ମାଣ୍ଡିଆ ହେରଫେର ଅଭିଯୋଗରେ ଟିଡ଼ିସିସି ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ

Spread the love

ମାଲକାନଗିରି : ଆଦିବାସୀମାନେ ନିଜ ଅଞ୍ଚଳର ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟକୁ କିପରି ସୁଲଭ ମୂଲ୍ୟରେ ବିକ୍ରିକରି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍ (ଟିଡିସିସି) ଗଠନ ହୋଇଛି। ଏହି ସଂସ୍ଥା ଜିଲାର ବିଭିନ୍ନ ଅଞ୍ଚଳରେ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ଏବଂ ଜଙ୍ଗଲ ଜମିରେ ଚାଷ ହେଉଥିବା ଖାଦ୍ୟଶସ୍ୟ ଚାଷୀଙ୍କ ନିକଟରୁ କ୍ରୟ କରିଥାଏ। ଜିଲାରେ ପ୍ରଚୁର ମାଣ୍ଡିଆ ଚାଷ ହେଉଥିବାରୁ ଏହି ସଂସ୍ଥାକୁ ଚାଷୀଙ୍କ ଠାରୁ ମାଣ୍ଡିଆ ଖରିଦ ପାଇଁ ଅନୁମତି ମିଳିଥିଲା। ଏବେ ଏହି ମାଣ୍ଡିଆକୁ ବାଟମାରଣା କରି ଟିଡିସିସିର ଜଣେ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ ହୋଇଛନ୍ତି। ତାଙ୍କ ନାମ ଉପେନ୍ଦ୍ରନାଥ ବେହେରା। ସେ ୩୦ ଲକ୍ଷ ଟଙ୍କାର ମାଣ୍ଡିଆ ହେରଫେର କରିଥିବା ନେଇ ଟିଡିସିସି ପରିଚାଳକ ବ୍ରହ୍ମାନନ୍ଦ ମାଝୀ ମାଥିଲି ଥାନାରେ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଶ୍ରୀ ବେହେରା ୨୦୨୧ରେ ମାଥିଲି ଟିଡିସିସିରେ ଯୋଗ ଦେଇଥିଲେ। ୨୦୨୧ରେ ୬୭୨୦ କୁଇଣ୍ଟାଲ ୬୯ କେଜି ମାଣ୍ଡିଆ ଚାଷୀଙ୍କ ଠାରୁ କ୍ରୟ କରି ଗୋଦାମରେ ରଖାଯାଇଥିଲା। ହେଲେ ଏଥିମଧ୍ୟରୁ ୪ଟି ରସିଦରେ ୬୩୯ କୁଇଣ୍ଟାଲ ୭୧ କେଜି ମାଣ୍ଡିଆର ପ୍ରାପ୍ତିପତ୍ର ନ ଥିବା ଅଡିଟ୍ ସମୟରେ ଜଣାପଡିଥିଲା। ଏ ସମ୍ପର୍କରେ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଯୋଗାଣ ବିଭାଗର କ୍ଷମତାପ୍ରାପ୍ତ ଠିକାଦାର ବିଜୟ ପଣ୍ଡାଙ୍କୁ ସେ ୬୩୯.୭୧ କୁଇଣ୍ଟାଲ ମାଣ୍ଡିଆ ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ ଠିକାଦାର ପଣ୍ଡାଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *