ଏସସିବିରେ ଆହତଙ୍କୁ ଭେଟିଲେ ମମତା ବାନାର୍ଜୀ

Spread the love

କଟକ/ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଭେଟିଛନ୍ତି । ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ କହିଥିଲେ ଯେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ତାଙ୍କ ରାଜ୍ୟର ୩୧ ଜଣ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ସମ୍ପର୍କରେ କିଛି ସୂଚନା ମିଳୁନାହିଁ । ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି । ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ବି ୯୭ ଜଣ ଚିକିତ୍ସାଧୀନ ଅଛନ୍ତି । କେବଳ ଏସସିବିରେ ୫୩ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ମମତା କହିଛନ୍ତି ।

ଏଥିସହ ଏସସିବିରେ ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମମତା ଧନ୍ୟବାଦ ଦେଇଛନ୍ତି । ଏଥିପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ସିବିଆଇ କରୁଛି । ସତ ସାମ୍ନାକୁ ଆସୁ ବୋଲି ସେ କହିଛନ୍ତି ।

ମଙ୍ଗଳବାର ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ହେଲିକାପ୍ଟର ଯୋଗେ ସିଧାସଳଖ କଟକ ରେଭେନ୍ସା ହେଲିପ୍ୟାଡ୍ ରେ ପହଂଚିଥିଲେ । ସେଠାରୁ ସଡକପଥରେ ଏସସିବି ଯାଇ ଆହତଙ୍କୁ ଭେଟିଥିଲେ ମମତା ।

ସୂଚନାଯୋଗ୍ୟ ଯେ ବାହାନଗା ଟ୍ରେନ୍ ଦୁର୍ଘଟଣାପରେ ମମତାଙ୍କର ଏହା ଦ୍ୱିତୀୟ ଓଡିଶା ଗସ୍ତ । ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ବହୁଲୋକ ମୃତାହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *