ବୈବାହିକ ବିବାଦ ମାମଲାକୁ ନେଇ ଭର୍ଚ୍ଚୁଆଲରେ ହାଜର ହୋଇ ପକ୍ଷ ରଖ। ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ମାମଲା ଟ୍ରାନ୍ସଫର ପରିବର୍ତ୍ତେ ଟ୍ରାଏଲ କୋର୍ଟରେ ଉଭୟ ହାଜର ହୁଅନ୍ତୁ ବୋଲି ଉଭୟ ପକ୍ଷକୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ପତ୍ନୀଙ୍କ ଏରିଆରୁ କେସ୍ ଟ୍ରାନ୍ସଫର ନେଇ ସ୍ୱାମୀ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ଏଥିରେ ନ୍ୟାୟର ଉଦେଶ୍ୟ ସାଧିତ ହୋଇପାରିବ। ଯେହେତୁ ଉଭୟ ପକ୍ଷ ବିଭିନ୍ନ ଜାଗାରେ ରହୁଛନ୍ତି ବା ଚାକିରୀ କରୁଛନ୍ତି। କାହାକୁ ବ୍ୟକ୍ତିଗତ ଭାବେ କୋର୍ଟ ଆସିବାର ହଇରାଣ ହେବାକୁ ପଡ଼ିବନି। ସେଥିଲାଗି ଭର୍ଚ୍ଚୁଆଲ ମୋଡରେ ଉଭୟଙ୍କୁ ହାଜର ଲାଗି ଅନୁମତି ଦେଇଛନ୍ତି ହାଇକୋର୍ଟ। ବାଲେଶ୍ୱର ଜେଏମଏଫସି କୋର୍ଟ ଓ ଫ୍ୟାମିଲି କୋର୍ଟରେ ପତ୍ନୀ ଘରୋଇ ହିଂସାକୁ ନେଇ ସ୍ୱାମୀ ଓ ତାଙ୍କ ପରିବାର ବିରୁଦ୍ଧରେ ସେକ୍ସନ ୧୨ ସମେତ ୧୪୪ ଧାରାରେ ମାମଲା ରୁଜୁ କରିଥିଲେ। ସ୍ୱାମୀ ସେକ୍ସନ ୪୪୭ରେ ଦୁଇଟି ଟ୍ରାନ୍ସଫର ପିଟିସନ ପକାଇଥିଲେ। ଉଭୟ ମାମଲାକୁ ବାଲେଶ୍ୱରରୁ କଟକରୁ ସ୍ଥାନାନ୍ତର ଦାବି କରିଥିଲେ। କେବଳ ସ୍ୱାମୀ ଓ ଶାଶୁ ଘରକୁ ମାମଲାରେ ଛନ୍ଦି ନଥିଲେ ପତ୍ନୀ। ବରଂ ଦୂର ସମ୍ପର୍କୀୟଙ୍କୁ ବି ପକ୍ଷଭୁକ୍ତ କରିଥିବାରୁ ଶୁଣାଣୀ ଲାଗି ସମସ୍ତଙ୍କୁ ବାଲେଶ୍ୱର ଆସିବା ମୁସ୍କିଲ ହେବ ବୋଲି ନିଜ ପିଟିସନରେ ଦର୍ଶାଇଥିଲେ ସ୍ୱାମୀ। ଏହା ସହ ସ୍ୱାମୀ ଜଣକ ଦେବଗଡ଼ର ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ ଚାକିରୀ କରୁଥିବାରୁ କୋର୍ଟ ଶୁଣାଣୀ ଲାଗି ସବୁବେଳେ ତାଙ୍କୁ ଛୁଟି ମିଳିବନି ବୋଲି ଦର୍ଶାଇଥିଲେ। ଏହା ସହ ଶାଶୁଙ୍କ ଆଡ଼ୁ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇଥିଲେ। କାରଣ ଶାଶୁଙ୍କ ଅପରାଧିକ ରେକର୍ଡ ରହିଛି। ତେବେ ପତ୍ନୀଙ୍କ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ନିରନ୍ତର ନିର୍ଯାତନା ସାଙ୍ଗକୁ ତାଙ୍କୁ ହତ୍ୟା ଉଦ୍ୟମ ହେତୁ ସେ ବାଧ୍ୟ ହୋଇ ଭୟରେ ତାଙ୍କ ବାପ ଘରେ ଆସି ରହୁଛନ୍ତି। ବାପା ମାଆଙ୍କ ଉପରେ ଆର୍ଥିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଟ୍ରାଏଲ ପ୍ରୋସିଡିଂରେ ଅନ୍ତରୀଣ ରହିତାଦେଶ ଲାଗି ସେ କୌଣସି ଅନ୍ତରୀଣ ଭରଣପୋଷଣ ବି ପାଇନାହାନ୍ତି। ଆଉ ପୁରା ମାମଲାକୁ ନିରୀକ୍ଷଣ କଲା ପରେ କୋର୍ଟ କହିଛନ୍ତି, ମାମଲା ଟ୍ରାନ୍ସଫର ପରିବର୍ତ୍ତେ ଉଭୟ ପକ୍ଷ ଭର୍ଚ୍ଚୁଆଲରେ ସାମିଲ୍ ହେବେ। ବିଚାରପତି କହିଛନ୍ତି, ଯେହେତୁ ପତ୍ନୀଙ୍କ ଆୟର କୌଣସି ଉତ୍ସ ନାହିଁ। ଆଉ ସେ ବାପା ମାଆଙ୍କ ସହ ରହୁଛନ୍ତି। ସେଥିଲାଗି ମାମଲା ବାଲେଶ୍ୱରରୁ ଟ୍ରାନ୍ସଫର ହୋଇପାରିବନି।


Naxatra News is now on Whatsapp
Join and get latest news update delivered to you via whatsapp
Join Now