ଖୋଲିଲା ମଣ୍ଡି, ମିଲରଙ୍କ ଦେଖା ନାହିଁ

ଜୟପୁର: ଖରିଫ ମଣ୍ଡି ଆରମ୍ଭ ହୋଇ ୬ଦିନ ବିତିଲା। ଏବେବି ବନ୍ଦ ରହିଛି ଜୟପୁର ଉପଖଣ୍ଡର ଅଧିକାଂଶ ମଣ୍ଡି। ମଣ୍ଡିରେ ସହସହ ବସ୍ତା ଧାନ  ରଖି ଶୀତ କାକରରେ ଜଗିଛନ୍ତି ଚାଷୀ । ଲାମ୍ପସ କର୍ମଚାରୀ  ଓ  ମିଲରସଙ୍କ ଦେଖା ବି ମିଳୁନି।ସେପଟେ ପ୍ରଶାସନ ସ୍ତରରେ ଏହାର ସମାଧାନ ନହେଲେ ଜୟପୁର ଉପଖଣ୍ଡରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ।

ଖରିଫ ମଣ୍ଡି ଆରମ୍ଭ ହୋଇ ୬ଦିନ ବିତିଲା। ହେଲେ ଜୟପୁର ଉପଖଣ୍ଡରେ ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି। କେଉଁଠି ଚାଷୀ, ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ୍ ପାଇଥିଲେ ବି ମଣ୍ଡି ଖୋଲା ନହେବା କାରଣ ରୁ ନିଜ ଧାନ ବିକ୍ରି କରିପାରୁନାହାନ୍ତି। ଆଉ କେଉଁଠି ଚାଷୀ ନିଜ ଧାନ, ମଣ୍ଡି ରେ ଗଦା କରି ଥିଲେ ବି ଟୋକନ୍ ପାଇ ନାହାନ୍ତି। ଫଳରେ ଅନେକ ଚାଷୀ ନିଜ ଧାନ କୁ ମଣ୍ଡି ରେ ରଖି ଶୀତ କାକର ରେ ଜଗି ରହିଛନ୍ତି। ଜୟପୁର ଉପକଣ୍ଟ ରେ ୭୭ ଟି ମଣ୍ଡି ରହିଛି। ଧାନ କ୍ରୟ ପାଇଁ  ୪୫ଟି ମଣ୍ଡି ଲାମ୍ପସ,୨୧ଟି ମଣ୍ଡିରେ ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨ଟି ମଣ୍ଡି ପାଣି ପଞ୍ଚାୟତର ଦାୟିତ୍ୱରେ ଅଛି।

ଗତ ୧୫ତାରିଖ ଠାରୁ ଜିଲାର କୋଟପାଡ଼ ଏସବି ନୂଆଗାଁ ଠାରୁ ଆରମ୍ଭ ହୋଇଥିଲା ମଣ୍ଡି ଖୋଲା । ହେଲେ ସେଠିବି ଚାଷୀ ଅସନ୍ତୋଷ ଯୋଗୁଁ ଧାନ କିଣା ବିକା ହୋଇପାରିନି। ବୋରିଗୁମ୍ମା ବ୍ଲକ ରେ  ମଧ୍ୟ ସମାନ ଅବସ୍ଥା। କୁମୁଲି ଓ ତରଭଟ୍ଟା ଠାରେ ମଣ୍ଡି ଖୋଲି ଥିଲେ ବି ଚାଷୀଙ୍କ ଧାନ ଉଠିପାରିନି।ଜୟପୁର ଉପଖଣ୍ଡ ର ୫୪ଟି ମଣ୍ଡି ଏପଯ୍ୟନ୍ତ ଖୋଲିନି। SHG ଓ ପାଣିପାଞ୍ଚାୟତ ହାତରେ ଥିବା ବଳକା ୨୩ ଟି ମଣ୍ଡି ଖୋଲିଛି। ହେଲେ ଧାନ କିଣାରେ ମନ୍ଥରତା ଦେଖାଦେଇଛି। ମଣ୍ଡି ଖୋଲିବା ରେ ଅହେତୁକ ବିଳମ୍ୱକୁ ନେଇ ବଢୁଛି ଚାଷୀ ଅସନ୍ତୋଷ। ଜିଲାଯୋଗାଣ ଅଧିକାରୀ ଙ୍କୁ ଭେଟି ଶୀଘ୍ର ମଣ୍ଡି ଖୋଲି ବାକୁ ଦାବି କରିଛନ୍ତି ଚାଷୀ।

 ସେପଟେ ମଣ୍ଡି ବ୍ୟବସ୍ଥା ଆରମ୍ଭ ହୋଇ ବର୍ଷ ବର୍ଷ ବିତି ଯାଇଛି। ପ୍ରତି ମଣ୍ଡି ରେ ପରିଚାଳନା ପାଇଁ  ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ  କରୁଛି  ନିୟନ୍ତ୍ରିତ ବଜାର କମିଟି।ଏପର୍ଯ୍ୟନ୍ତ ୫୬ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଗଚ୍ଛିତ ରହିଛି। ଜୟପୁର ଉପଖଣ୍ଡର ୭୭ ଟି ମଣ୍ଡି ଚାଲିଥିବା ବେଳେ କୌଣସି ମଣ୍ଡି ରେ ଉଚିତ ଭିତ୍ତିଭୂମି ହୋଇପାରିନି।ଧାନ  ଘୋଡାଇବା ପାଇଁ ପାଲ ହେଉ କି ଧାନ ରଖିବା ପାଇଁ ବସ୍ତା ହେଉ ନିଜର ବ୍ୟବସ୍ତା ନିଜେ ହିଁ କରୁଛି ଚାଷୀ। ମଣ୍ଡିର ଭିତ୍ତିଭୂମି ସଜାଡ଼ିବା ପାଇଁ ବାରମ୍ୱାର ସରକାର ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ ବି ଏଥିରେ କୌଣସି ସୁଫଳ ମିଳିନଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ଜୟପୁର ଉପଖଣ୍ଡ ରେ ଧାନ ମଣ୍ଡି ଆରମ୍ବ ହେଲା ସତ ହେଲେ ୬ଦିନ ବିତିଥିଲେ ବି କୌଣସି ସ୍ଥାନ ରେ ଧାନ କିଣା ଆରମ୍ଭ ହୋଇପାରିନି।ଗୋଟିଏ ପଟେ ମଣ୍ଡି ରେ ଭିତ୍ତିଭୂମି ର ଅଭାବ ଅନ୍ୟପଟେ ଧାନ କିଣାରେ ଅହେତୁକ ବିଳମ୍ୱକୁ ନେଇ ବଢୁଛି ଚାଷୀ ଅସନ୍ତୋଷ। ଏଣୁ ପ୍ରଶାସନ ଏଦିଗରେ  ଦୃଷ୍ଟି ଦେଇ  ଚାଷୀଙ୍କ ଧାନ ଶୀଘ୍ର କିଣିବା ଦିଗରେ ପଦକ୍ଷେପ ନେବା  ଜରୁରୀ ହୋଇପଡିଛି।

ରଞ୍ଜନ କୁମାର ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *