ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ରାତି ପାହିଲେ ବିଦାୟ ନେବ ପୁରୁଣାବର୍ଷ ୨୦୨୪। ଆଉ ନୂଆ ଆଶା, ଭରସା ଓ ବିଶ୍ୱାସକୁ ନେଇ ଆସିବ ୨୦୨୫। ସେଥିପାଇଁ ଶ୍ରୀକ୍ଷେତ୍ର ପୁରା ଚଳଚଞ୍ଚଳ। ୨୦୨୪ ଶେଷ ଦିନରେ ମଧ୍ୟ ପୁରୀରେ ପ୍ରବଳ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା। ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ କୃତାର୍ଥ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନକୁ ନେଇ ବରିଷ୍ଠ ନାଗରିକ ଓ ସାଧାରଣ ଭକ୍ତମାନେ ଖୁସି ପ୍ରକଟ କରିଛନ୍ତି। ସେପଟେ ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତି ବେଶ ଶୃଙ୍ଖଳିତ ଚାଲିଥିବା ବେଳେ, ଆସନ୍ତାକାଲି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ଆଜି ରାତିରେ ମହାପ୍ରଭୁଙ୍କୁ ପହୁଡ କରାଯାଇ ରାତି 2ଟାରୁ ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ହୋଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଜାରି ରହିବ। ଅନ୍ୟପଟେ ସିଂହଦ୍ଵାର ଭିତର ଗୁମୁଟ ଦ୍ୱାରବନ୍ଧକୁ ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ପତିତପାବନଙ୍କ ମନ୍ଦିରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସେପଟେ ଆଜି ଓ ଆସନ୍ତାକାଲି ନୂଆବର୍ଷ ପାଇଁ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡାକଡି କରାଯାଇଛି। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ କରାଯାଇଛି।  ସମଗ୍ର ପୁରୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ଓ ସିସିଟିଭି ନଜରରେ ରଖାଯାଇଛି। ସମୁଦାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡି ଏସ ପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୬୨ ଇନ୍ସପେକ୍ଟର। ସେପଟେ ଇଂରାଜୀ ନବବର୍ଷ ଭିଡ ଭିତରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବେ ପୋଲିସର ସ୍ଵତନ୍ତ୍ର ଟିମ୍  ଓ ଯୁବ ଶକ୍ତି ଭଲ୍ୟୁଣ୍ଟିଅର। ଶ୍ରୀମନ୍ଦିର ପରିସରରେ ଦୁଇ ଭାଗରେ ପୋଲିସ ମୁତୟନ ରହିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିବେ ଆଣ୍ଟି ସ୍ନାଚିଂ ଟିମ୍ । ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ ହେବେ। ଭୁବନେଶ୍ୱରରୁ ଆସୁଥିବା ଯାନ ଗୁଡିକ ପୁରୁଣା ରୋଡ୍ ପାର୍କିଂ ସହ ଶରଧାବାଲିରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ଯାନ ଗୁଡିକ ତାଳବଣିଆରେ ପାର୍କିଂ କରିବ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଯାନ ଗୁଡିକ ଯାତ୍ରୀକାରେ ପାର୍କିଂ କରିବ। ଏଥିପାଇଁ ସ୍ୱତନ୍ତ୍ର ଆଡଭାଇଜାରି ଜାରି ହୋଇଥିବା ବେଳେ ପୁରୀ ପୋଲିସ ତରଫରୁ ଭିଡିଓ ମଧ୍ୟ ଜାରି ହୋଇଛି। ତେବେ ପୁରୀ ବେଳାଭୂମିରେ ଆସନ୍ତାକାଲି ନୂଆବର୍ଷର ପ୍ରଥମ ଦିନରେ ସକାଳ ସୂର୍ଯ୍ୟୋଦୟ ଦେଖି ଭକ୍ତମାନେ ସ୍ନାନ କରିବାକୁ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ମୁତୟନ କରିବାକୁ ଲାଇଫଗାର୍ଡ ମାନେ ଦାବି କରିଛନ୍ତି। ତେବେ ଆସନ୍ତାକାଲି ନୂଆବର୍ଷ ଉପଲକ୍ଷେ ଭକ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ସହ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି ସମାପନ କରିବା ସରକାରଙ୍କ ପାଇଁ ବଡ ଚାଲେଞ୍ଜ ପାଲଟିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *