ପାୱାରକଟକୁ ନେଇ ବଢ଼ୁଛି ଚିନ୍ତା । କୋଇଲା ସ୍ଥିତିକୁ ନେଇ ସତ ଲୁଚାଇବାକୁ ହେଉଛି କି ଉଦ୍ୟମ?

Spread the love

କୋଇଲା ସଙ୍କଟ ଓ ପାୱାରକଟକୁ ନେଇ ବଢ଼ୁଛି ଚିନ୍ତା। ସାରା ଦେଶରେ ସ୍ଥିତି ଅସମ୍ଭାଳ। ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଓଡ଼ିଶାରେ ନାହିଁ କୋଇଲା ସଙ୍କଟ। ହେଲେ ମାତ୍ର ୫ଦିନ ଶକ୍ତି ବିଭାଗ ଟ୍ୱିଟ ଯୋଗେ ଲୋକଙ୍କୁ ଅପିଲ କରିଛି ଯେ ଘରେ ଏସିର ବ୍ୟବହାର ସହ କମ୍ପାନୀ ଓ କୃଷି କ୍ଷେତ୍ରରେ ହେଉଥିବା ବିଜୁଳି ବ୍ୟବହାରକୁ ଠିକ ଭାବେ ପରିଚାଳନା କରନ୍ତୁ।

ଯଦି ବିଜୁଳି ସଙ୍କଟ ନାହିଁ କାହିଁକି ପିକ୍‌ ଆହ୍ୱାରରେ ଜଗିରଖି ବିଜୁଳି ବ୍ୟବହାର ପାଇଁ ଅପିଲ କରାଯାଇଛି? ସରକାର କହୁଛନ୍ତି କୋଇଲା ସଙ୍କଟ ନାହିଁ। ହେଲେ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସ୍ଥିତି ଭାରି ସାଙ୍ଘାତିକ। ଅନେକ ଘରୋଇ କମ୍ପାନୀ ନିୟମ ମୁତାବକ ରାଜ୍ୟକୁ ତାପଜ ବିଦ୍ୟୁତ ଯୋଗାଉ ନାହାଁନ୍ତି। ୨୦୧୯ ମସିହାରୁ ମାମଲା ରୁଜୁ କରି ରାଜ୍ୟକୁ ଗୋଟିଏ ୟୁନିଟ ବି ବିଜୁଳି ଦେଉନି ଜିନ୍ଦଲ କମ୍ପାନୀ। ବେଦାନ୍ତ କମ୍ପାନୀ ଅଧିକାଂଶ ସମୟରେ ଦୈନିକ କୋଟାରୁ କମ୍ ବିଜୁଳି ରାଜ୍ୟକୁ ଦେଉଛି। ଆଉ ଏକ ରିପୋର୍ଟ ଉପରେ ନଜର ପକାନ୍ତୁ। ସପ୍ତାହକ ତଳେ ଅତି ଉତ୍କଟ ଥିଲା ନାଲକୋରେ କୋଇଲା ସଙ୍କଟ।

ଏପ୍ରିଲ ୨୨ ତାରିଖରେ ନାଲକୋକୁ ତୁରନ୍ତ କୋଇଲା ଯୋଗାଣ ପାଇଁ ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଯଦି କୋଇଲା ସଙ୍କଟ ନାହିଁ ନାଲକୋରେ କାହିଁକି ଦେଖା ଦେଲା କୋଇଲା ଅଭାବ? ଏତେସବୁ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି କୋଇଲା ଯୋଗାଣ ନେଇ ସରକାର ଏମ୍‌ସିଏଲ୍ ସହ ଆଲୋଚନା କରିଛନ୍ତି। କୋଇଲା ସ୍ଥିତିକୁ ନେଇ ସତ ଲୁଚାଇବାକୁ ହେଉଛି କି ଉଦ୍ୟମ? ସରକାରଙ୍କ ସଫେଇ ଅନ୍ୟ ରାଜ୍ୟରେ ୧୦ରୁ ୧୨ଘଣ୍ଟା ବିଜୁଳିକାଟ ଭଳି ସ୍ଥିତି ଓଡ଼ିଶାରେ ନାହିଁ। ହେଲେ ଗାଁ ଗହଳିରେ ପାୱାରକଟର ଜଟିଳ ସ୍ଥିତିକୁ ଦେଖି ପାରୁନାହାଁନ୍ତି କି ସରକାର? ଏହି ପ୍ରଶ୍ନ ଏବେ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *