ଥିବା ବିଭିନ୍ନ ସମସ୍ୟା ଦୂରକରିବା ପାଇଁ ।

Leave a Reply

Your email address will not be published. Required fields are marked *