ଖୋର୍ଦ୍ଧା : ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ମଙ୍ଗଳବାର ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଚିଲିକାରେ ହେଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଚିଲିକାରେ ଦୈନନ୍ଦିନ ନୌଯାତ୍ରା ସମୟରେ ନୌଚାଳକ ଓ ଯାତ୍ରୀଙ୍କୁ ସଚେତନତା କରିବା ସହ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ତଥା ଲାଇଫବୟ, ଲାଇଫ ଜ୍ୟାକେଟ୍, ଅଗ୍ନି ନିର୍ବାପକ ଯନ୍ତ୍ର ଶ୍ରୀମତୀ ସାହୁ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ସ୍ଵତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା ଏବଂ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ପର୍ଯ୍ୟାୟ କ୍ରମେ ବାଲୁଗାଁ ଓ ବଡ଼କୁଳସ୍ଥିତ ତିନୋଟି ମୋଟର ବୋଟ ଆସୋସିଏସନକୁ ୭,୦୦୦ ଲାଇଫବୟ, ୩୫,୦୦୦ ଲାଇଫ ଜ୍ୟାକେଟ୍ ଓ ୧୫୯୫ ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇଦେବାକୁ ଥିବାବେଳେ ଆଜି ୨୭୬ ଜଣ ଡଙ୍ଗା ମାଲିକଙ୍କୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଶ୍ରୀମତୀ ସାହୁ ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ଵର ଗସ୍ତ କରିବା ନେଇ ଓଟିଡିସି କର୍ତ୍ତୃପକ୍ଷ ସବ୍ୟସାଚୀ କର ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now