ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ କେବେ ?

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଲାଣି । ପ୍ରବଳ ଖରା ଲାଗି, ପୋଖରୀ, କୂଅ ଓ ନଈ ସବୁ ଶୁଖିଲା ପଡ଼ିଛି । ଆଉ ଏମିତି ସ୍ଥିତିରେ ପିଇବା ପାଣି ଟୋପାଏ ପାଇଁ ବଡ଼ କଲବଲ ହେଉଛନ୍ତି ଲୋକେ । ସବୁଦିନ ପାଣି ଯୋଗାଇବା ଲାଗି ସରକାର ୪ଟି ନୂଆ ୱାଟର ପ୍ରୋଜେକ୍ଟ ଘୋଷଣା କରିଛନ୍ତି ସତ ହେଲେ ତାହା ଲୋକଙ୍କ କାମରେ ଆସୁନି ।

୪୦ ଡିଗ୍ରୀ ଖରାରେ ଶୁଖିଗଲାଣି ନଈନାଳ । ନଳକୂଅରୁ ବାହାରୁନି ପାଣି । କିଛି ଜାଗାରେ ଚୁଆ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ମାଲକାନଗିରି ବାସିନ୍ଦା । ଖରାଦିନରେ ଲୋକମାନେ କେମିତି ହଇରାଣ ନହେବେ ସେଥି ଲାଗି ୨୦୧୯ ମସିହାରେ ୧୦ଟି ପାଇପ୍ ୱାଟର ପ୍ରୋଜେକ୍ଟ ମଞ୍ଜୁର କରିଥିଲେ ରାଜ୍ୟ ସରକାର । କାଲିମେଳା ବ୍ଲକର ୫ଟି ପଞ୍ଚାୟତ ୨୧ଟି ଗାଁର ୫୮୬୫ ଘର ଓ ମାଲକାନଗିରି ବ୍ଲକ ୫ଟି ପଞ୍ଚାୟତ ୩୩ଟି ଗାଁର ୬୨୬୮ଟି ଘରକୁ ପାଣି ପହଞ୍ଚାଇବା ପାଇଁ ପଟେରୁ ନଦୀର ଭେଙ୍କଟାପାଲମ ଓ ଏମଭି ୩୯ ଠାରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ମଞ୍ଜୁର ହୋଇଥିଲା । ୧୧ ସେପ୍ଟେମ୍ବର ୨୦୨୦ ମସିହାରେ ଏହାର କାର୍ଯ୍ୟାଦେଶ ଜେ ଏମ ସି କମ୍ପାନୀକୁ ଦିଆଯାଇଥିଲା । ଏହି କାର୍ଯ୍ୟ ସରିବାର ଅବଧି ଥିଲା ୯ ସେପ୍ଟେମ୍ବର ୨୦୨୨ । କିନ୍ତୁ ଏବେ ସୁଦ୍ଧା କାମ ସରିନାହିଁ । ତେଣୁ କାମର ଅବଧି ବଢାଯାଇଛି । ଆଉ ଏବେ ୧୩ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ । ସେହିପରି କୋରୁକୁଣ୍ଡା ବ୍ଳକର ୧୩୮୯୧ ଘର, ପଡ଼ିଆ ବ୍ଲକର ୯୬୨୮ ଘର ପାଇଁ ପଟେରୁ ଓ ସାବେରୀ ନଦୀରେ ପ୍ରକଳ୍ପ କରିବାକୁ ଏନ ଏ କମ୍ପାନୀକୁ ୧୦ ଡିସେମ୍ବର ୨୦୨୧ରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୯ ନଭେମ୍ବର ୨୦୨୩ ମଧ୍ୟରେ କାମ ସାରିବାକୁ କୁହାଯାଇଥିଲା । ଏବେ ସୁଦ୍ଧା ମାତ୍ର ୬୦ ପ୍ରତିଶତ କାମ ସରିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁ ଘରକୁ ଏଯାଏଁ ପାଣି ପାଇପ୍ ବି ବିଛାଯାଇନି ।

ଜିଲ୍ଲାରେ ପ୍ରାୟ ସବୁ ପ୍ରୋଜେକ୍ଟ ଅଧପନ୍ତରିଆ ଅବସ୍ଥାରେ ରହିଛି । ଆଉ ଏମିତି ସ୍ଥିତିରେ ପୁଣି ଗତ ଜାନୁଆରୀ ମାସରେ ୭୩୯ କୋଟି ୨୭ ଲକ୍ଷ ଟଙ୍କାର ୪ଟି ମେଗା ପାଇପ୍ ୱାଟର ପ୍ରୋଜେକ୍ଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରତି ଘରେ ପାଣି ପହଞ୍ଚାଇବାକୁ କୋଟି କୋଟି ଟଙ୍କା ବ୍ୟୟରେ ଯୋଜନା କରୁଛନ୍ତି ସରକାର । ହେଲେ ଯୋଜନା ତ ସରୁନି ବରଂ ପ୍ରୋଜେକ୍ଟ ସବୁ ଅଧପନ୍ତରିଆ ଅବସ୍ଥାରେ ରହିଛି । ତେଣୁ କେବେ ଜିଲ୍ଲାବାସୀଙ୍କୁ ପିଇବା ପାଣି ମିଳୁଛି ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *