ଦୀପିକାଙ୍କ ଧାରଣା: ୮ ସପ୍ତାହର ପୁଲିସ ରିପୋର୍ଟ ମାଗିଲେ ଏନଏଚଆରସି

Spread the love

ବ୍ରହ୍ମପୁର: ସ୍ତ୍ରୀର ହକ ଓ ପୁଅକୁ ତାର ବାପାର ପରିଚୟ ଦାବିରେ ଦୀପିକାଙ୍କ ଧାରଣାକୁ ପୁରିଲା ମାସେ । ସେଭଳି ନ୍ୟାୟ ଦାବିରେ ଦୀନେଶଙ୍କ ଘର ବାରଣ୍ଡାରେ ବସି ରହିଛନ୍ତି ଦୀପିକା । ଘଟଣାକୁ ଏକ ମାସ ବିତିଯାଇଥିଲେ ସୁଦ୍ଧା ମାମଲାର ସମାଧାନ ଏଯାଏଁ ହୋଇପାରିନି । ସେପଟେ ଦୀପିକାଙ୍କ ଧାରଣାକୁ ନେଇ ପୋଲିସ କଣ ସବୁ ପଦକ୍ଷେପ ନେଇଛି ସେ ସମ୍ପର୍କରେ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏସପିଙ୍କୁ ଚିଠି କରିଛି ଜାତୀୟ ମାନବ ଅଧିକାର କମିଶନ ।

ସ୍ତ୍ରୀର ହକ ଓ ପୁଅକୁ ତାର ବାପାର ପରିଚୟ ଦାବିରେ ଦୀପିକାଙ୍କ ଧାରଣାକୁ ଏକ ମାସ ପୁରିଲା । ତଥାପି ମଧ୍ୟ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ନ୍ୟାୟ । ନ୍ୟାୟ ଆଶାରେ ଏବେବି ଶ୍ୱଶୂର ଘର ବାରଣ୍ଡାରେ ପଡିରହିଛନ୍ତି ଦୀପିକା। ସେପଟେ ଏହାର ସାମ୍ନା ନ କରି ଘଟଣାଠୁ ଶାଶୁ ଘର ଲୋକେ ଦୂରରେ ରହୁଥିବା ଅଭିଯୋଗ କରିଛନ୍ତି ଦୀପିକା । ଅନ୍ୟପଟେ ଧାରଣାକୁ ନେଇ ପୋଲିସ କଣ ସବୁ ପଦକ୍ଷେପ ନେଇଛି ସେ ସମ୍ପର୍କରେ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏସପିଙ୍କୁ ଚିଠି କରିଛି ଜାତୀୟ ମାନବ ଅଧିକାର କମିଶନ । ଯାହାଫଳରେ ପୋଲିସ ନିହାତି କିଛି ପଦକ୍ଷେପ ନେବ ବୋଲି ଆଶା ରଖିଛନ୍ତି ଦୀପିକା ।

ଦୀପିକାଙ୍କ ଧାରଣାକୁ ନେଇ ବଡ଼ବଜାର ଥାନାରେ ୧୦ଟି ମାମଲା ରୁଜୁ ହୋଇସାରିଲାଣି । ଦୀପିକା ଓ ପ୍ରମିଳାଙ୍କ ପକ୍ଷରୁ ୫ଟି ମାମଲା ବଡ଼ବଜାର ଥାନାରେ ରୁଜୁ ହୋଇଥିବା ବେଳେ ଦୀନେଶଙ୍କ ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ୫ଟି ମାମଲା ରୁଜୁ ହୋଇଛି । ତଥାପି ପୋଲିସର ଶିଥିଳ କାର୍ଯ୍ୟାନୁଷ୍ଠାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀପିକାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ଧାରଣା ଜାରୀ ରହିବ ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ସେପଟେ ଏକ ମାସ ଧରି ଜଣେ ମହିଳା ଏଭଳି ନ୍ୟାୟ ଭିକ୍ଷା ନିମନ୍ତେ ଧାରଣାରେ ବସିବା ତାହା ଦୁର୍ଭାଗ୍ୟର କଥା । ମାମଲାର କିଭଳି ଭାବେ ସମାଧାନ ହୋଇପାରିବ ସେ ନେଇ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । ଯଦି ଜିଲ୍ଲା ପ୍ରଶାସନ, ପୋଲିସ, ଉଭୟ ପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଆପୋଷ ସମାଧାନ ନିମନ୍ତେ ଚେଷ୍ଟା କରିଥାନ୍ତେ ତେବେ ମାମଲାଟି ସମାଧାନ ହୋଇପାରିଥାନ୍ତା ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *