ବିପଦରେ ସଂଗ୍ରାହଳୟ

Spread the love

ଯାଜପୁର: ବିପଦସଙ୍କୁଳ ଅବସ୍ଥାରେ ଯାଜପୁର ପୌରକାର୍ଯ୍ୟାଳୟକୁ ଲାଗି ରହିଥିବା ସଂଗ୍ରାହଳୟ । ଥରେ ନୁହେଁ କି ଦୁଇ ଥର ନୁହେଁ, ଏନେଇ ଜିଲ୍ଲାପାଳ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖି ଥିବାବେଳେ , ଏଏସଆଇ ପଦକ୍ଷେପ ନେବା ତ ଦୂର କଥା ଚିଠିର କୌଣସି ଜବାବ ଦେଉନଥିବା ଅଭିଯୋଗ ହୋଇଛି। ଏହାକୁ ସ୍ଥାନାନ୍ତର ମଧ୍ୟ କରୁନାହିଁ ଏଏସଆଇ । ଫଳରେ ପୁରାତନ କୀର୍ତ୍ତିରାଜିର ଭବିଷ୍ୟତ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବିପଦସଙ୍କୁଳ ଏହି ସଂଗ୍ରାହଳୟ ଉଚ୍ଛେଦ ନ ହେବା କାରଣରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସୃଷ୍ଟି ହୋଇଛି ।

ଯାଜପୁର ପୌରପାଳିକା କାର୍ଯ୍ୟାଳୟକୁ ଲାଗି ରହିଛି ଏହି ପ୍ରତ୍ନତତ୍ୱ ସର୍ବେକ୍ଷଣର ସଂଗ୍ରାହାଳୟ ଏବଂ କାର୍ଯ୍ୟାଳୟ । ଏଠାରେ ଗତ ୨୦/୨୨ ବର୍ଷ ତଳୁ ୪ଟି ପୁରାତନ କୀର୍ତ୍ତିରାଜିକୁ ସଂରକ୍ଷିତ କରି ରଖାଯାଇଥିବା ବେଳେ ଏବେ ଉକ୍ତ ଘରଟିକୁ ପୂର୍ତ୍ତବିଭାଗ ବିପଦସଙ୍କୁଳ ଘୋଷଣା କରିଛି । ସେହି ଘରେ ଥିବା ପୁରାତନ କୀର୍ତ୍ତିକୁ ସ୍ଥାନାନ୍ତର ପାଇଁ ଜିଲା ପ୍ରଶାସନ ଏଏସଆଇକୁ ବାରମ୍ବାର ଚିଠି ଲେଖି ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ପୁରାତନ କୀର୍ତ୍ତିକୁ ନ ନେଇ ଏଏସଆଇ କର୍ତ୍ତୃପକ୍ଷ ବିପଦସଙ୍କୁଳ ଘରେ ରଖି ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି କରୁଥିବା ଜଣାପଡିଛି । ଏଏସଆଇ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ଯାଜପୁର ପୌର କର୍ତ୍ତୃପକ୍ଷ ଏବଂ ଜିଲାପ୍ରଶାସନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଅନ୍ୟପଟେ ଏହି ବିପଦସଙ୍କୁଳ ସଂଗ୍ରାହଳୟ ଓ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନଥିବାରୁ ଗାନ୍ଧୀଛକ ଠାରୁ ବସଷ୍ଟାଣ୍ଡ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।

ସେପଟେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ବାରମ୍ବାର ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି କୀର୍ତ୍ତିରାଜିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ପୁନର୍ବାର ଏଏସଆଇର ନୂଆ ଦିଲ୍ଲୀ ସ୍ଥିତ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପଟେ ବରାହ ମନ୍ଦିର ନିକଟରେ ସଂଗ୍ରାହଳୟ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପୁରାତନ କୀର୍ତ୍ତିରାଜିକୁ ବିପଦସଙ୍କୁଳ ଘରେ ଛାଡି ଦେଇ ଅଚିନ୍ତାରେ ବସିଛି ଏଏସଆଇ । ଏହି ଘରଟି ଭଙ୍ଗା ଗଲେ ପୌରାଞ୍ଚଳ ୪ ଥାକିଆ ରାସ୍ତା ନିର୍ମାଣ କରାଯାଇପାରନ୍ତା । ତେବେ ଏଏସଆଇ ପୁରାତନ କୀର୍ତ୍ତିରାଜିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ସହ  ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ସହଯୋଗ କରିବାକୁ ପୌରପାଳିକା କର୍ତ୍ତୃପକ୍ଷ ଦାବି କରିଛନ୍ତି । ସେପଟେ ଏହି ସମସ୍ୟା ନେଇ ଏଏସଆଇ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି ।

Leave a Reply

Your email address will not be published. Required fields are marked *