ନବୀନ କରିଛନ୍ତି ଯୋଜନା, କର୍ମକର୍ତ୍ତା ଦେଉଛନ୍ତି ନିର୍ଯାତନା

()  ଚଳିତ ବର୍ଷ କାର୍ତ୍ତିକ ମାସରେ ପୁରୀରେ ଲାଗିଛି ହବିଷ୍ୟାଳିଙ୍କ ଗହଳି। ପୁରୀର ବିଭିନ୍ନ ଜାଗାରେ ବ୍ରତଧାରୀଙ୍କ ଲାଗି ୫ ଟି ହବିଷ୍ୟାଳି ଶିବିର କରାଯାଇଛି। ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଲାଗି ମହାପ୍ରସାଦ ସହ  ଜଗନ୍ନାଥ ଦର୍ଶନ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହେଲେ କିଛି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କରିବା ବେଳେ କିଛି  ବ୍ରତଧାରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆଣିଛନ୍ତି।

() କାର୍ତ୍ତିକ ମାସରେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ପବିତ୍ର ମାସ ହୋଇଥିବା ସାଧାରଣ ଭକ୍ତଙ୍କ ବ୍ୟତୀତ ହବିଷ୍ୟାଳିଙ୍କ ରହିଛି ପ୍ରବଳ ଭିଡ।  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟେକ ହବିଷ୍ୟାଳି କେନ୍ଦ୍ରରେ ଟାଉନ ବସର୍ ବ୍ୟବସ୍ଥା କରାଯାଇଛି। ସ୍ବେଚ୍ଛାସେବୀଙ୍କ ସହାୟତାରେ ହବିଷ୍ୟାଳିମାନେ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପଞ୍ଜୀକରଣ ନକରି ମଧ୍ୟ ହବିଷ ପାଇଁ ବିଭିନ୍ନ କେନ୍ଦ୍ରରେ ପହଞ୍ଚିଥିବା ମା ମାନଙ୍କୁ ରଖିବାର ବ୍ୟବସ୍ଥା କରିଛି ପ୍ରଶାସନ। ୫ଟି କେନ୍ଦ୍ରରେ ରହିଛନ୍ତି ୨୯୩୫  ହବିଷ୍ୟାଳି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ନିର୍ମିତ ହୋଇଥିବା  ବୃନ୍ଦାବତୀ ନିବାସରେ  ପୁରୀ,ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୧୬୦୪ ଜଣ , ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ଜଣ, ମୋଚି ସାହି କଲ୍ୟାଣ ମଣ୍ଡପରେ ୬୦୧ ଜଣ ହବିଷ୍ୟାଳି ରହିଛନ୍ତି। ହବିଷ୍ୟାଳିଙ୍କ ସେବା ପାଇଁ ପ୍ରତ୍ୟେକ ହବିଷ୍ୟାଳି କେନ୍ଦ୍ରରେ ସ୍ୱେଚ୍ଛାସେବୀ,ଆଶା ଓ ଅଙ୍ଗନୱାଡି କର୍ମୀ,ପୋଲିସ ଓ ପ୍ରଶାସନ ନିୟୋଜିତ ଅଛନ୍ତି …

ଗତ ଦୁଇ ଦିନ ବୃନ୍ଦାବତୀ ହବିଷ୍ୟାଳି ନିବାସରେ ହବିଷ ବ୍ରତ କରୁଥିବା  ବ୍ରହ୍ମଗିରି ସାହସପୁର ଅଞ୍ଚଳର  କୁମାରୀ ନାୟକ ଶ୍ରୀମନ୍ଦିର ଦର୍ଶନ ପାଇଁ  ଯାଇଥିଲେ।  ସେ ସମୟରେ ମାଗଣା ଖାଇବାକୁ ଆସିଛ  କହି ସେବାୟତ ଜଣଙ୍କ ତାଙ୍କ ବେକ ଉପରେ ଗୋଡ ପକେଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ରୀ ମନ୍ଦିରରେ ଦର୍ଶନ ସମୟରେ ପୋଲିସର ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହବିଷ୍ୟାଳି। ଗତକାଲି ଶ୍ରୀ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ଗହଳି ଭିତରେ ଅଟକି ଯିବାରୁ ସେଠାରେ ଥିବା ପୋଲିସ ଓ ସେବାୟତ ତାଙ୍କୁ ମାଗଣା ଖାଇବାକୁ ଆସିଛ କହି ତାଚ୍ଛଲ୍ୟ କରିବା ସହ ଧକ୍କା ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ହବିଷ୍ୟାଳି ଙ୍କ ଉପରେ ଏଭଳି ଆକ୍ରମଣ ଓ ଦୁର୍ବ୍ୟବହାରକୁ ସମସ୍ତ ବ୍ରତଧାରୀ ନିନ୍ଦା କରିବା ସହ ସେମାନଙ୍କ ଦର୍ଶନ ଲାଗି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ଅନୁରୋଧ କରିଛନ୍ତି।

ତେବେ ବାରମ୍ବାର ହବିଷ୍ୟାଳି ଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାରକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *