ବିପଦପୂର୍ଣ୍ଣ ଭାବେ ପୋଟେରୁ ନଦୀରେ କେନ୍ଦୁପତ୍ର ପାର କରୁଛନ୍ତି ଗ୍ରାମବାସୀ

Spread the love

ମାଲକାନଗିରି : ଗ୍ରୀଷ୍ମ ରୁତୁ ବେଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ୯୦ ଶତକଡ଼ାରୁ ଉର୍ଦ୍ଧ୍ୱ ଅଂଚଳରେ କେନ୍ଦୁପତ୍ର ତୋଳି ବିକ୍ରିକରି ଦାନା ସଂଗ୍ରହ କରିଥାନ୍ତି ସ୍ଥାନିୟ ଆଦିବାସୀ । ଏଥିପାଇଁ କେନ୍ଦୁପତ୍ର ତୋଳାଳୀ ମାନେ ବଡ଼ି ଭୋରରୁ କେନ୍ଦୁପତ୍ର ତୋଳି ଅପରାହ୍ଣ ସମୟରେ ଏହାକୁ ଗଣତି କରି ବିଡ଼ା ବାନ୍ଧି ସ୍ଥାନୀୟ ଫଡ଼ିରେ ବିକ୍ରି କରିଥାନ୍ତି । ଚଳିତ ବର୍ଷ ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ କେନ୍ଦୁପତ୍ର ବସ୍ତା କିଣାଯାଉଥିବା ବେଳେ କେତେକ ସ୍ଥାନରେ ଏବେବି କେନ୍ଦୁପତ୍ର ଗଚ୍ଛିତ ରହିଥିବାରୁ ତୋଳାଳୀ ଏହାକୁ ଜେଣତେଣ ପ୍ରକାରେ ବିକ୍ରି କରିବାକୁ ପଛାଉ ନାହାଁନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଶିମିଳିବାଞ୍ଛା ପଂଚାୟତ ଅନ୍ତର୍ଗତ ଦୁର୍ଗମ ଗୌରଖ ପଲ୍ଲୀ ଗ୍ରାମ ନିକଟସ୍ଥ ପୋଟେରୁ ନଦୀ ଘାଟରେ । ସ୍ଥାନୀୟ ଅଂଚଳରେ ବିଭାଗ କିମ୍ବା ପଂଚାୟତ ପକ୍ଷରୁ କେନ୍ଦୁପତ୍ର କିଣାଯିବାର ପ୍ରକ୍ରିୟା ବନ୍ଦ ରହିବାରୁ ଲୋକେ ଘରେ ଗଚ୍ଛିତ କରି ରଖିଥିବା କେନ୍ଦୁପତ୍ରକୁ ବିକ୍ରି କରିବା ନେଇ ଦିଗହରା ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଅତ୍ୟନ୍ତ କମ୍ ଦରରେ କେନ୍ଦୁପତ୍ର କିଣୁଥିବା ବେଳେ ସ୍ଥାନୀୟ ଅଂଚଳର କେନ୍ଦୁପତ୍ର ତୋଳାଳୀ ମାନେ ଅସହାୟ ହୋଇ ପୋଟେରୁ ନଦୀରେ ବିପଦପୂର୍ଣ୍ଣ ଭାବେ ପାର ହୋଇ ପଡୋଶୀ କାଲିମେଳା ବ୍ଲକର ତାଣ୍ଡବାଇ ଓ ପୁସୁଗୁଡା ପଂଚାୟତରେ ଥିବା ଫଡ଼ିରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ କୁନିକୁନି ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧା ମାନେ କେନ୍ଦୁପତ୍ର ବସ୍ତା ଧରି କିମ୍ବା ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡି ଯୋଗେ ବିପଦପୂର୍ଣ୍ଣ ଭାବେ ଏହି ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି । ଏପରିକି ନଦୀରେ ପଥର ବ୍ୟବହାର କରି କୂତ୍ରିମ ରାସ୍ତା କରି ବହିଯାଉଥିବା ଜଳରାଶି ମଧ୍ୟରେ ବିପଦପୂର୍ଣ୍ଣ ଭାବେ ଏହି କେନ୍ଦୁପତ୍ର ପାର କରିବାକୁ ପଛାଉ ନାହାଁନ୍ତି । ଏ ବାବଦରେ ନଦୀ କୂଳରେ କେନ୍ଦୁପତ୍ର ବସ୍ତା ଧରି ଛିଡା ହୋଇଥିବା ଲୋକଙ୍କୁ ପଚାରିବାରୁ ସେମାନେ ଅତ୍ୟନ୍ତ ଅସହାୟ ଗଳାରେ ପେଟପାଇଁ ଦାନା ଯୋଗାଡ କରିବାକୁ ଏଭଳି ନଦୀ ପାର କରୁଥିବା କହିଛନ୍ତି । କେନ୍ଦୁପତ୍ରର ଦର କେରୀ ବିଡା ପିଛା ୪ ଟଙ୍କା କିମ୍ବା ତଦୁର୍ଦ୍ଧ ରହିଥିବା ବେଳେ ଶିମିଳିବାଞ୍ଛା ପଂଚାୟତରେ ବିଭିନ୍ନ ଗ୍ରାମରେ ଏହାର ଦର କମ୍ ରହିବାରୁ ଲୋକେ ବାଧ୍ୟ ହୋଇ ଏହାର ଉପଯୁକ୍ତ ଦର ଆଶା କରି ନଦୀ ପାର କରୁଥିବା କହିଛନ୍ତି । ସରକାରଙ୍କ ପକ୍ଷରୁ ଲୋକେ କେନ୍ଦୁପତ୍ରର ଉଚିତ ମୂଲ୍ୟ ପାଇବା ପାଇଁ ପଂଚାୟତରେ ଖୋଲା ବଜାର ବ୍ୟବସ୍ଥା କରାଯାଇ ଥିଲେ ମଧ୍ୟ ଚଳିତ ବର୍ଷର କୋହଲା ପାଗ ଓ ବ୍ୟବସାୟୀ ମାନେ ମୁହଁ ଫେରାଇ ନେବାରୁ ଏଭଳି ପରିସ୍ଥିତି ଦେଖା ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏପରି ସ୍ଥିତିରେ ସ୍ଥାନୀୟ ଅଂଚଳରେ କେନ୍ଦୁପତ୍ର ଚାଲାଣ ସହ ତୋଳାଳୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *