କୁନି ବୟସରେ ଅସୀମିତ କଳାର ପ୍ରତିଭା

Spread the love

ବରଗଡ: କୁନି ବୟସରେ ଅସୀମିତ କଳାର ପ୍ରତିଭା, ଚମତ୍କାର ଢଙ୍ଗରେ ନାଚ,ଗୀତ ଓ ବାଦ୍ୟ ବଜାଇ ସମସ୍ତଙ୍କୁ ଆଚମ୍ବିତ କରୁଛନ୍ତି ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଲା ପାଲି ଗାଁର ଶିଶୁ କଳାକାର ଲକ୍ଷ୍ମୀକାନ୍ତ ବାରିକ । ତାଙ୍କର ଏପରି ଯାଦୁଗରୀ କଳା ଯୋଗୁଁ ଲକ୍ଷ୍ମୀକାନ୍ତ ବହୁ ଜାଗାରେ ପୁରସ୍କୃତ ହୋଇଥିବା ବେଳେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ତାଙ୍କ ପାଖକୁ ।

ପାଦରେ ଘୁଙ୍ଗୁର,କାନ୍ଧରେ ମୃଦଙ୍ଗ ଏବଂ ମୁହଁରେ ସୁମଧୁର ଗୀତ, ଆଉ ଏସବୁର ତାଳେ ତାଳେ ନାଚ,ଗୀତ ଓ ବାଦ୍ୟ ବଜାଇ ସମସ୍ତଙ୍କର ମନ କିଣୁଛନ୍ତି ଶିଶୁ କଳାକାର ଲକ୍ଷ୍ମୀକାନ୍ତ ବାରିକ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଲାପାଲି ଗାଁର ଶୁକଦେବ ବାରିକ ଏବଂ ସୁଚିତ୍ରା ବାରିକଙ୍କ ଛଅ ବର୍ଷର ପୁଅ ଲକ୍ଷ୍ମୀକାନ୍ତ , ଯେଉଁ ସମୟରେ ପିଲାମାନେ ଖେଳକୁଦ ପାଠପଢ଼ାରେ ମନନିବେଶ କରନ୍ତି ଲକ୍ଷ୍ମୀକାନ୍ତ ସେହି ସମୟରେ ଚମତ୍କାର କଳା ପ୍ରଦର୍ଶନ କରି ଲୋକଙ୍କ ପ୍ରଶଂସା ସାଉଟୁଛନ୍ତି ।ପିଲାଟି ଦିନରୁ ତାଙ୍କର କଳା ପ୍ରତି  ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ତୁଳସୀ ଦୁଇପତ୍ରରୁ ବାସିବା ପରି ଧୀରେ ଧୀରେ ତାଙ୍କର କଳା ପ୍ରସ୍ପୁଟିତ ହେବାରେ ଲାଗିଛି । ଏକାଧାରରେ ସେ ନୃତ୍ୟ,ଗୀତ ଓ ବାଦ୍ୟ ବଜାଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଙ୍ଗସାଥିଙ୍କ ସହ ଖେଳକୁଦ ପାଠପଢ଼ା ପରେ ସମୟ ବାହାର କରି ମୃଦଙ୍ଗ ବଜାଇଥାଆନ୍ତି । ଯେହେତୁ ତାଙ୍କ ବାପା ଅଜା ଜଣେ ଜଣେ କଳାକାର ତେଣୁ ତାଙ୍କର ମଧ୍ୟ କଳା ପ୍ରତି ଦୁର୍ବଳତା ଦେଖି କରୋନା କାଳରେ ତାଙ୍କର ଅଜା ପ୍ରଥମେ ଏକ ଛୋଟ ମୃଦଙ୍ଗ ଟିଏ ଆଣି ମୃଦଙ୍ଗ ବଜାଇବା ଶିଖେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ବିଭିନ୍ନ ସ୍ଥାନରେ ନିଜର କଳା ପ୍ରଦର୍ଶିତ କରି ପୁରସ୍କୃତ ଓ ପ୍ରଶଂସିତ ହେଉଛନ୍ତି।

ଲକ୍ଷ୍ମୀକାନ୍ତ ଏବେ ଗାଁ ସ୍କୁଲରେ ଦ୍ଵିତୀୟ  ଶ୍ରେଣୀରେ ପାଠ ପଢୁଛନ୍ତି ।  ଅବସର ସମୟରେ ସାଙ୍ଗ ମାନଙ୍କ ସହ ଖେଳକୁଦ କରି ସମୟ ବିତାଇଥାନ୍ତି ।ଏପରିସ୍ଥିତିରେ ମଧ୍ୟ ତାଙ୍କର ଏପରି ବହୁମୁଖି ପ୍ରତିଭା ପାଇଁ ତାଙ୍କର ପରିବାର ଓ ସାଙ୍ଗ ସାଥୀ ଗର୍ବ ଅନୁଭବ  କରୁଛନ୍ତି । ତେବେ ଆଗକୁ ପାଠପଢ଼ା ସହ ଏକ ଭଲ କଳାକାର ଭାବେ ନିଜ ବାପାମା ଓ ଗାଁର ନାଁ କୁ ଆହୁରି ଉଚ୍ଚକୁ ନେବେବୋଲି ବାପାମା ଆଶା କରିଛନ୍ତି ।

ଲକ୍ଷ୍ମୀକାନ୍ତଙ୍କ ଏହି କଳା ପ୍ରତିଭା ନିଶ୍ଚିତ ଭାବେ ଅନ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ।

ଧୃବକର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *