କାମରେ ଆସୁନି ତେଲରାଇ ବିଟ ବନରକ୍ଷୀଙ୍କ ବାସଗୃହ

ମାଲକାନଗିରି : ରାଜ୍ୟ ଓ କେନ୍ଦ୍ର ସରକାର ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାରେ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏମିତିକି ଜଙ୍ଗଲ ସୁରକ୍ଷା ସହିତ ଗଛ ଲଗାଇବା ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ କିଛି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ସରକାରଙ୍କ ମହତ୍ୱାକାଙ୍ଖୀ ଉଦ୍ଦେଶ୍ୟ ପୁରଣ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏହିପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳରୁ । କାଲିମେଳା ଫରେଷ୍ଟ ସେକ୍ସନ ଅଧିନ ତେଲରାଇ ବିଟ ବନରକ୍ଷୀଙ୍କ ପାଇଁ କାଲିମେଳା -ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି-୧୨୬ ଗ୍ରାମ ନିକଟରେ କାମ୍ପା ଫଣ୍ଡରେ ୨୦୧୭ -୧୮ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବାସଗୃହ ନିର୍ମାଣ ହୋଇଛି । କିନ୍ତୁ ଦାୟିତ୍ଵରେ ଥିବା ବନରକ୍ଷୀ ଦିନକ ପାଇଁ ମଧ୍ୟ ଘର ଖୋଲିନଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଫଳରେ କାଠ ମାଫିଆ ଓ ଜନ୍ତୁ ଶିକାରୀ ନିର୍ଭୟରେ ସକ୍ରୀୟ ରହୁଥିବା ଆଲୋଚନା ହେଉଛି ।

ଏପଟେ ଦାୟିତ୍ଵରେ ଥିବା ବନ କର୍ମଚାରୀ କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ରହି ଲୋକ ଦେଖାଣିଆ ଭାବେ ଯାଇ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସଗୃହ କାର୍ଯ୍ୟରେ ଆସୁନଥିବା ଆଲୋଚନା ହେଉଛି । ଏହି ବିଷୟରେ ରେଞ୍ଜରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା।

କାଲିମେଳା ଓ ମୋଟୁ ବନାଞ୍ଚଳରେ ଏପରି ଭାବେ ବହୁ ବନରକ୍ଷୀଙ୍କ ବାସଗୃହ ନିର୍ମାଣ ହୋଇଛି, କିନ୍ତୁ ଉକ୍ତ ଗୃହ ଗୁଡିକ ଠିକ ଭାବେ ବ୍ୟବହାର କରାଯାଉ ନଥିବାରୁ ଏହା ଭୂତକୋଠିରେ ପରିଣତ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *