ମନମୋହନଙ୍କ ମୁଣ୍ଡରେ ମଙ୍ଗୁଆଳ ମୁକୁଟ..

ରାଜ୍ୟ ବିଜେପିର ମଙ୍ଗୁଆଳ ମୁକୁଟ କିଏ ପିନ୍ଧିବ। ମନମୋହନ ରିପିଟ୍ ହେବେ ନା ଆଉ କେହି ନୂଆ ଚେହେରା ଗାଦିରେ ବସିବେ। ଏହାକୁ ନେଇ ବିଜେପି ରାଜ୍ୟ କାର୍ଯାଳୟରେ ଆଜି ଦିନ ତମାମ ଲାଗିଥିଲା ପ୍ରମୁଖ ନେତାଙ୍କ ଭିଡ଼। କାରଣ ରାଜ୍ୟ ସଭାପତି ପଦ ପାଇଁ ଥିଲା ନାମାଙ୍କନ। ତେବେ ନିର୍ବାଚନ ନୁହେଁ, ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନର ପରମ୍ପରା ଏଥର ବି ଅତୁଟ ରହିଲା। ପୁଣି ଥରେ ମନମୋହନଙ୍କୁ ରିପିଟ୍ କଲା ଦଳ। ଆଉ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସଓ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ। ସଭାପତି ରେସରେ ମନମୋହନ ସାମଲଙ୍କ ସମେତ ଗୋଲକ ମହାପାତ୍ର, ପ୍ରଦୀପ ପୁରୋହିତ, ସମୀର ମହାନ୍ତି ଓ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ଶୁଣାଯାଉଥିଲା। କିନ୍ତୁ ଅନୁଭବୀ ଓ ଅଭିଜ୍ଞ ମନମୋହନଙ୍କ ନେତୃତ୍ୱକୁ ପୁଣି ଭରସା କଲେ ଶୀର୍ଷ ନେତୃତ୍ୱ। ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ସଭାପତି ନିର୍ବାଚିତ ହେଲେ ମନମୋହନ। କେବଳ ଔପଚାରିକ ଘୋଷଣା ବାକି। ରାଜନୀତିରେ ଲମ୍ୱା କ୍ୟାରିଅରର ଅଧିକାରୀ ମନମୋହନ। ୨୦୦୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମନମୋହନ। ୨୦୦୪ରେ ଧାମନଗରରୁ ବିଧାୟକ ଭାବେ ଜିତି ମେଣ୍ଟ ସରକାରରେ ରାଜସ୍ୱ ଓ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ। ୧୯୯୯ରୁ ୨୦୦୪ ଯାଏ ପ୍ରଥମ ଥର ରାଜ୍ୟ ସଭାପତି ହୋଇଥିଲେ। ୨୪ ନିର୍ବାଚନର ଭାର ମନମୋହନଙ୍କ କାନ୍ଧରେ ଦଳ ଦେଇ ୨୩ରେ ତାଙ୍କୁ ମଙ୍ଗୁଆଳ ପଦରେ ଦ୍ୱିତୀୟ ଥର ବସାଇଥିଲା। ମନମୋହନ ସିନା ନିଜେ ଜିତିପାରିଲେନି। କିନ୍ତୁ ଦଳକୁ ଏକାକୀ କ୍ଷମତା ଚୌକିରେ ବସାଇଥିବାର ଶ୍ରେୟ ତାଙ୍କୁ ଯାଏ। ୧୧ଟାରୁ ଅପରାହ୍ନ ୨ଟା ଭିତରେ ସଭାପତି ପଦ ଲାଗି ନାମାଙ୍କନପତ୍ର ଦାଖଲ ସହ ଚିହ୍ନ ପ୍ରକାଶ ପାଇବାର ସମୟ ସ୍ଥିରୀକୃତ ହୋଇଥିଲା। କିନ୍ତୁ ଏଥିରେ ସାମାନ୍ୟ ବିଳମ୍ୱ ଘଟିଥିଲା। ନିର୍ବାଚନ ହୋଇଥିଲେ ୨୭୩ ମତଦାତା ବାଛିଥାଆନ୍ତେ ସଭାପତି। ଏକାଧିକ ସଭାପତି ପଦ ଲାଗି ଆଶାୟୀ ଥିଲେ ବି ଅନୁଭବୀ ଓ ଅଭିଜ୍ଞତା ଦୃଷ୍ଟିରୁ ମନମୋହନଙ୍କ ନାଁ ସର୍ବାଗ୍ରେ ଥିଲା। ଆଶାୟୀ ପ୍ରଦୀପ ପୁରୋହିତ କହିଥିଲେ, ଯିଏ ସଭାପତି ଭାବେ ନାମାଙ୍କନ ଭରିବେ, ତାଙ୍କ ପାଖକୁ ଉପରୁ ଫୋନକଲ୍ ଆସିଥାଏ। ସହମତି ଭିତ୍ତିରେ ହିଁ ନିଷ୍ପତ୍ତି ହେବ ବୋଲି କହିସାରିଥିଲେ ପ୍ରଦୀପ। ଆଗ ରାଷ୍ଟ୍ରୀୟ ପରିଷଦ ଲାଗି ନାମାଙ୍କନ ଭରିବା କାମ ଆରମ୍ଭ ହୋଇଥିଲା। ମନମୋହନଙ୍କ ପାର୍ଟି ଅଫିସକୁ ଏଣ୍ଟ୍ରି ବି ଥିଲା ନିଆରା। ମନ୍ଦିର ଯାଇ ମୁଣ୍ଡରେ ଚନ୍ଦନ ଟିକା ମାରି ପହଞ୍ଚିଥିଲେ ମନମୋହନ। ରାଜ୍ୟ ବିଜେପିର ନବକଳେବରକୁ ଫୋକସରେ ରଖି ମନମୋହନଙ୍କୁ ମଙ୍ଗୁଆଳ ମୁକୁଟ ପିନ୍ଧାଇଲା ଦଳ। ବିଶ୍ୱଭୂଷଣ ହରିଚନ୍ଦନଙ୍କଠୁ ନେଇ ଦେବେନ୍ଦ୍ର ପ୍ରଧାନ, ବିମ୍ୱାଧର କୁଅଁର, ଜୁଏଲ ଓରାମ, ମନମୋହନ ସାମଲ, ସୁରେଶ ପୂଜାରୀ, କେଭି ସିଂଦେଓ, ବସନ୍ତ ପଣ୍ଡା ଓ ସମୀର ମହାନ୍ତିଙ୍କ ଭଳି ତୁଙ୍ଗ ନେତା ଦଳର ମଙ୍ଗ ଧରିଥିଲେ। ମନମୋହନ ସାମଲ ୨୦୨୩ରେ ଦ୍ୱିତୀୟ ଥର ସଭାପତି ପଦରେ ବସିଥିଲେ। ମନମୋହନଙ୍କ ନେତୃତ୍ୱରେ ୨୪ ନିର୍ବାଚନ ଲଢ଼ିଥିଲା ଦଳ। ଆଉ ଏବେ ତୃତୀୟ ଥର ମଙ୍ଗୁଆଳ ମୁକୁଟ ପିନ୍ଧିଲେ ମନମୋହନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *